ଭୁବନେଶ୍ବର: ବିଜେପି ପକ୍ଷରୁ ଆୟୋଜିତ ସମବାୟ ସପ୍ତାହ ପାଳନ ଉତ୍ସବରେ ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚେତାବନୀ । କହିଲେ,"ଚାଷୀଙ୍କ ସ୍ୱାର୍ଥରେ ବାଧା ଆସିଲେ କ୍ଷମା ନାହିଁ, ଜେଲ ପଠାଯିବ । ଡିସେମ୍ବର ୮ ତାରିଖରେ ସୋହେଲାରେ ୫୦ ହଜାର ଚାଷୀ ଏକାଠି ହେବେ । ଏଥର କଟନୀ ଛଟନୀ ବନ୍ଦ ।"ରାଜ୍ୟ କାର୍ୟ୍ୟାଳୟରେ ସମବାୟ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,"ଗତ ସରକାରରେ ଚାଷୀଙ୍କୁ ଅନ୍ୟାୟ ଓ ଶୋଷଣ କରାଯାଇଛି । କୋପରେଟିଭ ସଂସ୍ଥାକୁ କରପସନ ସଂସ୍ଥାରେ ପରିଣତ କରିଥିଲେ ପୂର୍ବ ବିଜେଡ଼ି ସରକାର । ଯେଉଁ ଦୁର୍ନୀତି ଓ ଭ୍ରଷ୍ଟାଚାର ହୋଇଥିଲା । କେମିତି ଦୁର୍ନୀତି ଯୁକ୍ତ ବିଭାଗରୁ ଦୁର୍ନୀତି ବନ୍ଦ କରି ସେବା ଦିଆଯିବ ,ଏହା ଉପରେ ବିଜେପି ସରକାର ଗୁରୁତ୍ବ ଦେଉଛନ୍ତି ।"ସେ ଆହୁରି ମଧ୍ୟ କହିଛନ୍ତି,"ଢୋଲ ଭିତରେ ମୂଷା ଭଳି କିଛି ଲୋକ ବିଶୃଙ୍ଖଳା କରିବା ପାଇଁ ଅଛନ୍ତି । ଯେଉଁମାନେ ଦୁର୍ନୀତି କରିବେ ସେମାନଙ୍କୁ ସରକାର ଚିହ୍ନଟ କରିବେ । ଚାଷୀଙ୍କ ସ୍ୱାର୍ଥରେ ବାଧା ଦେଲେ କ୍ଷମା ନୁହେଁ, ଜେଲ ପଠାଯିବ । ପୂର୍ବ ସରକାର ଭୋଟ ବ୍ୟାଙ୍କ୍ ପାଇଁ ଚାଷୀଙ୍କୁ ଧାନ ଏମଏସପି ଉପରେ ୧୦୦ ଟଙ୍କା ବୋନସ ଘୋଷଣା କରିଥିଲେ । କିନ୍ତୁ ଚାଷୀଙ୍କୁ ଗୋଟିଏ ଟଙ୍କା ବୋନସ ଦେଲେ ନାହିଁ । ବିଜେପି ସରକାର ଚାଷୀଙ୍କୁ ୮୦୦ ଟଙ୍କା ବୋନସ ଦେବେ । ୨୩୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଇବେ, ଏହାସହ ୮୦୦ ଟଙ୍କା ଇନପୁଟ ସବସିଡି ଦେବ ବିଜେପି ସରକାର । ଡିସେମ୍ବର ୮ ତାରିଖରେ ସୋହେଲାରେ ୫୦ ହଜାର ଚାଷୀ ଏକାଠି ହେବେ । ଏଥର କଟନୀ ଛଟନୀ ହେବ ନାହିଁ, ବନ୍ଦ ହେବ । ସେଥିପାଇଁ ଚାଷୀ ମାନେ ଏଫଏକ୍ୟୁ ମାନର ଧାନ ଦେବେ । ଧାନ କିଣାରେ ଯେମିତି କିଛି ବ୍ୟତିକ୍ରମ ନହେବ, ଏଥିପାଇଁ ଜିଲ୍ଲାପାଳ ମାନଙ୍କୁ ତାଗିଦ ଏବଂ ନିର୍ଦ୍ଦେଶ ଦିଆଯାଇଛି । "
Comments ସମସ୍ତ ମତାମତ