ମୁଖ୍ୟ ଖବର
ଭୁବନେଶ୍ୱର:ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ କକ୍ରୋଚ୍ ଜନତା ପାର୍ଟି(ସିଜେପି)ର ପ୍ରବଳ ବିରୋଧ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସମ୍ବଲପୁର ଏମ୍ପି ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଓଡ଼ିଶା ଫେରିଛନ୍ତି। ଧର୍ମେନ୍ଦ୍ର ବିମାନବନ୍ଦର ବାହାରକୁ ଆସିବା ବେଳକୁ ତାଙ୍କ ସାଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ରହିଥିଲେ। ବାହାରକୁ ଆସିବା ପୂର୍ବରୁ ବିମାନବନ୍ଦର ଭିତରେ କେତେଜଣ ନେତା ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଧରି ତାଙ୍କୁ ଅପେକ୍ଷାକରି ରହିଥିଲେ। ସେମାନଙ୍କ ମଧ୍ୟରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ରବି ନାରାୟଣ ନାଏକ, ମନ୍ତ୍ରୀ ଗୋକନ୍ଦୁଳାନନ୍ଦ ମଲିକ, ବିଧାୟକ ବାବୁ ସିଂ, ଅମରେନ୍ଦ୍ର ଦାସ, ଅମର ନାୟକ, ସୀମାରାଣୀ ନାୟକ, ମାନସ ଦତ୍ତ, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଅଶୋକ ମହାନ୍ତି, ବିଭୂତି ଭୂଷଣ ପ୍ରଧାନ, ଜଲେନ ନାଏକ, ରଘୁନାଥ ଜଗଦଲା, ଦୁର୍ଗା ପ୍ରସନ୍ନ ନାୟକ, ଦୁଷ୍ମନ୍ତ କୁମାର ନାଏକ, ଅଶ୍ୱିନୀ ଷଡଙ୍ଗୀଙ୍କ ସମେତ ଆଉ କେତେଜଣ ବିଧାୟକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେମାନଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ, ଭାଜପା ନେତା ଗୋଲକ ମହାପାତ୍ର, ପୂର୍ବତନ ଭାଜପା ସଭାପତି ସମୀର ମହାନ୍ତି, ଜଟଣୀ ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନା, ଅରିନ୍ଦମ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏମାନେ ପ୍ରଥମେ ଧର୍ମେନ୍ଦ୍ରଙ୍କୁ ବିମାନବନ୍ଦର ଭିତରେ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ଏହାପରେ ବାହାରେ ଶତାଧିକ କର୍ମୀ ଧର୍ମେନ୍ଦ୍ରଙ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷା କରି ରହିଥିଲେ। ଏହାସହ ଭୁବନେଶ୍ୱରର ଆଖପାଖ କଲେଜର ଛାତ୍ରୀଛାତ୍ରମାନେ ମଧ୍ୟ ୟୁନିଫର୍ମରେ ସେଠାରେ ଅପେକ୍ଷାକରି ରହିଥିଲେ। ଧର୍ମେନ୍ଦ୍ର ଏହି ସମୟରେ ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ନ ଦେଇ ସେଠାରୁ ଚାଲିଯାଇଥିଲେ। ମାତ୍ର ଏହିସବୁ କାର୍ଯ୍ୟକ୍ରମ ବରାଦିଆ ବୋଲି କହି ବିରୋଧୀ ନେତାମାନେ ପ୍ରବଳ ବର୍ଷିଛନ୍ତି।
ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁ ଇସ୍ତଫା ଦେଇଥିବା ଧର୍ମେନ୍ଦ୍ରଙ୍କୁ ବିମାନବନ୍ଦରଠାରେ ଦିଆଯାଇଥିବା ସ୍ବାଗତକୁ ବିରୋଧୀ କଡା ଭାଷାରେ ନିନ୍ଦା କରିଛନ୍ତି। ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ଗତ ୫ ବର୍ଷରେ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ୩ ଥର ଲିକ୍ ହୋଇଛି। ଏହାଛଡା ଅନ୍ୟ ବହୁ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ଲିକ୍ ହୋଇଛି। ଏନ୍ଇଇଟି ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ପ୍ରଶ୍ନପତ୍ର ଲିକ୍ କାରଣରୁ ୨୧ ଜଣ ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ଦେଶବ୍ୟାପୀ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା, ଯନ୍ତରମନ୍ତରଠାରେ ମାସେବ୍ୟାପୀ ଆନ୍ଦୋଳନ ଚାଲିବା ପରେ ଦେଶବ୍ୟାପୀ ଏହାକୁ ସମର୍ଥନ ବଢ଼ିଚାଲିଥିଲା। ଶେଷରେ ଭୟରେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାଦ୍ୱାରା ତାଙ୍କର ଯେଉଁ ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି ତାକୁ ଘୋଡ଼ାଇବା ପାଇଁ ଏଭଳି ପ୍ରାୟୋଜିତ ସ୍ବାଗତ କାର୍ଯ୍ୟକ୍ରମ କରାଯାଇଛି। ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରାୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ବିଜୁ ଛାତ୍ର ଜନତା ଦଳ ସଭାପତି ଈପ୍ସିତା ସାହୁ କହିଛନ୍ତି, ଏହି ପ୍ରାୟୋଜିତ କାର୍ଯ୍ୟକ୍ରମରେ ଭାଜପାର ମଙ୍ଗୁଆଳମାନଙ୍କୁ ଦେଖିବାକୁ ମିଳି ନ ଥିଲା ବୋଲି ସେ କହିଛନ୍ତି।
କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ପିଲାମାନଙ୍କ ଭବିଷ୍ୟତ ଖରାପ ହେଲା ୨୧ ଜଣ ଛାତ୍ରୀଛାତ୍ର ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ। ଆଗରୁ କେନ୍ଦ୍ର ସରକାର ଉତ୍ତରଦାୟିତ୍ୱ ତୁଲାଇବା ବିଷୟକୁ ଭୁଲିଯାଇଥିଲେ। ଦେଶର ପିଲାମାନେ ନିଜର ଉତ୍ତରଦାୟିତ୍ୱ କିପରି ତୁଲାଇବା କଥା ସେକଥା ଭଲ ଭାବେ ବୁଝାଇଦେଲେ। ଛାତ୍ରୀଛାତ୍ରମାନଙ୍କ ଆକ୍ରୋଶର ଶିକାର ହେବାପରେ ନିଜ ନିର୍ଲଜତାକୁ ଲୁଚାଇବା ପାଇଁ ଧର୍ମେନ୍ଦ୍ର ଏକ ବରାଦିଆ ସ୍ବାଗତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ବୋଲି ସାଲୁଜା କହିଛନ୍ତି।
ସିପିଆଇ(ଏମ୍) ନେତା ସୁରେଶ ପାଣିଗ୍ରାହୀ କହିଛନ୍ତି, କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ପରାଜୟକୁ ସ୍ବୀକାର କରିପାରୁନାହାନ୍ତି। ଦେଶର ଅନେକ ଲକ୍ଷ ଛାତ୍ରୀଛାତ୍ରଙ୍କ ଆକ୍ରୋଶର ଶିକାର ହୋଇ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିବା ସମ୍ବଲପୁର ଏମ୍ପି ସତ କଥା ମାନିବାକୁ ପ୍ରସ୍ତୁତ ନାହାନ୍ତି। ବାଧ୍ୟବାଧ୍ୟତାକୁ ନୈତିକତା ନାଁରେ ଘୋଡ଼ାଇବା ଲାଗି ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଏମ୍ପିଙ୍କ ଦ୍ୱାରା କରାଯାଇଥିଲା।
Comments ସମସ୍ତ ମତାମତ