Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଜୀଙ୍କ ରକ୍ତର ପ୍ରତ୍ୟେକ ଟୋପାକୁ ନ୍ୟାୟ ମିଳିବ: ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Aug 22, 2026    Views: 2882

    ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଜୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଅନୁଗୋଳ ଜିଲ୍ଲା ତାଳଚେର ନିକଟସ୍ଥ ଗୁରୁଜାଙ୍ଗଠାରେ ଆୟୋଜିତ ମହୋତ୍ସବରେ ଯୋଗଦେଇ  ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ସ୍ୱାମୀଜୀଙ୍କ ସ୍ମୃତିପୂତ ପବିତ୍ର ଗୁରୁଜାଙ୍ଗ ଗ୍ରାମକୁ ‘ଐତିହ୍ୟ ଗ୍ରାମ’  ଭାବେ ଗଢ଼ିତୋଳାଯିବା ସହ ଗୁରୁଜାଙ୍ଗ ପଞ୍ଚାୟତକୁ ‘ଆଦର୍ଶ ପଞ୍ଚାୟତ’ ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କେବଳ ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଏକ ମହାନ ଆଦର୍ଶ, ଅଲୌକିକ ଅନୁଷ୍ଠାନ ଓ ସନାତନ ଧର୍ମର ଦୀପ୍ତିମନ୍ତ ମାର୍ଗଦର୍ଶକ। ଆଜିର ଆଧୁନିକ ଯୁଗରେ ସୁଖ-ସୁବିଧା ତ୍ୟାଗ କରି ସେ କନ୍ଧମାଳର ଦୁର୍ଗମ ଓ ଘଞ୍ଚ ଜଙ୍ଗଲରେ ରହି ଅସହାୟ ବନବାସୀଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେଠାରେ ଚକାପାଦ ଓ ଜଲେଶପଟ୍ଟା ଆଶ୍ରମ ଏବଂ କନ୍ୟା ଗୁରୁକୁଳ ପ୍ରତିଷ୍ଠା କରି ବନବାସୀ ଝିଅମାନଙ୍କୁ ସଂସ୍କୃତ ଶିକ୍ଷା ଓ ସଂସ୍କାରରେ ସ୍ୱାବଲମ୍ବୀ କରି ଗଢ଼ିତୋଳିଥିଲେ। ତାଙ୍କ ଦ୍ୱାରା ବୁଣାଯାଇଥିବା ସଂସ୍କୃତିର ମଞ୍ଜି ଆଜି ମହାଦ୍ରୁମରେ ପରିଣତ ହୋଇଛି ଏବଂ ଧର୍ମାନ୍ତରୀକରଣ ବିରୋଧରେ ସେ ଆରମ୍ଭ କରିଥିବା ସଚେତନତା ସମଗ୍ର ରାଜ୍ୟରେ ଏକ ଜାଗ୍ରତ ସନାତନୀ ସଙ୍କଳ୍ପ ଭାବେ ଛିଡ଼ା ହୋଇଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହେଉଛନ୍ତି ଆମ ସମାଜର 'ଗୁରୁ, ଗ୍ରନ୍ଥ ଏବଂ ଗରିମା' ବୋଲି ସେ କହିଥିଲେ।ସ୍ୱାମୀଜୀଙ୍କ ଅତୁଳନୀୟ ତ୍ୟାଗ ଓ ସେବାକୁ ସମ୍ମାନ ଜଣାଇ ରାଜ୍ୟ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ‘ଫୁଲବାଣୀ ସରକାରୀ ମେଡିକାଲ କଲେଜ’କୁ ‘ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମେଡିକାଲ କଲେଜ’ ଭାବେ ନାମିତ କରାଯାଇଛି। ଏହାସହ ସ୍ୱାମୀଜୀଙ୍କ କର୍ମପୀଠ ଜଲେଶପଟ୍ଟା ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମର ବିକାଶ ଏବଂ ଐତିହ୍ୟ ସଂରକ୍ଷଣ ପାଇଁ 'ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା' (CMSA) ପାଣ୍ଠିରୁ ୧୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିମଧ୍ୟରୁ ୫ କୋଟି ଟଙ୍କା ବିନିଯୋଗରେ ଛାତ୍ରୀମାନଙ୍କ ପାଇଁ ୩୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ, ୩ କୋଟି ଟଙ୍କାରେ ଐତିହ୍ୟ ସ୍ଥଳର ସଂରକ୍ଷଣ ଏବଂ ପାନୀୟ ଜଳ ଯୋଗାଣ ପାଇଁ ଏକ ମେଗା ରିଭର ଲିଫ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।

    ୨୦୦୮ ମସିହା ଜନ୍ମାଷ୍ଟମୀ ରାତ୍ରିରେ ସ୍ୱାମୀଜୀଙ୍କ ନିର୍ମମ ହତ୍ୟାକାଣ୍ଡକୁ ମନେପକାଇ ମୁଖ୍ୟମନ୍ତ୍ରୀ ତତ୍କାଳୀନ ସରକାରଙ୍କ ବିଫଳତା, ଅବହେଳା ଓ ତୁଷ୍ଟୀକରଣ ରାଜନୀତିକୁ କଡ଼ା ସମାଲୋଚନା କରିଛନ୍ତି। ସ୍ୱାମୀଜୀଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠିତ ଜଷ୍ଟିସ୍ ମହାପାତ୍ର କମିଶନ୍ ଏବଂ ଜଷ୍ଟିସ୍ ନାଇଡୁ କମିଶନ୍‌ଙ୍କ ରିପୋର୍ଟ ଓ ଫାଇଲ୍ ଲୋକସେବା ଭବନରୁ ଗାଏବ ହେବା ଅପରାଧୀଙ୍କୁ ବଞ୍ଚାଇବାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏହି ମଞ୍ଚରୁ ମୁଖ୍ୟମନ୍ତ୍ରୀ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ଦୃଢ଼ ଆଶ୍ୱାସନା ଦେଇଛନ୍ତି ଯେ, ସ୍ୱାମୀଜୀଙ୍କ ରକ୍ତର ପ୍ରତ୍ୟେକ ଟୋପାକୁ ନ୍ୟାୟ ମିଳିବ ଏବଂ ସତ୍ୟର ଉନ୍ମୋଚନ ନିଶ୍ଚିତ ହେବ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ସଦାସର୍ବଦା ସ୍ୱାମୀଜୀଙ୍କ ସେବା ଓ ସନାତନୀ ନିଷ୍ଠାକୁ ଗଭୀର ସମ୍ମାନ ଜଣାଇ ଆସିଥିବା କଥା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋଦୀଜୀଙ୍କ ‘ସବ୍‌କା ସାଥ୍, ସବ୍‌କା ବିକାଶ’ ଆଦର୍ଶ ଭିତରେ ସ୍ୱାମୀଜୀଙ୍କ ଅନ୍ତ୍ୟୋଦୟ ବିଚାରଧାରା ହିଁ ନିହିତ ରହିଛି। ଶେଷରେ ଆଜିର ଯୁବପିଢ଼ି (Gen Z) ନିଜର ମୂଳ ଶିକ୍ଷା, ସଂସ୍କୃତି, ବେଦ, ସଂସ୍କୃତ, ଗୋ-ସଂରକ୍ଷଣ ଓ ସନାତନୀ ପରମ୍ପରା ସହ ଯୋଡ଼ିହୋଇ ଦେଶଭକ୍ତି ଓ ସାହସର ସହ ସମାଜ ଗଠନରେ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। 

    ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଧ୍ୟାତ୍ମିକ ଓ ସାମାଜିକ ଅବଦାନର ସ୍ମୃତିଚାରଣ କରିବା ସହ ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବାକୁ ସମାଜକୁ ଆହ୍ୱାନ ଦେଇଥିଲେ। ଆଜିର ଯୁବ ସମାଜ ନିଜ ମୂଳ ଶିକ୍ଷା, ନୈତିକତା ଓ ସନାତନ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ସ୍ୱାମୀଜୀଙ୍କ ତ୍ୟାଗ ଓ ସଂଗ୍ରାମରୁ ପ୍ରେରଣା ନେବା ଆବଶ୍ୟକ। ବୋଲି ସେ କହିଥିଲେ।

    ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏହି ସମାରୋହରେ ଯୋଗଦେଇ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଜୀଙ୍କ ଜନ୍ମପୀଠ ଗୁରୁଜାଙ୍ଗକୁ ‘ଐତିହ୍ୟ ଗ୍ରାମ’ ଏବଂ ଗୁରୁଜାଙ୍ଗ ପଞ୍ଚାୟତକୁ ‘ଆଦର୍ଶ ପଞ୍ଚାୟତ’ ଭାବେ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ଯୁଗାନ୍ତକାରୀ ନିଷ୍ପତ୍ତି ସ୍ୱାମୀଜୀଙ୍କ ଅମର ସ୍ମୃତି ପ୍ରତି ଏକ ଯଥାର୍ଥ ସମ୍ମାନ ଏବଂ ଏହା ଦ୍ୱାରା ଅଞ୍ଚଳର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗୌରବ ଆହୁରି ବୃଦ୍ଧି ପାଇବ।

    ​ନିଜ ବକ୍ତବ୍ୟରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାମୀଜୀ କେବଳ ଜଣେ ସନ୍ନ୍ୟାସୀ ନଥିଲେ, ସେ ଥିଲେ ବନବାସୀ ଅଞ୍ଚଳରେ ଶିକ୍ଷା, ସଂସ୍କାର ଓ ସାମାଜିକ ଜାଗରଣର ମୁଖ୍ୟ ପୁରୋଧା। କନ୍ଧମାଳ ଭଳି ଦୁର୍ଗମ ଅଞ୍ଚଳରେ ରହି ବନବାସୀ ଭାଇଭଉଣୀଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କ ଆତ୍ମସମ୍ମାନକୁ ଫେରାଇ ଆଣିବାରେ ତାଙ୍କର ଯୋଗଦାନ ଅତୁଳନୀୟ।

    ​ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ସ୍ୱାମୀଜୀ ଜଲେଶପଟ୍ଟା ଓ ଚକାପାଦ ଆଶ୍ରମ ମାଧ୍ୟମରେ ବନବାସୀ କନ୍ୟାମାନଙ୍କୁ ସଂସ୍କୃତ ଶିକ୍ଷା ଓ ନୈତିକ ମୂଲ୍ୟବୋଧରେ ଦୀକ୍ଷିତ କରି ଯେଉଁ ସାମାଜିକ ବିପ୍ଲବ ଆରମ୍ଭ କରିଥିଲେ, ତାହା ଆଜିର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ। ରାଜ୍ୟ ସରକାରଙ୍କ ଦ୍ୱାରା ଗୁରୁଜାଙ୍ଗର ବିକାଶ ପାଇଁ ନିଆଯାଇଥିବା ଏହି ପଦକ୍ଷେପ ସ୍ୱାମୀଜୀଙ୍କ ଆଦର୍ଶ ଓ ସେବା ମନୋଭାବକୁ ଆଗକୁ ନେବାରେ ସହାୟକ ହେବ।

    ଏହି ପବିତ୍ର ଜନ୍ମ ଶତବାର୍ଷିକୀ ମହୋତ୍ସବରେ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ, ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି ଏବଂ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ସ୍ୱାମୀ ଜୀବନ ମୁକ୍ତାନନ୍ଦ ଜୀ, ସ୍ୱାମୀ ସଚ୍ଚିଦାନନ୍ଦ ଜୀ ମହାରାଜ, ଙ୍କ ସମେତ ବହୁ ସାଧୁସନ୍ଥ, ମାନ୍ୟଗଣ୍ୟ ଅତିଥି ଓ ରାଜ୍ୟର କୋଣ-ଅନୁକୋଣରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook