ଭୁବନେଶ୍ୱର: ଲମ୍ବୁଛି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଚୟନ ପ୍ରକ୍ରିୟା । ଚୟନ କମିଟି ଗସ୍ତର ପାଖାପାଖି ଦୁଇ ସପ୍ତାହ ପରେ ବି ଏଆଇସିସିକୁ ରିପୋର୍ଟ ଦେଇନି । ୨୩ ତାରିଖ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ପରେ ରିପୋର୍ଟ ଦାଖଲ କରିବ ବୋଲି ସୂଚନା ମିଳିଛି । ଯାହାକୁ ନେଇ ପିସିସି ସଭାପତି ନିଯୁକ୍ତି ଆହୁରି ବିଳମ୍ବ ହେବ ବୋଲି ଲାଗୁଛି । ଆସନ୍ତା ଡିସେମ୍ବରରେ ନୂଆ ପିସିସି ସଭାପତି ମିଳିପାରେ ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି ।
ପିସିସି ସଭାପତି ଚୟନ ପାଇଁ ଗତ ୪ ତାରିଖରେ ପର୍ୟ୍ୟବେକ୍ଷକ ଭାବେ ବରିଷ୍ଠ ନେତା ଚରଣଦାସ ମହନ୍ତ ଓ ମୀନାକ୍ଷି ନଟରାଜନ ଓଡ଼ିଶା ଆସିଥିଲେ । କଂଗ୍ରେସ ଭବନରେ ନେତାମାନଙ୍କୁ ଭେଟିବା ସହ ଜଣ ଜଣ କରି ମଧ୍ୟ ପଚାରିଥିଲେ । ମାତ୍ର ଚୂଡ଼ାନ୍ତ ରିପୋର୍ଟ ଦାଖଲ ହୋଇପାରୁନଥିବାରୁ ପିସିସି ସଭାପତି ଚୟନ ଅଟକିଛି ।
ପିସିସି ସଭାପତି ଦୌଡ଼ରେ ଏବେ ୬ରୁ ଅଧିକ ନେତାଙ୍କ ନାମ ଚର୍ଚ୍ଚା ହେଉଛି । ସାଂସଦ ସପ୍ତଗିରି ଉଲାକାଙ୍କ ନାମ ସବୁଠୁ ଆଗରେ । ହେଲେ ତାଙ୍କ ଜିଲ୍ଲାରୁ କଂଗ୍ରେସ ବିଧାୟକ ଦଳ ନେତା ଭାବେ ରାମଚନ୍ଦ୍ର କାଡାମଙ୍କୁ ନିଯୁକ୍ତି ମିଳିଥିବାରୁ ପୁଣି ସପ୍ତଗିରିଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଆଶା କ୍ଷୀଣ । କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନାମ ଚର୍ଚ୍ଚାରେ ରହିଛି । ପ୍ରଭାରୀ ଅଜୟ କୁମାରଙ୍କ ନିର୍ବାଚନ ପ୍ରଚାର ବେଳେ ଅଧିକାଂଶ ସମୟରେ ତାଙ୍କୁ ଦେଖିବାକୁ ମିଳିଥିଲା । ତେଣୁ ସେ ପରବର୍ତ୍ତୀ ପିସିସି ସଭାପତି ହୋଇପାରନ୍ତି ବୋଲି କଂଗ୍ରେସର ଗୋଟିଏ ଗୋଷ୍ଠୀ ଦାବି କରୁଛନ୍ତି ।
Comments ସମସ୍ତ ମତାମତ