ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମଶାଲ ଶୋଭାଯାତ୍ରା ବେଳେ ଦୁଇଗୋଷ୍ଠୀ ମାଡ଼ଗୋଳ ଘଟଣାରେ ଚାନ୍ଦବାଲି ବିଧାୟକ ତଥା ବିଜେଡି ନେତା ବ୍ୟୋମକେଶ ରାୟଙ୍କ ନାମରେ ମାମଲା ରୁଜୁ ହୋଇଛି। ବ୍ୟୋମକେଶଙ୍କ ସହ ବିଜେଡି ନେତା ଲେନିନ ମହାନ୍ତି ଓ ଛାତ୍ର ବିଜେଡି ନେତା ବବି ଖାନଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି ମାଲଗୋଦାମ ଥାନା ପୁଲିସ।
ରେଭେନ୍ସା ଛାତ୍ରଙ୍କୁ ମଶାଲ ଶୋଭାଯାତ୍ରା ବେଳେ ମାଡ଼ ମାରିବା, ଧମକଚମକ ଦେବା ସହ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ମାଲଗୋଦାମ ଥାନା ପୁଲିସ ଘଟଣାର ତଦନ୍ତ କରି ୩ ଜଣ ବିଜେଡି ନେତାଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାଯାଇଛି।ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନାମ ପରିବର୍ତ୍ତନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ବୁଧବାର ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ମଶାଲ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରାରେ ବିଭିନ୍ନ ଛାତ୍ର ସଂଗଠନ ସହ ବିଜେଡି ନେତା ବ୍ୟୋମକେଶ ରାୟ, ବିଜେଡି ନେତା ଲେନିନ ମହାନ୍ତି, ଛାତ୍ର ବିଜେଡି ନେତା ବବି ଖାନ୍ ଓ ବିଜୁ ଜନତା ଦଳର କିଛି ନେତା,କର୍ମୀ ସାମିଲ ଥିଲେ। ଏହି ସମୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ସହ ସେମାନଙ୍କର ଗଣ୍ଡଗୋଳ ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ଗୋଳ ହୋଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
Comments ସମସ୍ତ ମତାମତ