ଭୁବନେଶ୍ବର: ସୌମ୍ୟ-ବିଜେଡି ବିବାଦ ମଧ୍ୟରେ ସୌମ୍ୟଙ୍କ ସମର୍ଥନରେ ବାହାରିଛି କଂଗ୍ରେସ । କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମୁଖପାତ୍ର ଆର୍ୟ୍ୟ କୁମାର ଜ୍ଞାନେନ୍ଦ୍ର । ସୌମ୍ୟଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଆର୍ୟ୍ୟ । ଏପରିକି ସୌମ୍ୟଙ୍କ ପାଇଁ କଂଗ୍ରେସ ଦ୍ବାର ଏବେ ମଧ୍ୟ ଖୋଲା ଅଛି ବୋଲି କହି ସୌମ୍ୟଙ୍କୁ ପରୋକ୍ଷରେ ଦଳକୁ ନିମନ୍ତ୍ରଣ କରିଛନ୍ତି ଦଳୀୟ ମୁଖପାତ୍ର ଆର୍ୟ୍ୟ କୁମାର ଜ୍ଞାନେନ୍ଦ୍ର ।
ସେ କହିଛନ୍ତି, "ଯେଉଁ ବିଧାୟକ ଓ ମନ୍ତ୍ରୀ ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ କହୁଛନ୍ତି ସେମାନଙ୍କର ଖାତା କି ଖାତିୟାନ ନାହିଁ । ସେମାନଙ୍କ ପରିଚୟ କଣ ? ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ କଥାରେ ଏମାନେ କହୁଛନ୍ତି । ସୌମ୍ୟ ଗୋଟିଏ ହିମାଳୟ ପର୍ବତ । ତାଙ୍କ ଉପରକୁ ଟେକା ଫିଙ୍ଗିଲେ କିଛି ପ୍ରଭାବ ପଡିବ ନାହିଁ । ସୌମ୍ୟ ପଟ୍ଟନାୟକ କେବେ ପଦପଦବୀ ପଛରେ ଗୋଡ଼ାନ୍ତି ନାହିଁ । ତାହା ହୋଇଥିଲେ ଜାନକୀ ପଟ୍ଟନାୟକଙ୍କ ଅମଳରେ ସେ ଅନେକ ପଦପଦବୀରେ ରହିଥାନ୍ତେ । ବିଜେଡି ନେତା ଯେଉଁ ଅଭିଯୋଗ ଆଣୁଛନ୍ତି ଶରତ ଓ ସୌମ୍ୟ ମିଶି କଂଗ୍ରେସକୁ ଦୁର୍ବଳ କରୁଛନ୍ତି, ସେମାନଙ୍କର ଖାତା କି ଖାତିୟାନ ନାହିଁ ।"
ସୌମ୍ୟଙ୍କୁ ପୁଣିଥରେ କଂଗ୍ରେସକୁ ଆମନ୍ତ୍ରଣ ଆଳରେ ସେ କଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ସେ କହିଛନ୍ଚି. "କଂଗ୍ରେସକୁ ଯେଉଁମାନେ ଆସିବେ କାହାକୁ ମନା ନାହିଁ । ବିଜୁ ଜନତା ଦଳର ନେତୃବର୍ଗ ଆଜି ହତୋତ୍ସାହ ହୋଇପଡ଼ିଛନ୍ତି । ରାଜ୍ୟରେ କଂଗ୍ରେସର ଜନାଦ୍ରୁତି ତାଙ୍କ ପାଇଁ କାଳ ସାଜିବାକୁ ବସିଲାଣି । ସେଥିପାଇଁ ଗଣମାଧ୍ୟମରେ ବାଉଳି ଚାଉଳି ହେଉଛନ୍ତି । ରାଜ୍ୟରେ କଂଗ୍ରେସ ବିଜେପିକୁ ଶକ୍ତିଶାଳୀ କରୁଛି ବୋଲି ଯେଉଁ ଉକ୍ତି ରଖିଛନ୍ତି, ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ବାଚାଳାମି ଛଡ଼ା ଅନ୍ୟ କିଛି ନୁହେଁ । ସୌମ୍ୟ ବାବୁଙ୍କର ଅବଦାନ ବହୁତ ଅଛି । ହିମାଳୟକୁ ଟେକା ମାରିଲେ ହିମାଳୟର କିଛି କ୍ଷତି ହୁଏ ନାହିଁ । ଟେକା ମାରୁଥିବା ଲୋକଟି ହାସ୍ୟାସ୍ପଦ ହୁଏ ।"
Comments ସମସ୍ତ ମତାମତ