ମୁଖ୍ୟ ଖବର
ଭୁବନେଶ୍ୱର: ଭଦ୍ରକ ବିଜେଡିରୁ ଏକା ଥରକେ ତିନି ତିନି ଜଣ ବ୍ଲକ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେବା ପରେ ତାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା ବିଜେଡି ପାଇଁ ଏକ ବଡ ଝଟକା ଥିବାବେଳେ ବିଜେପି ଶିବିରରେ ଉତ୍ସାହର ଲହରୀ ସୃଷ୍ଟି କରିଛି । ଆଗକୁ ଏହାର ସଂଖ୍ୟା ବୃଦ୍ଧି ହେବ ବୋଲି ଚର୍ଚ୍ଚା ଚାଲିଛି । ଏକାଥରେ ତିନି ଜଣ ଛାଡିବା କିନ୍ତୁ ବିଜେଡି ପାଇଁ ଏକ ଶକ୍ତ ଧକ୍କା । ଏମାନେ ବିଜେପିରେ ସାମିଲ ହେବା ନେଇ ଆଗରୁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇ ସାରିଛି ବୋଲି ଜଣାପଡିଛି । ଆଗକୁ ଅଛି ପଞ୍ଚାୟତ ଏବଂ ପୌର ନିର୍ବାଚନ । ଏପରି ଦଳ ଛାଡିବା ନିର୍ବଚନକୁ ପ୍ରଭାବିତ କରିବ । ଖାଲି ଏତିକି ନୁହେଁ, ଆହୁରି ଅନେକ ବିଜେଡି ଛାଡି ବିଜେପିରେ ମିଶିବା ପାଇଁ ଯୋଜନା ଚାଲିଥିବା କୁହାଯାଉଛି । ଏହାକୁ ନେଇ ଆଜି ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଛି ।
ଏ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିଜେପି ସମୁଦ୍ର । ଏଥିରେ ନଦୀମାନେ ମିଶିବେ । ମିଶ୍ରଣ ଏକ ପ୍ରକ୍ରିୟା । ଏହା ସବୁବେଳେ ଚାଲିଥାଏ । ଆମେ ୧୦ ପ୍ରତିଶତରୁ ବଢି ବଢି ୪୦ ପ୍ରତିଶତରେ ପହଞ୍ଚିଛୁ । ଯେଉଁମାନେ ଆମ ବିଚାରଧାରା, କାର୍ୟ୍ୟଶୈଳୀକୁ ଭଲ ପାଇବେ ଆମ ସହ ଆସି ମିଶିବେ ।
କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ କଟାକ୍ଷ କରି କହିଛନ୍ତି, ବିଜେପି ଏବଂ ବିଜେଡି ଦୁଇ ଦଳ ମିଶିକରି ଅଛନ୍ତି ଏବଂ ରହିବେ ଝ ୨୦୨୪ ନିର୍ବାଚନରେ ସେମାନେ ପ୍ଲାନ୍ କରିଥିଲେ ଜଣେ ବିଧାୟକ ନେବ ଆଉ ଜଣେ ସାଂସଦ ନେବ । ଏହା ଅଘୋଷିତ ଚୁକ୍ତି ଥିଲା ସେମାନଙ୍କର । ଏବେ ବିଜେପି ସରକାରରେ ଅଛି ସେମାନେ ବିଜେଡିକୁ କ୍ଷତି କରିବ । ଗୋଟେ ସମୟରେ ବିଜେଡି ସମୁଦ୍ର ହୋଇଥିଲା ବିଜେପି ନଦୀ ହୋଇ ରହିଥିଲା ବର୍ତ୍ତମାନ ତାହା ଓଲଟା ହୋଇଗଲ । କିନ୍ତୁ କଂଗ୍ରେସ ହେଉଛି ମହାସମୁଦ୍ର । ଏଠି ବିଜେପି ପଶି ପାରିବ ନାହିଁ । ତାଙ୍କ ଭିତରେ ସଲା ସୁତୁରା ଅଛି ।
Comments ସମସ୍ତ ମତାମତ