ହାଇଦ୍ରାବାଦ: ଏସିଆ କପ ପରେ ଦିନିକିଆ ବିଶ୍ବକପ ସ୍କ୍ବାଡରୁ ବାଦ ପଡିଛନ୍ତି ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ। ଏପରି ସ୍ଥିତିରେ ସେ ଏକ ବଡ ପଦକ୍ଷେପ ନେଇଛନ୍ତି । ବିଦେଶ ଲିଗ ମ୍ୟାଚରେ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ଭାରତୀୟ କ୍ରିକେଟର । କାଉଣ୍ଟି କ୍ରିକେଟ ଖେଳିବେ ଚହଲ । କେଣ୍ଟ କାଉଣ୍ଟି କ୍ଲବ ପାଇଁ ସେ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବେ । ଏନେଇ କେଣ୍ଟ ପକ୍ଷରୁ ସେ ଚୁକ୍ତି କରିଛନ୍ତି ।
ପୂର୍ବରୁ ବାମହାତୀବୋଲର ଅର୍ଶଦୀପ ସିଂ ଜୁନ୍ ଏବଂ ଜୁଲାଇରେ କାଉଣ୍ଟି ଚାମ୍ପିଅନସିପ୍ ପ୍ରତିଯୋଗିତାରେ କ୍ଲବ ପାଇଁ ଖେଳିଥିଲେ । ମୋଟ ଆଠ ଇନିଂସରେ ସେ ୧୩ ୱିକେଟ୍ ନେଇଥିଲେ । ସେହିପରି ମୁମ୍ବାଇର ଷ୍ଟାର କ୍ରିକେଟର ପୃଥ୍ବୀ ଶ' କାଉଣ୍ଟି କ୍ରିକେଟ ମଧ୍ୟ ଖେଳିଛନ୍ତି । ସେ ନର୍ଥମ୍ପଟନସାୟାର ପକ୍ଷରୁ ଖେଳିଥିଲେ । ୨୦୨୧ରେ ଇଂଲିଶ କାଉଣ୍ଟି କ୍ରିକେଟ ଲାଙ୍କାଶାୟର ଦଳରେ ସାମିଲ ହୋଇଥିଲେ ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟର । ରୟାଲ ଲଣ୍ଡନ କପ ୨୦୨୧ ଟୁର୍ଣ୍ଣାମେଣ୍ଟରେ ଲାଙ୍କାଶାୟର ପାଇଁ ଖେଳିଥିଲେ ଶ୍ରେୟସ ଆୟର । ଏକ ବିବୃତ୍ତିରେ ଚହଲ କହିଛନ୍ତି ଯେ, କାଉଣ୍ଟି କ୍ରିକେଟ ଖେଳିବା ମୋ ପାଇଁ ଏକ ଚ୍ୟାଲେଞ୍ଜ । ମୁଁ କାଉଣ୍ଟି ଖେଳିବାକୁ ଅପେକ୍ଷା କରିଛି ।
ଚଳିତ ବର୍ଷ ଭାରତ ପକ୍ଷରୁ ଚହଲ ମାତ୍ର ୨ଟି ଦିନିକିଆ ଖେଳି ୩ଟି ଓ୍ବିକେଟ ନେଇଥିଲେ । ଏସିଆ କପରେ ଚହଲଙ୍କୁ ସ୍ଥାନ ମିଳିନଥିବା ବେଳେ ଅକ୍ଟୋବର୫ ରେ ଆରମ୍ଭ ହେବାକୁ ଥିବା ଦିନିକିଆ ବିଶ୍ବକପରେ ମଧ୍ୟ ଚହଲଙ୍କୁ ସ୍ଥାନ ମିଳିନି । ଏପରି ସ୍ଥିତିରେ ସେ ବିଦେଶରେ କାଉଣ୍ଟି କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ।
Comments ସମସ୍ତ ମତାମତ