ମୁଖ୍ୟ ଖବର
ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ସିଏମ୍-କିଷାନ (ରବି ୨୦୨୬-୨୭) ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଏହି ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ଏହି ଯୋଜନା ମାଧ୍ୟମରେ ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର, ନାମମାତ୍ର, ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ (ପିଭିଟିଜି) ଏବଂ ଭୂମିହୀନ କୃଷକ ପରିବାର ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ। ମୋଟ ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଅନ୍ୟ ବ୍ୟକ୍ତିବିଶେଷ ଯୋଗଦେବେ।
ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଅନ୍ୟ ମନ୍ତ୍ରୀମାନେ ଯୋଗଦେଇ ସିଏମ୍-କିଷାନ କିସ୍ତି ପ୍ରଦାନ କରିବେ। ଖୋରଧାରେ ସୁରେଶ ପୂଜାରୀ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର, କଳାହାଣ୍ଡିରେ ଡ. ମୁକେଶ ମହାଲିଙ୍ଗ, ଗଞ୍ଜାମରେ ବିଭୂତି ଭୂଷଣ ଜେନା, କଟକରେ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, କେନ୍ଦୁଝରରେ ଗଣେଶ ରାମସିଂ ଖୁଣ୍ଟିଆ, ଭଦ୍ରକରେ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରେ ପ୍ରଦୀପ ବଳସାମନ୍ତ, ପୁରୀରେ ଗୋକୁଳାନନ୍ଦ ମଲ୍ଲିକ ଏବଂ ଜଗତସିଂହପୁରରେ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।
Comments ସମସ୍ତ ମତାମତ