Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସ୍ଥିର କରିପାରୁନି କଂଗ୍ରେସ: କାହାକୁ କରିବ କେରଳର ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: May 11, 2026    Views: 2761

    ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ପ୍ରାୟ ଏକ ସପ୍ତାହ ପରେ ମଧ୍ୟ କେରଳର କାହାକୁ ମୁଖ୍ୟମନ୍ତ୍ରୀ କରିବ ତାହା  ସ୍ଥିର  କରିପାରୁନି କଂଗ୍ରେସ। ଏହାର କାରଣ ହେଉଛି, ଏଥିପାଇଁ ଦଳର ଆଶାୟୀଙ୍କ ମଧ୍ୟରେ ଚାଲିଛି ଟଣାଓଟରା। କେହି କାହାକୁ ଛାଡ଼ିବାକୁ ରାଜି ନାହାନ୍ତି। ଆଉ ତା ମଧ୍ୟରେ ଫସି ଯାଇଛନ୍ତି ଦଳର କେନ୍ଦ୍ରୀୟ ନେତୃତ୍ୱ। ଏହି ପଦ ପାଇଁ ଦଳରେ ଏବେ ମୁଖ୍ୟତଃ ଚାରିଜଣ ଆଶାୟୀ ଦୌଡ଼ରେ ଅଛନ୍ତି। ଏହି ତାଲିକାରେ ଦଳର ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ ସବୁଠାରୁ ଆଗରେ ଥିବାବେଳେ, ତାଙ୍କ ପଛକୁ ଭି.ଡି. ସତୀଶନ ଏବଂ ବରିଷ୍ଠ କଂଗ୍ରେସ ନେତା ରମେଶ ଚେନ୍ନିଥାଲା ରହିଛନ୍ତି। ରାଜ୍ୟ କଂଗ୍ରେସ ସଭାପତି କେ. ସୁଧାକରନ୍ ମଧ୍ୟ ନିଜକୁ ଜଣେ ଦାବିଦାର ଭାବେ ବିବେଚନା କରୁଛନ୍ତି।ଦଳ ଏବେ ମଧ୍ୟ ପରାମର୍ଶ ପ୍ରକ୍ରିୟା ଜାରି ରଖିଛି। ଦୁଇ ପର୍ଯ୍ୟବେକ୍ଷକ ଅଜୟ ମାକେନ ଏବଂ ମୁକୁଲ ୱାସନିକ ଏହାକୁ ଜାରି ରଖିଛନ୍ତି।

    ବିଧାୟକ ଏବଂ ଦଳର ସ୍ଥାନୀୟ ନେତାମାନଙ୍କ ସହ ଆଲୋଚନା ପରେ ଏହି ଦୁଇ ପର୍ଯ୍ୟବେକ୍ଷକ ଦାଖଲ କରିଥିବା ରିପୋର୍ଟ ଅନୁଯାୟୀ, ଅଧିକାଂଶ ବିଧାୟକ ଭେନୁଗୋପାଳଙ୍କ ସପକ୍ଷରେ ଅଛନ୍ତି, ଯିଏ କି ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କର ମଧ୍ୟ ପ୍ରସନ୍ଦ। କିନ୍ତୁ ଦ୍ୱିତୀୟ ସ୍ଥାନରେ ଥିବା ଭି.ଡି. ସତୀଶନଙ୍କ ପକ୍ଷରୁ ଏହାକୁ ନେଇ ପ୍ରବଳ ବିରୋଧ କରାଯାଉଛି, ଯିଏ କି ପୂର୍ବ ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା ଥିଲେ।

    ରିପୋର୍ଟ ଅନୁଯାୟୀ କେ.ସି. ଭେନୁଗୋପାଳ ବିଧାୟକମାନଙ୍କ ପସନ୍ଦ ହୋଇଥିବା ବେଳେ, ଭି.ଡି. ସତୀଶନ ଜନସାଧାରଣଙ୍କ ପସନ୍ଦ ପରି ମନେ ହେଉଛନ୍ତି। କେରଳର କଂଗ୍ରେସ କର୍ମୀମାନେ ସତୀଶନଙ୍କ ସମର୍ଥନରେ ରାଲି କରିବା ପାଇଁ ରାଜାରାସ୍ତାକୁ ଓହ୍ଲାଇଛନ୍ତି - ଏହି ପଦକ୍ଷେପ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅସନ୍ତୁଷ୍ଟ କରିଛି ଏବଂ ସେମାନେ ସତୀଶନଙ୍କୁ ଏଭଳି ପ୍ରଦର୍ଶନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିl

    ଏଥିରେ ଆହୁରି ଅନେକ ଜଟିଳତା ରହିଛି। କେରଳର ୧୪୦ ଜଣିଆ ବିଧାନସଭାରେ ୟୁଡିଏଫ୍ (UDF) ୧୦୨ଟି ଆସନ ହାସଲ କରିଛି, କିନ୍ତୁ ଏହି ସମସ୍ତ ଆସନ କଂଗ୍ରେସ ଖାତାକୁ ଯାଇନାହିଁ।

    ଦଳ ପାଖରେ ୬୩ ଜଣ ବିଧାୟକ ଥିବାବେଳେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (IUML) ପାଖରେ ୨୨ଟି ଆସନ ରହିଛି। ବାକି ଆସନଗୁଡ଼ିକ ଅନ୍ୟ ସହଯୋଗୀ ଦଳମାନେ ଜିତିଛନ୍ତି। ଫଳସ୍ୱରୂପ, ଆଇୟୁଏମଏଲ୍ (IUML) ର ମତାମତ ଏଠାରେ ବେଶ୍ ଗୁରୁତ୍ୱ ବହନ କରେ।

    କଂଗ୍ରେସର ସହଯୋଗୀ ଦଳଗୁଡ଼ିକ ଯୁକ୍ତି କରନ୍ତି ଯେ, ସତୀଶନ ମଇଦାନକୁ ଓହ୍ଲାଇ ବାମପନ୍ଥୀ ସାମ୍ମୁଖ୍ୟ ବିରୋଧରେ ଲଢ଼େଇ କରିଥିଲେ, ତେଣୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କର ନ୍ୟାୟୋଚିତ ଦାବି ରହିଛି।

    ଏହି ବିଷୟଟି ଏକ ଅଚଳାବସ୍ଥାରେ ପହଞ୍ଚିଥିବା ଅନୁଭବ କରି, କେନ୍ଦ୍ରୀୟ ନେତୃତ୍ୱ କେରଳର ନେତାମାନଙ୍କୁ ଦିଲ୍ଲୀକୁ ଡକାଇଥିଲେ। ତଥାପି କଂଗ୍ରେସ ହାଇକମାଣ୍ଡ  ଏକ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିରେ ଫସି ରହିଛନ୍ତି।

    ଏବେ ଏହା ପରାମର୍ଶ ଦିଆଯାଉଛି ଯେ, ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟାରେ ସୋନିଆ ଗାନ୍ଧୀ, ଏ.କେ. ଆଣ୍ଟୋନି ଏବଂ ୟୁଡିଏଫ୍ (UDF) ର ଅନ୍ୟ ସହଯୋଗୀ ଦଳମାନଙ୍କୁ ମଧ୍ୟ ସାମିଲ କରାଯିବ।

    ଏହା ମଧ୍ୟ କୁହାଯାଉଛି ଯେ, ରାହୁଲ ଗାନ୍ଧୀ କଂଗ୍ରେସ ସଂଗଠନରେ ଭେନୁଗୋପାଳଙ୍କୁ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କରିପାରନ୍ତି। କଂଗ୍ରେସ ସଭାପତି ଭାବରେ ମଲ୍ଲିକାର୍ଜୁନ ଖଡଗେଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ଶେଷ ହେବାକୁ ଯାଉଛି।

    ଦଳ ପାଇଁ ଅନ୍ୟ ଏକ ବିଚାରଯୋଗ୍ୟ ବିଷୟ ହେଉଛି, ୱାୟାନାଡ ଲୋକସଭା ନିର୍ବାଚନ ମଣ୍ଡଳୀ, ଯାହାର ପ୍ରତିନିଧିତ୍ୱ ବର୍ତ୍ତମାନ ପ୍ରିୟଙ୍କା ଗାନ୍ଧୀ କରୁଛନ୍ତି। ସେଠାରେ ମୁସଲିମ ଭୋଟରଙ୍କ ସଂଖ୍ୟା ୪୫ ପ୍ରତିଶତରୁ ଅଧିକ। ତେଣୁ ସେମାନଙ୍କ ପସନ୍ଦକୁ ଗୁରୁତ୍ୱ ନ ଦେଇ ସେମାନଙ୍କୁ ଅସନ୍ତୁଷ୍ଟ କରିବା କଂଗ୍ରେସ ପାଇଁ ବିପଦ ହୋଇପାରେ।

    ବିଧାୟକମାନଙ୍କ ସମର୍ଥନ ହାସଲ କରି ଭେନୁଗୋପାଳ ଏକ ଚାଲ୍ ଖେଳିଛନ୍ତି ବୋଲି କୁହାଯାଉଛି। ଏବେ ରାହୁଲ ଗାନ୍ଧୀଙ୍କ ଉପରେ ନିର୍ଭର କରେ ଯେ, ସେ ତାଙ୍କୁ ରାଜ୍ୟର ଦାୟିତ୍ୱ ଦେବାକୁ ଚାହୁଁଛନ୍ତି କି ନାହିଁ। ଦିଲ୍ଲୀର ଅନେକ କଂଗ୍ରେସ ନେତା ଭେଣୁଗୋପାଳ ଏହି ପଦବୀ ଛାଡ଼ନ୍ତୁ ବୋଲି ଚାହୁଁଛନ୍ତି, ଯାହାଫଳରେ ସେମାନଙ୍କୁ ସାଧାରଣ ସମ୍ପାଦକ (ସଂଗଠନ) ପଦ ପାଇଁ ସୁଯୋଗ ମିଳିପାରିବ।

    ଏହି ସମସ୍ତ କାରଣ ଯୋଗୁ, ଦଳର ଶୀର୍ଷ ନେତୃତ୍ୱ ଏଯାବତ୍ କୌଣସି ନିଷ୍ପତ୍ତିରେ ପହଞ୍ଚି ନାହାନ୍ତି। ସେହିପରି ଦଳ ପାଖରେ ଯଥେଷ୍ଟ ସମୟ ମଧ୍ୟ ଅଛି। କାରଣ କେରଳ ବିଧାନସଭାର କାର୍ଯ୍ୟକାଳ ମେ ୨୩ ପର୍ଯ୍ୟନ୍ତ ରହିଛି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook