ମୁଖ୍ୟ ଖବର
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୧୧ ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ଅନ୍ତୋଦୟ ଗୃହ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଘର ଦେବେ ରାଜ୍ୟ ସରକାର। ହିତାଧିକାରୀଙ୍କୁ ଘର ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା। ପ୍ରାକୃତିକ ଏବଂ ମନୁଷ୍ୟକୃତ କ୍ଷତି ଏବଂ ବିସ୍ଥାପିତ ଲୋକଙ୍କୁ ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡୁଥିବା ଲୋକଙ୍କୁ ବି ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ପରି ଏହି ଯୋଜନାରେ ବୋନସ ବ୍ୟବସ୍ଥା ଅଛି। ୪ ମାସ ଭିତରେ ଘର କାମ ସାରିଲେ ୨୦ ହଜାର ଓ ୬ ମାସରେ ସାରିଲେ ୧୦ ହଜାର ବୋନସ ପ୍ରଦାନ କରାଯିବ। ଏହି ଯୋଜନାରେ ୭୫୫୦ କୋଟି ଖର୍ଚ୍ଚ କରିବେ ସରକାର।
ସେହିପରି କ୍ରୀଡା ଭିତ୍ତିଭୂମି ପାଇଁ ୩୧୪ ବ୍ଲକରେ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ। ଏଥି ପାଇଁ ସରକାର ନୂଆ ଯୋଜନା କରିଛନ୍ତି । ୧୨ ରୁ ୧୫ ଏକର ଜମିରେ ନିର୍ମାଣ ହେବ ଷ୍ଟାଡିୟନ। ଫୁଟବଲ, କ୍ରିକେଟ, ଆଥଲେଟ, ଅନ୍ୟାନ୍ୟ ଖେଳ ପାଇଁ ସୁବିଧା ରହିବ। ଆସନ୍ତା ୫ ବର୍ଷରେ ୪୧୨୪ କୋଟି ବ୍ୟୟରେ ଷ୍ଟାଡିୟମ ନିର୍ମାଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।
ରାଜ୍ୟରେ ଏକିକୃତ ପେନସନ ଯୋଜନାକୁ ଲାଗୁ ନେଇ କ୍ୟାବିନେଟ ନିଷ୍ପତି ହୋଇଛି। ଆଇନ ବିଭାଗରେ ନିଯୁକ୍ତି ପାଇଁ ୨୦୦୮ର ନିୟମ ସଂଶୋଧନ ହୋଇଥିବା ଜଣାପଡ଼ିଛି। ସେହିପରି ଅକ୍ଷୟ ଶକ୍ତି ୨୦୨୨ ନୀତିକୁ ସରଳିକରଣ ପାଇଁ ସଂଶୋଧିତ ହୋଇଛି।
୪ଟି ବଡ଼ ନଦୀରେ ବ୍ରିଜ ନିର୍ମାଣ ହେବ। ଭଦ୍ରକ ଚାନ୍ଦବାଲି ବୈତରଣୀ ନଦୀରେ ସେତୁ, ଆଡି ଓ ଚାନ୍ଦବାଲି ରାସ୍ତାରେ ସେତୁ, କଟକ ଚାନ୍ଦବାଲି ରାସ୍ତାର ଭାରିଗଡ଼ା ଠାରେ ସେତୁ ନିର୍ମାଣ ହେବ। ସେହିପରି ଝାରସୁଗୁଡା ଓ ବରଗଡ ମହାନଦୀ ଉପରେ ସେତୁ ନିର୍ମାଣ ହେବ। ୪ ବର୍ଷରେ କାମ ସାରିବାକୁ ସମୟ ଧାର୍ୟ୍ୟ କରାଯାଇଛି।
Comments ସମସ୍ତ ମତାମତ