Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

    Share on :
    ajab-Image
    Date: Jul 3, 2025    Views: 2952

    ତାଳଚେର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ତାଳଚେର ହାଣ୍ଡିଧୁଆ ଗ୍ରାମର ଖେଳପଡ଼ିଆ ଏବଂ ଗୋପାଳପ୍ରସାଦ ରିଜର୍ଭ ଫରେଷ୍ଟରେ ପୃଥକ ପୃଥକ ଭାବରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅନ୍ତର୍ଗତ ବୃକ୍ଷରୋପଣ ଅଭିଯାନ ଓ ୭୬ତମ ବନମହୋତ୍ସବ-୨୦୨୫ରେ ଯୋଗଦେଇଛନ୍ତି । ଏହି ଅବସରରେ ସେ ସ୍କୁଲ ଛାତ୍ରଛାତ୍ରୀ ଓ ସାମାଜିକ ସଂଗଠନର ସଦସ୍ୟମାନଙ୍କ ସହ ମିଶି ଗଛ ଲଗାଇବା ସହ ଅନୁଗୁଳ ଜିଲ୍ଲାରେ ଆସନ୍ତା ୧୦ ବର୍ଷ ପର୍ୟ୍ୟନ୍ତ ବାର୍ଷିକ ୧୦ ଲକ୍ଷ ଗଛ ଲଗାଇବା ପାଇଁ ସଂକଳ୍ପ କରିବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିକଳ୍ପିତ “ମା’ ପାଇଁ ଗଛଟିଏ” ଏକ ଭାବନାତ୍ମକ ବିଚାର । ପ୍ରକୃତି ମାତାକୁ ସୁରକ୍ଷା ଦେବା ପାଇଁ ସାରାଦେଶରେ ଏହି ଅଭିଯାନର ଦ୍ୱିତୀୟ ପର୍ୟ୍ୟାୟ ଆରମ୍ଭ ହୋଇଛି । ଏହି ଅଭିଯାନ ଏପରି ଏକ ଭବିଷ୍ୟତ ପ୍ରତି ସମର୍ପଣ, ଯେଉଁଠି ପ୍ରକୃତିର ସମ୍ମାନ; ଆମର ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପରିଗଣିତ ହେବ । ତାଳଚେର ସମେତ ଅନୁଗୁଳ ଜିଲ୍ଲାରେ କୋଇଲା ଉତ୍ପାଦନ ହେବା କାରଣରୁ ଏଠାରେ ବହୁମାତ୍ରାରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଛି । ଦେଶରେ ପ୍ରଗତି ପାଇଁ କୋଇଲା ଉତ୍ପାଦନ ସହ ପରିବେଶର ସୁରକ୍ଷା କରିବା ମଧ୍ୟ ଜରୁରି । ତେଣୁ ପ୍ରଦୂଷଣ ହ୍ରାସ ପାଇଁ ଆମେ ସମସ୍ତେ ଗଛ ଲଗାଇବା ଦରକାର । ସ୍କୁଲ ସ୍ତରରୁ ଆରମ୍ଭ କରି ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଯୁବ ସଂଗଠନ, ସରକାରୀ ଅନୁଷ୍ଠାନ, ମାତୃଶକ୍ତି, ସ୍ୱେଚ୍ଛାସେବୀମାନଙ୍କୁ  "ଏକ୍ ପେଡ୍ ମା’ କେ ନାମ ୨.୦" ଅଭିଯାନରେ ଯୋଡି ଅନୁଗୁଳକୁ ସବୁଜ ସହରରେ ପରିଣତ କରିବାର ଦାୟିତ୍ୱ ନେବା ଦରକାର । ସେ ଆହୁରି କହିଛନ୍ତି, ଚଳିତଥର ଅନୁଗୋଳ ବନଖଣ୍ଡରେ ପୂର୍ବ ବର୍ଷ ଅପେକ୍ଷା ଦୁଇ ଗୁଣା ଅର୍ଥାତ୍ ୭ ଲକ୍ଷ ୫୦ ହଜାର ଗଛ ଲଗାଯିବାର ଯୋଜନା ରହିଛି । ତେବେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଅନୁଗୁଳରେ ୧୦ ଲକ୍ଷ ଚାରା ଲଗାଇବା ସହ ଏହି ପରମ୍ପରାକୁ ଆଗାମୀ ୧୦ ବର୍ଷ ପର୍ୟ୍ୟନ୍ତ ଅବ୍ୟାହତ ରଖିବା ପାଇଁ ଆମେ ସଂକଳ୍ପ ନେବା ଦରକାର । ଗଛର ଯତ୍ନ ନେବା ସହ ଏହାକୁ ଜନ ଆନ୍ଦୋଳନର ରୂପ ଦେବା । ବନୀକରଣରେ ତାଳଚେର ସମେତ ଅନୁଗୁଳର ପରିଚୟ ସୃଷ୍ଟି କରିବାକୁ ସେ ଅପିଲ୍ କରିଛନ୍ତି ।   ଏହି ଅବସରରେ ସେ ଅନୁଗୁଳ ବନଖଣ୍ଡର ପଦକ୍ଷେପ ଅନ୍ତର୍ଗତ ଭ୍ରାମ୍ୟମାଣ ଚାରା ବିତରଣ ରଥ, ସୂଚନା ରଥ, ସବୁଜ ଅନୁଗୋଳ ମୋବାଇଲ ଆପ୍, ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଟ୍ରକ୍, ଅନୁଗୁଳ ଫରେଷ୍ଟ ଡିଭିଜନ ୱେବସାଇଟ୍ ଓ ଅନ୍ୟାନ୍ୟ ପୋର୍ଟାଲ ଆଦି ଶୁଭାରମ୍ଭ କରିଥିଲେ । ଅନୁଗୁଳରେ ବୃକ୍ଷରୋପଣ ଅଭିଯାନକୁ ଏକ ଜନଆନ୍ଦୋଳନର ରୂପ ଦେବା ସହ ଜନସାଧାରଣଙ୍କ ମଧ୍ୟରେ ସମାଜିକ ସଚେତନତା ସୃଷ୍ଟି କରିବା ପାଇଁ ଏପରି ପଦକ୍ଷେପକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook