ରାଞ୍ଚି: ଆଜି ଝାଡଖଣ୍ଡରେ ଦ୍ବିତୀୟ ତଥା ଅନ୍ତିମ ପର୍ୟ୍ୟାୟରେ ଅବଶିଷ୍ଟ ୩୮ ଆସନରେ ଭୋଟିଂ ହେଉଛି । ମକପୁଲିଂ ଶେଷ ହେବା ପରେ ସକାଳ ୭ ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି ।ସକାଳ ୯ଟା ସୁଦ୍ଧା ଝାଡ଼ଖଣ୍ଡରେ ୧୩ % ମତଦାନ ହୋଇଛି ।
୮୧ ଆସନ ବିଶିଷ୍ଟ ଝାଡଖଣ୍ଡରେ ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ୟ୍ୟାୟ ୪୩ ଆସନରେ ମତଦାନ ଶେଷ ହୋଇଥିବା ବେଳେ ଆଜି ଦ୍ବିତୀୟ ତଥା ଅନ୍ତିମ ପର୍ୟ୍ୟାୟରେ ଅବଶିଷ୍ଟ ୩୮ ଆସନରେ ଭୋଟ ଗ୍ରହଣ ହେଉଛି । ଆଜି ପର୍ୟ୍ୟାୟରେ ମୁଖ୍ୟମନ୍ତ୍ରୀ ତଥା ଶାସକ ଦଳ ‘ଜେଏମଏମ’ କାର୍ୟ୍ୟକାରୀ ସଭାପତି ହେମନ୍ତ ସୋରେନ, ପତ୍ନୀ କଳ୍ପନା ସୋରେନ ଓ ବିରୋଧୀ ଦଳ ନେତା ତଥା ବିଜେପି ପ୍ରାର୍ଥୀ ଅମର କୁମାର ବାଉରୀ ପ୍ରମୁଖ ନିର୍ବାଚନୀ ଭାଗ୍ୟ ପରୀକ୍ଷା ଦେଉଛନ୍ତି ।ମୋଟ ୧୪,୨୧୮ ମତଦାନ କେନ୍ଦ୍ରରେ ମୋଟ ୧.୨୩ ଲକ୍ଷ ଭୋଟର ଆଜି ମତାଧିକାର ସାବ୍ୟସ୍ତ କରିବେ । ୪୭୨ ଜଣ ପୁରୁଷ, ୫୫ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀଙ୍କୁ ମିଶାଇ ଆଜି ପର୍ୟ୍ୟାୟରେ ମୋଟ ୫୨୮ ପ୍ରାର୍ଥୀ ମୈଦାନରେ ରହିଛନ୍ତି । ‘ଜେଏମଏମ’ ଓ ‘ବିଜେପି’ ମଧ୍ୟରେ କଡା ଟକ୍କର ହେଉଛି । ଚମ୍ପାଇ ସୋରେନ ଓ ସୀତା ସୋରେନ ବିଜେପିରେ ସାମିଲ ହେବା ପରେ ବିଜେପି, ଜେଏମଏମ ଉପରେ ଭାରି ପଡିବ ବୋଲି ଦାବି କରୁଛି । ୨୦୧୯ ବିଧାନସଭା ନିର୍ବାଚନରେ ‘ଜେଏମଏମ’ ୩୦ ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ-ଜେଏମଏମ ଓ ଆରଜେଡି ୪୭ ଆସନ ସହ ରାଜ୍ୟରେ ମେଣ୍ଟରେ ସରକାର ଗଠନ କରିଥିଲେ ।
Comments ସମସ୍ତ ମତାମତ