ମୁଖ୍ୟ ଖବର
ଜଗତସିଂହପୁର: ଏମିତି ବି ଆସେ ମୃତ୍ୟୁ...ପୂଜା କରୁ କରୁ ମନ୍ଦିରରେ ଟଳି ପଡିଲେ ପୂଜାରୀ । ଗତକାଲି(ଶନିବାର) ଶିବଲିଙ୍ଗ ଉପରରୁ ମିଳିଲା ପୂଜକଙ୍କ ମୃତଦେହ । ଏପରି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୁନଙ୍ଗ ଗାଁରେ । ମୃତ ପୂଜାରୀ ହେଲେ 24 ବର୍ଷୀୟା ଓମ୍ ପ୍ରକାଶ ପଣ୍ଡା ।
ଜଗତସିଂହପୁର ସହରର ଉପକଣ୍ଠ ପୁନଙ୍ଗ ଗ୍ରାମରେ ଥିବା ପୁନେଶ୍ୱର ମହାଦେବ ମନ୍ଦିରରେ ଓମ୍ ପ୍ରକାଶ ପଣ୍ଡା ନାମକ ଜଣେ ଯୁବକ ଦୀର୍ଘଦିନ ଧରି ପୂଜାପାଠ କରି ଆସୁଥିଲେ । ଗତକାଲି (ଶନିବାର) ଓମ ପ୍ରକାଶ ସେହି ମହାଦେବ ମନ୍ଦିରରେ ପୂଜା କରିବାକୁ ଆସି ଆଉ ଫେରି ନଥିଲେ । ବିଳମ୍ବ ହେବାରୁ ପରିବାର ଲୋକେ ମନ୍ଦିରରେ ପହଞ୍ଚିବା ବେଳକୁ ମନ୍ଦିର ଭିତରେ ଥିବା ଶିବ ଲିଙ୍ଗ ଉପରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଗ୍ରାମବାସୀ ଓ ପରିବାର ଲୋକେ ରୁଣ୍ଡ ହୋଇ ପୋଲିସକୁ ଖବର ଦେଇଥିଲେ ।
ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିବଲିଙ୍ଗ ଉପରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । ଏ ସମ୍ପର୍କରେ ଜଗତସିଂହପୁର ଥାନା ଅଧିକାରୀ ସରୋଜ କୁମାର ସାମଲ କହିଛନ୍ତି, ‘ମନ୍ଦିର ମଧ୍ୟରେ ଗଭୀର ଜଳ ଭରି ହୋଇରହିଛି । ପୂଜା କରିବା ସମୟରେ ପୂଜକ ଜଣଙ୍କ ଭାରସାମ୍ୟ ହରାଇ ଖସି ପଡିବା ଫଳରେ ମୁଣ୍ଡ ଶିବ ଲିଙ୍ଗରେ ମାଡ଼ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଯାହା ଫଳରେ ପୂଜକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ।ଏହି ଘଟଣାକୁ ନେଇ ଜଗତସିଂହପୁର ସହରରେ ଚର୍ଚ୍ଚା ଜୋର ଧରିଛି ।ସେପଟେ ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପୂଜକଙ୍କ ମୃତ୍ୟୁକୁ ନେଇ ପରିବାର ଦୁଃଖରେ ଭାଙ୍ଗି ପଡିଛି । ସେପଟେ ତଦନ୍ତ ପରେ ପୂଜକଙ୍କ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ।
Comments ସମସ୍ତ ମତାମତ