ମୁଖ୍ୟ ଖବର
କଟକ: ଡାକ୍ତର ସରକାରଙ୍କ କଳି ମଧ୍ୟ ରେ କଲବଲ ହେଉଛନ୍ତି ରୋଗୀ । ଆନ୍ଦୋଳନର ପ୍ରଭାବରେ ରୋଗୀ ମାନେ ଅଣନିଶ୍ୱାସୀ ହୋଇ ଗଲେଣି । ସ୍ଥିତି ଏମିତି କି ସରକାରୀ ହସ୍ପିଟାଲ ଛାଡି ବେସରକାରୀ ହସ୍ପିଟାଲକୁ ମୁହାଁଇଁଲେଣି ରୋଗୀ । ବଡ଼ କଥା ହେଉଛି ଡାକ୍ତର ମାନଙ୍କ ଆନ୍ଦୋଳନ ପାଇଁ ରୋଗୀ ସେବା ବାଧାପ୍ରାପ୍ତ ହେଉଥିବା ବେଳେ ଏବେ କଟକ ବଡ଼ ମେଡିକାଲରେ ଏହାର ପ୍ରଭାବ ପଡିବା ଆରମ୍ଭ ହେଲାଣି ।କଟକ ବଡ଼ ମେଡିକାଲର ପ୍ରତ୍ୟେକ ୱାର୍ଡ ଆଗରେ ରୋଗୀଙ୍କ ଅସମ୍ଭାଳ ଭିଡ଼ । କାହାର ସାମାନ୍ୟ ଜ୍ଵର ତ ଆଉ କାହାର ମୁଣ୍ଡ ବିନ୍ଧା ।ସାମାନ୍ୟ ରୋଗ ପାଇଁ ବହୁ ଦୂରଦୁରାନ୍ତରୁ କଟକ ବଡ଼ ମେଡିକାଲ ଧାଇଁ ଲେଣି ରୋଗୀ । କିଏ ବାଲେଶ୍ଵରରୁ ଆସୁଛି ତ ଆଉ କିଏ ଯାଜପୁର ଆଉ କିଏ ମୟୁରଭଞ୍ଜରୁ । ଯେଉଁ ରୋଗର ଚିକିତ୍ସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଥାନ୍ତା ତାହାର ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଧାଇଁ ଆସୁଛନ୍ତି ରୋଗୀ । ଏନେଇ କଟକ ବଡ଼ ମେଡିକାଲର ଡାକ୍ତର ସୂଚନା ଦେଇଛନ୍ତି ।
ମେଡିସିନ ବିଭାଗର ଡାକ୍ତର ଅମନ ଅଗ୍ରୱାଲ କହିଛନ୍ତି ‘‘ଡାକ୍ତର ଆନ୍ଦୋଳନ ପାଇଁ ପେରିଫେରିରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଥିବାରୁ ବହୁ ଦୂରଦୂରାନ୍ତରୁ ରୋଗୀ ମାନେ କଟକ ବଡ଼ ମେଡିକାଲକୁ ଆସୁଛନ୍ତି । ସ୍ଥିତି ଏମିତିକି ପୂର୍ବ ଦିନ ଅପେକ୍ଷା ପ୍ରାୟ 40 ପ୍ରତିଶତ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି । କଟକ ବଡ଼ମେଡିକାଲରେ ଥିବା ଡାକ୍ତର ମାନେ ଦିନ ରାତି ଏକାଠି କରି ସେମାନଙ୍କ ଚିକିତ୍ସା କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି କି ଯେଉଁ ରୋଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା ହେବା କଥା ସେମାନେ କଟକ ବଡ଼ ମେଡିକାଲ ଆସିବାରୁ ଗୁରୁତ୍ୱପୂର୍ଣ ରୋଗୀ ମାନଙ୍କର ଚିକିତ୍ସା କରିବାରେ ସମସ୍ୟା ସୃଷ୍ଟି ହୋଇଛି । ଏଭଳି ସ୍ଥିତି ଲାଗି ରହିଲେ ଆଗକୁ ଆହୁରି ରୋଗୀ ସେବା ପ୍ରଭାବିତ ହୋଇପାରେ ’’।
Comments ସମସ୍ତ ମତାମତ