ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିôଲେ କଂଗ୍ରେସନେତା ଚରଣ ଦାସ ମହନ୍ତ । ପିସିସି ଚୟନ କମିଟି ମୁଖ୍ୟ ତଥା ବରିଷ୍ଠ ନେତା ଚରଣ ଦାସ ମହନ୍ତ ଭୁବନେଶ୍ୱରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୁଁ ଆସିଛି, ସବୁ ବରିଷ୍ଠ ନେତାମାନଙ୍କୁ ଭେଟିବି, ଶୁଣିବି । ସମସ୍ତଙ୍କ ମତାମତ ଯାହା ଆସିବ ତାହାକୁ ମୁଁ ଉପରେ ଜଣାଇବି । ସେହିପରି ଆପଣଙ୍କ ପାଖରେ ନେତାଙ୍କ ଲବି ହେଉଥିଲା କି ପ୍ରଶ୍ନର ଉତ୍ତରରେ ଚରଣ ଦାସ ମହନ୍ତ କହିଛନ୍ତି ଯେ ମୋ ପାଖରେ ଲବି କାମ କରିବନି । ମୁଁ ବିନା ଲବିର ଲୋକ ବୋଲି ଶ୍ରୀ ମହନ୍ତ କହିଛନ୍ତି ।
ପ୍ରକାଶ ଯେ ପିସିସି ସଭାପତି ମନୋନୟନ ନେଇ ପ୍ରଦେଶ କଂଗ୍ରେସ ନେତାଙ୍କ ପାଖରୁ ମତାମତ ଲୋଡିବେ ଛତିଶଗଡ କଂଗ୍ରେସ ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ । ତାଙ୍କୁ ସହାୟତା କରିବା ପାଇଁ ଏଆଇସିସି ଦ୍ବାରା ନିଯୁକ୍ତ ମୀନାକ୍ଷୀ ନଟରାଜନ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉଭୟ ନେତା ମଧ୍ୟାହ୍ନରେ କଂଗ୍ରେସ ଭବନରେ ପ୍ରଥମେ ଷ୍ଟିୟରିଂ କମିଟି ସଦସ୍ୟଙ୍କୁ ନେଇ ବୈଠକ କରିବେ। ପରେ ଷ୍ଟିୟରିଂ କମିଟି ସଦସ୍ୟଙ୍କ ପାଖରୁ ଜଣ ଜଣ କରି ପିସିସି ସଭାପତି ମନୋନୟନ ସଂକ୍ରାନ୍ତରେ ମତାମତ ଲୋଡିବେ। ଏହାପରେ କଂଗ୍ରେସ ବିଧାୟକ, ବିଧାୟକ ପ୍ରାର୍ଥୀ, ସାଂସଦ, ସାଂସଦ ପ୍ରାର୍ଥୀ, ଜିଲା ସଭାପତି ଏବଂ ବ୍ଲକସ୍ତରୀୟ ନେତାଙ୍କୁ ଭେଟିବା କାର୍ୟ୍ୟକ୍ରମ ରହିଛି। ପିସିସି ସଭାପତି ଘୋଷଣା ପୂର୍ବରୁ ତାଲିକାରେ ଥିବା ଆଶାୟୀମାନେ ନିଜ ନିଜ ସମର୍ଥନ ଯୋଗାଡରେ ଲାଗି ପଡିଛନ୍ତି।
Comments ସମସ୍ତ ମତାମତ