ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସାମୁହିକ ଦାୟିତ୍ୱ ସହ କାମ କରି ସରକାରଙ୍କ କାର୍ୟ୍ୟକ୍ରମ ଗୁଡିକ ସଫଳ କରିବାକୁ ପରାମର୍ଶ ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଡଃ ମନମୋହନ ସିଂହଙ୍କ ପରଲୋକ ଯୋଗୁଁ ରାଷ୍ଟ୍ରୀୟ ଶୋକ ପାଳନ ତଥା ଚାଷୀ ମାନଙ୍କ ଅଦିନିଆ ବର୍ଷା ଜନିତ ଫସଲ ହାନୀ ପାଇଁ ମୁଖ୍ୟମନ୍ତ୍ରୀ ନୂଆ ବର୍ଷକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ, ଆଜି ଅଧିକାରୀ ଓ କର୍ମଚାରୀ ମାନେ ବିନା ଫୁଲରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଛଅ, ସାତ ମାସ ମଧ୍ୟରେ ଆମ ସରକାର ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପ୍ରାୟତଃ ପୂରଣ ହୋଇଛି । ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପ୍ରମୁଖ ସଚିବ ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଧିକାରୀ ମାନଙ୍କ ସହଯୋଗରେ ବିଭିନ୍ନ ଜାତୀୟ ସ୍ତରୀୟ କାର୍ୟ୍ୟକ୍ରମ ମଧ୍ୟ ସଫଳତାର ସହ କରାଯାଇଛି। ତେଣୁ, ଓଡିଶା ଅନ୍ୟ ରାଜ୍ୟ ଠାରୁ ଯେପରି ଭଲ ପ୍ରଦର୍ଶନ କରିବ ସେ ଦିଗରେ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ସେ କହିଥିଲେ ଯେ, ଆମ ପାଖରେ ଅନେକ ଆହ୍ୱାନ ରହିଛି ଓ ସୁଯୋଗ ମଧ୍ୟ ରହିଛି । ସାମୁହିକ ଦାୟିତ୍ୱ ନେଇ ସବୁ ଆହ୍ୱାନର ମୁକାବିଲା କରିପାରିଲେ ସମସ୍ତ କାର୍ୟ୍ୟ ସଫଳତାର ସହ କରାଯାଇ ପାରିବ ।ପ୍ରବାସୀ ଭାରତୀୟ ଦିବସ ପାଳନ କାର୍ୟ୍ୟକ୍ରମକୁ ସଫଳତାର ସହ ଆୟୋଜନ କରି ଅନ୍ତର୍ଜାତୀୟ ସ୍ତରରେ ଓଡିଶାର ମର୍ୟ୍ୟାଦାକୁ ପ୍ରତିଷ୍ଠିତ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଓଡିଶାର ବିକାଶ ପ୍ରତି ସ୍ୱତନ୍ତ୍ର ଫୋକସ ରହିଛି । ଗତ ଛଅ ମାସ ମଧ୍ୟରେ ତିନି ଥର ଆସିବା ସହିତ ଜାନୁଆରୀ ମାସରେ ଦୁଇ ଥର ଆସିବାର କାର୍ୟ୍ୟକ୍ରମ ରହିଛି । ଓଡିଶାକୁ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରର ସହଯୋଗ ଜାରି ରହିଛି । ତେଣୁ, ଏହି ସୁଯୋଗର ମଧ୍ୟ ସଦବ୍ୟବହାର କରି ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ଦିଗରେ ଆଗେଇବାକୁ ସେ ପରାମର୍ଶ ଦେଇଥିଲେ ।
Comments ସମସ୍ତ ମତାମତ