ଭୁବନେଶ୍ୱର: ସ୍ୱଚ୍ଛତା ବଜାୟ ରଖିବା ତଥା ଭ୍ରଷ୍ଟାଚାରକୁ ଦୂର କରିବାର ପ୍ରତିବଦ୍ଧତାକୁ ଧ୍ୟାନରେ ରଖି ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତିର ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନଗଦ ଅର୍ଥ ପ୍ରଦାନ ଜରିଆରେ ମଧ୍ୟସ୍ଥିଙ୍କ ଦ୍ୱାରା ଦୁର୍ନୀତି, ହେରଫେର୍ କାରଣରୁ ହିତାଧିକାରୀମାନେ ଅତୀତରେ ଶୋଷଣ ହେବାର ଅନେକ ନଜିର ରହିଛି । ଓଡ଼ିଶା ସରକାରଙ୍କ ଦ୍ୱାରା ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତି ପୁଣି ଥରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେବ । ଏହି ସମସ୍ୟା ଆମ ବରିଷ୍ଠ ନାଗରିକଙ୍କ ଉପରେ ବୋଝ ସୃଷ୍ଟି କରିପାରେ । ତେଣୁ ଡିବିଟି ପ୍ରକ୍ରିୟା ମାଧ୍ୟମରେ ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଭତ୍ତା ସହାୟତା ପ୍ରଦାନ କରାଯାଉ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ସରକାରଙ୍କ ଫଳପ୍ରଦ ଯୋଜନା ଗୁଡିକ ବିନା କୌଣସି ମଧ୍ୟସ୍ଥିରେ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚୁଛି । ଜନଧନ ଯୋଜନାର ଏହାର ଏକ ଉତ୍କୃଷ୍ଟ ଉଦାହରଣ । ସମଗ୍ର ଭାରତବର୍ଷରେ ଏହି ଯୋଜନାରେ ପ୍ରାୟ ୪୮.୯୯ କୋଟି ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଯାଇଛି ଏବଂ ୧.୯୭ ଲକ୍ଷ କୋଟି ଟଙ୍କା ଜମା କରାଯାଇଛି । ଓଡ଼ିଶାରେ ମଧ୍ୟ ୨.୦୧ କୋଟି ଜନଧନ ଆକାଉଣ୍ଟ ଖୋଲାଯାଇଥିବା ବେଳେ ୮ ହଜାର ୭୫୧ କୋଟି ଟଙ୍କା ଜମା କରାଯାଇଛି ।
ସେହିପରି ସହଜରେ ବ୍ୟାଙ୍କ୍ କାରବାର ପାଇଁ ଓଡ଼ିଶାରେ ୧ କୋଟି ୪୫ ଲକ୍ଷ ୪୮ ହଜାର ୪୭୩ ରୁପେ କାର୍ଡ ପ୍ରଦାନ କରାଯାଇଛି । ଓଡ଼ିଶାରେ ଜାତୀୟ ସାମାଜିକ ସୁରକ୍ଷା ସହାୟତା(ଏନଏସଏପି) ଅନ୍ତର୍ଗତ ପ୍ରଧାନମନ୍ତ୍ରୀଙ୍କ ସାମାଜିକ ସୁରକ୍ଷା ଯୋଜନା ଯଥା ପିଏମ ଜୀବନ ଜ୍ୟୋତି ଯୋଜନା, ପିଏମ ସୁରକ୍ଷା ବୀମା ଯୋଜନା, ପିଏମ ମାତୃବନ୍ଦନା ଯୋଜନା ଏବଂ ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗ ଭତ୍ତା ଭଳି ଯୋଜନା ଓଡ଼ିଶାର ନାଗରିକଙ୍କୁ ଡିବିଟି ମାଧ୍ୟମରେ ସୁବିଧା ଓ ସୁରକ୍ଷା ପ୍ରଦାନ କରିଛି ।
ଏନଏସଏପି ଅନ୍ତର୍ଗତ ଭାରତ ସରକାରଙ୍କ ପ୍ରାୟ ୨.୯୯ କୋଟି ହିତାଧିକାରୀ ବିଶେଷ ଭାବରେ ବରିଷ୍ଠ, ବିଧବା ଏବଂ ଦିବ୍ୟାଙ୍ଗମାନେ ମାସିକ ଭତ୍ତା ପାଉଛନ୍ତି । ଓଡ଼ିଶାରେ ମଧ୍ୟ ୨୦ ଲକ୍ଷ ୯୫ ହଜାର ୬୯୫ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ସହାୟତା ପ୍ରଦାନ କରାଯାଉଛି । ଏହି ହିତାଧିକାରୀ କୌଣସି ଭ୍ରଷ୍ଟାଚାର ବିନା ସିଧାସଳଖ ନିଜ ବ୍ୟାଙ୍କ୍ ଖାତାରେ ସହାୟତ ରାଶି ପାଉଛନ୍ତି । ଡିବିଟି ବ୍ୟବସ୍ଥା କାରଣରୁ ରାଜକୋଷକୁ ସହାୟକ ହେବା ସହ ନକଲି କିମ୍ବା ଭୁତ ହିତାଧିକାରୀ ବାଦ୍ ପଡିଛନ୍ତି ଏବଂ ମଧ୍ୟସ୍ଥିଙ୍କ ଆବଶ୍ୟକତା ମଧ୍ୟ ହ୍ରାସ ପାଇଛି ଏବଂ ଭ୍ରଷ୍ଟାଚାର ମୁକ୍ତ ଓ ସ୍ୱଚ୍ଛ ରହିଛି ।
ଓଡ଼ିଶା ମଧ୍ୟ କେନ୍ଦ୍ରୀୟ ଏବଂ ରାଜ୍ୟ ଯୋଜନାରେ ଡିବିଟି ବ୍ୟବସ୍ଥା ଆପଣାଇଛି । ଓଡ଼ିଶା ୨୦୨୨-୨୩ ଆର୍ଥିକ ବର୍ଷରେ କେନ୍ଦ୍ର ଓ ରାଜ୍ୟ ଯୋଜନା ଅନ୍ତର୍ଗତ ୮,୧୩୫.୧୮ କୋଟି ଟଙ୍କା ହସ୍ତାନ୍ତର କରିଛି ଏବଂ ଏହିବର୍ଷ ୧.୯୫ ହିତାଧିକାରୀଙ୍କୁ ଅନ୍ତର୍ଭୃକ୍ତ କରାଯାଇଛି । ଡିବିଟି ବ୍ୟବସ୍ଥା ଆପଣାଇବା ଦ୍ୱାରା ଭୂତ ଓ ନକଲି ହିତାଧିକାରୀ ବାଦ୍ ପଡିଥିଲେ । ଏହି କାରଣରୁ ୨୦୨୧-୨୨ ଆର୍ଥକ ବର୍ଷରେ ରାଜ୍ୟ ସରକାରଙ୍କ ୪୫୯.୯୬ କୋଟି ଟଙ୍କା ସଞ୍ଚୟ ହୋଇଛି । ଭାରତ ସରକାର ମଧ୍ୟ ଡିବିଟି ଆପଣାଇବା ଫଳରେ ୨୦୨୧-୨୨ ୨.୭୩ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି । ଏହି ତଥ୍ୟ ପ୍ରମାଣିତ କରୁଛି ଯେ ଡିବିଟି ଦାରିଦ୍ୟକୁ ଦୂର କରିବା ସହ ନାଗରିକଙ୍କ ସଶକ୍ତିକରଣ ସହ ସେବା ଯୋଗାଇବାରେ ଉନ୍ନତି ପରିଲକ୍ଷିତ ହୋଇଛି ଏବଂ ଓଡ଼ିଶା ସମେତ ଦେଶର କୋଟି କୋଟି ନାଗରିକ ଏହାର ଲାଭ ପାଇଛନ୍ତି । ଓଡ଼ିଶା ସରକାର ଏହା ଜାଣିବା ସତ୍ତ୍ୱେ ପୁଣି ଥରେ ବରିଷ୍ଠ ନାଗରିକ ଭତ୍ତାକୁ ନଗଦ ଅର୍ଥ ଆକାରରେ ଦେବା ପାଇଁ ନିଷ୍ପତି ନେବା ଚିନ୍ତାଜନକ ।
Comments ସମସ୍ତ ମତାମତ