ମୁଖ୍ୟ ଖବର
ଭୁବନେଶ୍ବର: ‘ଆମ ସରକାର ପ୍ରତିଶ୍ରୁତି ରକ୍ଷା କରି ନିୟମିତ ନିଯୁକ୍ତି ମେଳା କରୁଛନ୍ତି। ଆପଣମାନେ ନିଜ ଦକ୍ଷତା ଓ ପିତାମାତାଙ୍କ ଆଶୀର୍ବାଦ ବଳରେ ସରକାରୀ ନିଯୁକ୍ତି ପାଇଛନ୍ତି। ଏହି ସୁଯୋଗ ଦୁରୁପଯୋଗ କରିବା ବଦଳରେ ରାଜ୍ୟର ବିକାଶରେ ବିନିଯୋଗ କରନ୍ତୁ।’ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର କଳିଙ୍ଗ ଷ୍ଟାଡ଼ିୟମ୍ରେ ଆୟୋଜିତ ନିଯୁକ୍ତି ମେଳାକୁ ଉଦ୍ଘାଟନ କରି ୧୨ଟି ବିଭାଗରେ ୭ ହଜାର ୨୯୩ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବା ଅବସରରେ ଏହି ପରାମର୍ଶ ଦେଇଛନ୍ତି।
ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ଅଦ୍ୟାବଧି ୧୨ଟି ନିଯୁକ୍ତି ମେଳା କରି ୩୭ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି। ଆଗକୁ ଆହୁରି ନିଯୁକ୍ତି ସୃଷ୍ଟି ହେବ। ଆମ ଦେଶରେ ମାତ୍ର ୪% ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ପାଇଁ ସୁଯୋଗ ମିଳିଥାଏ। ତେଣୁ ଆପଣମାନେ ଦୁର୍ନୀତିକୁ ବିଷ ବା ଜହର ବିଷ ମନେ କରି ତାହାଠାରୁ ଦୂରରେ ରୁହନ୍ତୁ। ଆମ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି। କାହାକୁ ଛଡ଼ାଯାଉ ନାହିଁ।
ମୁଖ୍ୟମନ୍ତ୍ରୀ କହିଲେ, ନିକଟ ଅତୀତରେ ଅନେକ ଯୁବ ଅଧିକାରୀ ନିଯୁକ୍ତି ପାଇଲେ। ସେମାନଙ୍କ ମଧ୍ୟରୁ କିଛି ଅଧିକାରୀ ଦୁର୍ନୀତି ଆରମ୍ଭ କରିଦେଲେ। ଏବେ ସେମାନେ ଜେଲରେ। ସେମାନଙ୍କ ମଧ୍ୟରେ ୧ ନମ୍ବର ରାଙ୍କ୍ ରଖି ଅନେକଙ୍କ ପାଇଁ ଉଦାହରଣ ପାଲଟିଥିବା ଜଣେ ଯୁବ ଓଏଏସ୍ ଅଧିକାରୀ ଦୁର୍ନୀତି କରି ଜେଲ ଯାଇଛନ୍ତି। ଆଇଏଏସ୍ ଅଧିକାରୀ ମଧ୍ୟ ଏପରି ଘୃଣ୍ୟ କାମ କରି ଜେଲ ଯାଇଛନ୍ତି। କିଛି ଟଙ୍କା ପାଇଁ ସେମାନଙ୍କ ଭବିଷ୍ୟତ ନଷ୍ଟ ହୋଇଗଲା।
ଏହି ଘଟଣାକୁ ମନେ ରଖି ପ୍ରଥମ ଦିନରେ ହିଁ ଦୁର୍ନୀତିଠାରୁ ଦୂରେଇ ରହିବା ପାଇଁ ଶପଥ ନିଅନ୍ତୁ। ଆପଣଙ୍କ ପାଇଁ ଦେଶ କ’ଣ କରିପାରିବ ବୋଲି ପଚାରିବା ବଦଳରେ ଆପଣ ନିଜ ଦେଶ ପାଇଁ କ’ଣ କରିପାରିବେ ତାହା ନିଜକୁ ପଚାରନ୍ତୁ। ସମର୍ପଣ ଭାବ ନେଇ କର୍ତ୍ତବ୍ୟ ସମ୍ପାଦନ କରନ୍ତୁ। ଦୂରଦୃଷ୍ଟି ନେଇ କାମ କରି ନିଜ ଶ୍ରେଷ୍ଠତା ପ୍ରତିପାଦନ କରନ୍ତୁ। ସବୁ ଆହ୍ବାନର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ। ଲୋକଙ୍କ ବିଶ୍ବାସକୁ ଆହୁରି ସୁଦୃଢ଼ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। କାର୍ୟ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ରାଜ୍ୟର ବିକାଶ ପାଇଁ ନିଷ୍ଠାର ସହ କାମ କରିବା ପାଇଁ ଆହ୍ବାନ ଜଣାଇଥିଲେ।
ଆଜି ଗୃହ ବିଭାଗରେ ୧୯୭୯ କନଷ୍ଟେବଳ ଓ ୩୮୬ ଡ୍ରାଇଭର, ଗଣଶିକ୍ଷା ବିଭାଗରେ ୧୯୧୩ ସ୍ନାତକ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ୨୪୧ ଜଣ ପିଜିଟି, ଉଚ୍ଚଶିକ୍ଷା ବିଭାଗରେ କନିଷ୍ଠ ସହାୟକ, ୭ ଜଣ ପିଇଟି ଏବଂ ୩୧ ଜଣ ଲ୍ୟାବ୍ ଆସିଷ୍ଟାଣ୍ଟ, ପ୍ରାଣୀସମ୍ପଦ ବିଭାଗରେ ୨୪ ସହକାରୀ ମତ୍ସ୍ୟ ଅଧିକାରୀ ଏବଂ ୬୪୮ ପ୍ରାଣୀଧନ ନିରୀକ୍ଷକ, ସୂଚନା ଓ ଲୋକସମ୍ପର୍କ ବିଭାଗରେ ୩୯ ଜଣ ଉପଖଣ୍ଡ ସୂଚନା ଅଧିକାରୀ, ଖଣି ଓ ଭୂତତ୍ତ୍ୱ ନିର୍ଦେଶାଳୟରେ ୧୪ ଜଣ କନିଷ୍ଠ ରସାୟନବିତ୍, ପରିବହନ ବିଭାଗରେ ୧୭ ଜଣ କନିଷ୍ଠ ଷ୍ଟେନୋଗ୍ରାଫର୍, ଜଙ୍ଗଲ ଓ ପରିବେଶ ବିଭାଗରେ ୧୫୦୪ ଫରେଷ୍ଟଗାର୍ଡ ଓ ୨୪୬ ଫରେଷ୍ଟର, କୃଷି ବିଭାଗରେ ୧୧୭ ସହକାରୀ କୃଷି ଅଧିକାରୀ, ଶ୍ରମ ବିଭାଗରେ ୧୫ ପାରାମେଡିକ୍ସ ଷ୍ଟାଫ୍, ଜଳସମ୍ପଦ ବିଭାଗରେ ୩୬ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ, ଆଡଭୋକେଟ୍ ଜେନେରାଲଙ୍କ କାର୍ୟ୍ୟାଳୟ ପାଇଁ ୪୦ ଜଣ ଷ୍ଟେନୋଗ୍ରାଫର ନିଯୁକ୍ତି ପାଇଛନ୍ତି।
Comments ସମସ୍ତ ମତାମତ