Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କେତୋଟି ନିର୍ବାଚନ ବୈତରଣୀ ପାର ହେଲେ ଚଣ୍ଡିଖୋଲ ଅଶୋଧିତ ତୈଳ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହେବ: କଂଗ୍ରେସ

    Share on :
    ajab-Image
    Date: May 20, 2026    Views: 2373

    ଭୂବନେଶ୍ବର:  ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନସିଂହଙ୍କ ନେତୃତ୍ବରେ କଂଗ୍ରେସ ସରକାରଙ୍କ ଦ୍ବାରା ପ୍ରସ୍ତାବିତ ଚଣ୍ଡିଖୋଲ ଅଶୋଧିତ ତୈଳ ସଂରକ୍ଷଣ ପ୍ରକଳ୍ପକୁ ଦୀର୍ଘ ଏଗାର ବର୍ଷ ହେଲା ବର୍ତ୍ତମାନର ମୋଦୀ ସରକାର କେବଳ ଏକ ନିର୍ବାଚନୀ ଆୟୁଧ ଭାବରେ ବ୍ୟବହାର କରୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରି ନାହିଁ। ଏହି ବିଷୟକୁ ନେଇ ପ୍ରଦେଶ କଂଗ୍ରେସ ବରିଷ୍ଠ ମୁଖପାତ୍ର ଓ ରିସର୍ଚ୍ଚ ଆନାଲିଷ୍ଟ ଜଗଦାନନ୍ଦ ପ୍ରଧାନ କଂଗ୍ରେସ ଭବନଠାରେ ଏକ ପ୍ରେସ ବିବୃତି ମାଧ୍ୟମରେ ସରକାରଙ୍କ ଅପାରଗତାକୁ ସମାଲୋଚନା କରିବା ସହ କଂଗ୍ରେସର ଦାବି ଊପସ୍ଥାପନ କରିଛନ୍ତି।ଶ୍ରୀ ପ୍ରଧାନ କହିଛନ୍ତି, ଚଣ୍ଡିଖୋଲଠାରେ ଏହି ପ୍ରସ୍ତାବିତ ଅଶୋଧିତ ତୈଳ ସଂରକ୍ଷଣ ପ୍ରକଳ୍ପରେ 30 ନିୟୁତ ବ୍ୟାରେଲ ପର୍ଯ୍ୟନ୍ତ ଅଶୋଧିତ ତୈଳ ସଂରକ୍ଷଣ କରାଯିବାକୁ କୁହାଯାଇଛି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ 5 ହଜାର ଲୋକ ନିଯୁକ୍ତି ସୁଯୋଗ ପାଇବେ ବୋଲି ସରକାର କହୁଥିବାବେଳେ ପ୍ରକୃତପକ୍ଷେ 8 ହଜାରରୁ 10 ହଜାର ଲୋକ ନିଯୁକ୍ତି ପାଇବା କଥା। ପ୍ରକଳ୍ପ ପ୍ରତିଷ୍ଠା ହେଲେ କ୍ଷତିଗ୍ରସ୍ତ ଲୋକଙ୍କୁ ଊପଯୁକ୍ତି କ୍ଷତିପୂରଣ ସହ ନିଯୁକ୍ତି ଓ ଥଇଥାନ ବ୍ୟବସ୍ଥା ପାଇଁ କି ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି ଏହାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ। 
    ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସରକାର ଦେଶରେ ଗୋଟିଏ ଲିଟର ବି ଅଶୋଧିତ ତୈଳ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିପାରି ନାହାଁନ୍ତି। ଦେଶରେ ବର୍ତ୍ତମାନ ଯାହା କିଛି ଅଶୋଧିତ ତୈଳ ସଂରକ୍ଷଣ ପ୍ରକଳ୍ପ ପ୍ରତିଷ୍ଠା ହୋଇଛି, ତାହା କେବଳ କଂଗ୍ରେସର ନେତୃତ୍ବାଧୀନ ୟୁପିଏ ସରକାରଙ୍କ ସମୟରେ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ହୋଇଥିବା 5 ଦଶମିକ 33 ମିଲିଅନ ମେଟ୍ରିକ ଟନ  କ୍ଷମତା ବିଶିଷ୍ଟ ପ୍ରକଳ୍ପ ସହ ଦ୍ବିତୀୟ ପର୍ଯ୍ୟାୟ ପ୍ରକଳ୍ପ ପାଇଁ ଅନ୍ୟ ତିନୋଟି ପ୍ରକଳ୍ପ(ବିଶାଖାପଟଣା (1.33 ମିଲିଅନ ମେଟ୍ରିକ ଟନ),ମାଙ୍ଗାଲୁର(1.5ମେଟ୍ରିକ ମିଲିଅନ ଟନ) ଓ ପାଦୁର(2.5 ମିଲିଅନ ମେଟ୍ରିକ ଟନ) କ୍ଷମତା ବିଶିଷ୍ଟ ପ୍ରକଳ୍ପର ସଂପ୍ରସାରଣ ପାଇଁ କଂଗ୍ରେସ ସମୟରେ ହିଁ ଊଦ୍ୟମ ଆରମ୍ଭ କରିଥିଲା, ଯାହାକୁ ବର୍ତ୍ତମାନର ଏନଡିଏ ସରକାର ପକାଇ ରଖିଛି।।ଚଣ୍ଡିଖୋଲ ପ୍ରକଳ୍ପ ସଂପର୍କରେ ମଧ୍ୟ କଂଗ୍ରେସ ସରକାର ମଧ୍ୟ ଗତ 2013 ମସିହାରେ ଫିଜିବିଲିଟି ରିପୋର୍ଟ ଦାଖଲ କରିବା ସହ ପ୍ରକ୍ରିୟା ଆରମ୍ଭ କରିଥିଲେ
    ପ୍ରକଳ୍ପ ସ୍ଥାପନ ପରେ  ଚଣ୍ଡିଖୋଲ ଓ ଏହାର ଆଖପାଖ ଅଞ୍ଚଳରେ  ଯେଊଁ ଭୟାବହ ପରିବେଶ ପ୍ରଦୂଷଣ ହେବ ଏହାର ନିରାକରଣ ପାଇଁ ପ୍ରକଳ୍ପ କର୍ତ୍ତୃପକ୍ଷ ତଥା ରାଜ୍ୟର ଡବଲ ଇଂଜିନ ସରକାର ଶକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ। ଭୂତଳ ଅଶୋଧିତ ତୈଳ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏଠାରେ ଭୂତଳ ଜଳ ପ୍ରଦୂଷଣ ହେବା ସହ  ମିଥେନ ଓ ଉଷ୍ମୀୟ ଜୈବ ଯୌଗିକ (VOC) ଗ୍ୟାସ ଲିକେଜ୍ ହୋଇ  ସ୍ଥାନୀୟ ଅଂଚଳରେ ପରିବେଶ ପ୍ରତି ବିପଦ ସୃଷ୍ଟି କରିବ। ବିଷାକ୍ତ ବେଞ୍ଜିନ, ଟୋଲୁଇନ୍ ଏବଂ ଇଥାଇଲ ବେଞ୍ଜିନ ଭଳି ଅଶୋଧିତ ତୈଳରେ ଯେଊଁ ସବୁ ଅସ୍ଥିର ଉପାଦାନ ରହିଛି ତାହା ବାଷ୍ପୀଭୂତ ହୋଇ ଅଶୋଧିତ ତୈଳ ସଂରକ୍ଷଣ ପ୍ରକଳ୍ପ ଓ ଏହାର ଆଖପାଖ ଅଂଚଳରେ ଭୁଗର୍ଭ ଜଳକୁ ପ୍ରଦୂଷିତ କରିବ। ଏହା ଦ୍ବାରା ନାନାଦି ରୋଗ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ସହିତ ଅତ୍ୟଧିକ ତେଲ ସଂରକ୍ଷଣ ମିଥେନ କିମ୍ବା କ୍ଷୟକାରୀ ହାଇଡ୍ରୋଜେନ ସଲଫାଇଡ ଗ୍ୟାସର ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

    କଂଗ୍ରେସର ପ୍ରଶ୍ନ ହେଲା, ଚଣ୍ଡିଖୋଳ ପ୍ରକଳ୍ପକୁ କାହିଁକି ମୋଦୀ ସରକାର ବାରମ୍ବାର ଘୁଞ୍ଚାଇ ଚାଲିଛନ୍ତି? ସରକାରଙ୍କର ଅଭିପ୍ରାୟ କଣ? ଏଥିରୁ ସ୍ପଷ୍ଟ ହେଊଛି ଓଡିଶାରେ ଯୁବକ ଯୁବତୀଙ୍କ ନିଯୁକ୍ତି ପାଇଁ ସରକାରଙ୍କର ଆନ୍ତରିକତା ନାହିଁ। ସରକାର ରାଜ୍ୟର ଅମୁଲ୍ୟ ସଂପଦ କେବଳ ବେସରକାରୀ ଶିଳ୍ପସଂସ୍ଥାଙ୍କ ହାତରେ ଶାଗ,ମାଛ ମୂଲ୍ୟରେ ଟେକିଦେବା ଜାଣିଛି। ରାଜ୍ୟର ପ୍ରତ୍ୟେକ ଶିଳ୍ପାଞ୍ଚଳରେ ବିସ୍ଥାପନ ଏକ ଗମ୍ଭୀର ସମସ୍ୟାଭାବେ ଊଭା ହେଲାଣି। ବେସରକାରୀ ସଂସ୍ଥାଙ୍କ ହିତ ପାଇଁ ସରକାର ପୁଲିସ ପ୍ରଶାସନକୁ ବ୍ୟବହାର କରି ଦମନଲୀଳା କରିବାକୁ ମଧ୍ୟ ପଛାଊ ନାହିଁ।

    ଚଣ୍ଡିଖୋଲର ଏହି ଅଶୋଧିତ ସଂରକ୍ଷଣ ପ୍ରକଳ୍ପ ପାଇଁ କଂଗ୍ରେସ ଦାବି କରୁଛି ଯେ, ବିସ୍ଥାପିତ ଏବଂ ଆଖପାଖ ଅଂଚଳର 8 ରୁ 10 ହଜାରରୁ ଯୁବକ ଓ ଯୁବତୀଙ୍କୁ ନିଯୁକି ଦିଆଯାଊ, ସ୍ଥାନୀୟ ପରିବହନ ସଂସ୍ଥାଙ୍କୁ ଅଗ୍ରାଧିକାର ଭିତ୍ତିରେ କାମ ଯୋଗାଇ ଦିଆଯାଊ, ଊପଯୁକ୍ତ କ୍ଷତିପୂରଣ ଦେଇ ସୁରୁଖୁରୁରେ ବିସ୍ଥାପନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଊ।ସେହିଭଳି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ  ଠୋସ୍ ବ୍ୟବସ୍ଥା ଆନ୍ତରିକତାର ସହିତ କାର୍ଯ୍ୟକାରୀ କରାଯାଊ। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମାଧ୍ୟମରେ ଅଞ୍ଚଳରେ ଭୂତଳ ପେଟ୍ରୋଲିୟମ ସଂରକ୍ଷଣ ପାଇଁ ନିର୍ଦ୍ଦିଷ୍ଟ ବିପଦ ଆଶଙ୍କା ଥିବାରୁ ଏ ସଂପର୍କରେ ଥିବା ନିୟମାବଳୀକୁ ସମୀକ୍ଷା କରନ୍ତୁଏବଂ ତଦନୁଯାୟୀ ପଦକ୍ଷେପ ନିଅନ୍ତୁ। ତେଣୁ କାଳ ବିଳମ୍ବ ନକରି ସରକାର ପ୍ରକଳ୍ପ କାର୍ଯ୍ୟ କେବେ ଆରମ୍ଭ କରିବେ... ପ୍ରସ୍ତାବିତ ତାରିଖ ଘୋଷଣା କରନ୍ତୁ ବୋଲି ଆଜି କଂଗ୍ରେସ ପକ୍ଷରୁ ଶ୍ରୀ ପ୍ରଧାନ ଊଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook