ବୁଦ୍ଧପୁର୍ଣିମା, ଓଡ଼ିଶାରେ ଏହିଦିନଟିକୁ ଚନ୍ଦନ ପୂର୍ଣ୍ଣିମା ଭାବରେ ପାଳନ କରାଯାଇଥାଏ । ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀ ଦିନକୁ ଆଗ୍ରହର ସହ ପାଳନ କରିଥାନ୍ତି । ଏହିଦିନରେ ବୁଦ୍ଧ ଧର୍ମର ସଂସ୍ଥାପକ ଭଗବାନ ବୁଦ୍ଧଙ୍କ ଜନ୍ମ ଜୟନ୍ତୀ । ଭଗବାନ ବୁଦ୍ଧ ବୋଧଗୟା ଠାରେ ଅଶ୍ୱସ୍ଥ ବୃକ୍ଷ ତଳେ ଜ୍ଞାନ ପ୍ରାପ୍ତ କରିଥିଲେ । ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କ ନବମ ଅବତାର ବୋଲି କୁହାଯାଏ । ସେଥିପାଇଁ ହିନ୍ଦୁମାନଙ୍କ ପାଇଁ ମଧ୍ୟ ଏହି ଦିନର ବିଶେଷ ମହାମ୍ୟ ରହିଛି । ବୁଦ୍ଧ ପୁର୍ଣିମା ସହ ବୈଶାଖ ପୁର୍ଣିମା ମଧ୍ୟ ।
ଏହି ବୈଶାଖ ପୁର୍ଣ୍ଣମୀ ତିଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟ ବନ୍ଧୁ ସୁଦାମା ବୈଶାଖ ପୁର୍ଣିମା ଦିନ ତାଙ୍କୁ ସାକ୍ଷାତ କରିବାକୁ ଆସିଥିଲେ । ଭଗବାନ ଶ୍ରୀକୃଷ୍ଣ ସୁଦାମାଙ୍କୁ ସତ୍ୟ ବିନାୟକ ବ୍ରତର ବିଧି ବିଧାନ ସମ୍ପର୍କରେ ବୁଝାଇଥିଲେ । ସୁଦାମା ବିଧି ବିଧାନ ଅନୁଯାୟୀ ବ୍ରତ ପାଳନ କରିବା ପରେ ତାଙ୍କର ଦୁଃଖ କଷ୍ଟ ଦୂର ହୋଇଥିଲା । ଏହି ଦିନ ଧର୍ମରାଜଙ୍କୁ ମଧ୍ୟ ପୂଜା କରାଯାଇଥାଏ । ଧର୍ମରାଜଙ୍କୁ ପୂଜା କରିବା ଦ୍ୱାରା ଅକାଳ ମୃତ୍ୟୁ ଯୋଗ ଦୂର ହୋଇଥାଏ ।
ବିଶେଷ କରି ଆଜି ସାରା ବିଶ୍ୱରେ ବୁଦ୍ଧ ଜୟନ୍ତୀ ପାଳନ କରାଯାଇଥାଏ । ଭଗବାନ ଗୌତମ ବୁଦ୍ଧ ଜନ୍ମ ଓ ଜନ୍ମସ୍ଥାନ ୫୬୩ ଖ୍ରୀ.ପୂ ବା ୬୨୩ ଖ୍ରୀ.ପୂ. ରେ ଲୁମ୍ବିନୀ ଉଦ୍ୟାନ (ବର୍ତ୍ତମାନ ନେପାଳ)ରେ ଭୂମିଷ୍ଠ ହୋଇଥିଲେ । ୪୮୩ ଖ୍ରୀ.ପୂ ବା ୫୪୩ ଖ୍ରୀ.ପୂ. (୮୦ ବର୍ଷ) ବୟସ ରେ ଉତ୍ତରପ୍ରଦେଶର କୁଶୀନଗର ଠାରେ ତାଙ୍କର ଦେହାନ୍ତ ହୋଇଥିଲା । ବୌଦ୍ଧ ଧର୍ମ ଏକ ଧର୍ମ ଓ ଦର୍ଶନ ଯେଉଁଥିରେ ଅନେକ ଧରଣର ପରମ୍ପରା, ବିଶ୍ୱାସ ଓ ଆଚରଣ ରହିଛି । ଏହା ଗୌତମ ବୁଦ୍ଧଙ୍କ ଶିକ୍ଷାକୁ ନେଇ ଗଠିତ । ୬ଷ୍ଠ ଓ ୪ର୍ଥ ଖ୍ରୀ.ପୂ.ରେ ବୁଦ୍ଧ ଭାରତୀୟ ଉପମହାଦେଶର ଉତ୍ତର-ପୂର୍ବ ଭାଗରେ ବାସ କରି ଶିକ୍ଷା ଦେଇଥିଲେ । ଗୌତମ ବୁଦ୍ଧଙ୍କ ପରିନିର୍ମାଣର ଅଳ୍ପ କାଳ ମଧ୍ୟରେ ବୌଦ୍ଧ ଧର୍ମ ସମଗ୍ର ଭାରତବର୍ଷରେ ପ୍ରସାରଲାଭ କରିଥିଲା । ବିଶେଷତଃ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ପୃଷ୍ଠପୋଷକତାରେ ବୌଦ୍ଧ ଧର୍ମ କେବଳ ଭାରତରେ ନୁହେଁ, ଭାରତ ବାହାରେ ଯଥା, ପଶ୍ଚିମରେ ଗ୍ରୀସ ଦେଶଠାରୁ ପୂର୍ବରେ ବ୍ରହ୍ମଦେଶ (ବର୍ତ୍ତମାନର ମିଆଁମାର) ଏବଂ ଦକ୍ଷିଣରେ ସିଂହଳ (ବର୍ତ୍ତମାନର ଶ୍ରୀଲଙ୍କା) ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା ।
ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ କୁଶାଣ ବଂଶର ଶ୍ରେଷ୍ଠ ସମ୍ରାଟ କନିଷ୍କଙ୍କ ପ୍ରେରଣାରେ ବୌଦ୍ଧଧର୍ମ ଚୀନ, ତିବ୍ୱତ, ଜାପାନ ପ୍ରଭୃତି ଦେଶରେ ପ୍ରଚାରିତ ହୋଇଥିଲା । ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ କନୌଜର ରାଜା ହର୍ଷବର୍ଦ୍ଧନଙ୍କ ସାହାଯ୍ୟରେ ବୌଦ୍ଧଧର୍ମ ବିଶେଷ ଅଗ୍ରଗତି ଲାଭ କରିଥିଲା । ଏହିପରି ପୃଷ୍ଠପୋଷକତା ଲାଭକରି ବୌଦ୍ଧଧର୍ମ ପୃଥିବୀର ଏକ ମୂଖ୍ୟ ଧର୍ମରେ ପରିଣତ ହୋଇଥିଲା । ପ୍ରାଚୀନ ରାଜା ମହାରାଜାମାନଙ୍କଦ୍ୱାରା ଅତି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଅସଂଖ୍ୟ ବୌଦ୍ଧଗୁମ୍ଫା, ସ୍ତୂପ, ଚୈତ୍ୟ, ବୌଦ୍ଧବିହାର ଓ ବୌଦ୍ଧମୂର୍ତ୍ତି ଗୁଡ଼ିକ ଭାରତର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିଲା, ଯାହା ବୌଦ୍ଧ ଧର୍ମର ପ୍ରଚାର ଏବଂ ପ୍ରସାର ଦିଗରେ ଯଥେଷ୍ଟ ସାହାଯ୍ୟ କରିଥିଲା । ସମ୍ରାଟ ଅଶୋକଙ୍କର ଅନୁଶାସନ ବୌଦ୍ଧଧର୍ମ ପ୍ରସାରର ଏକ ପ୍ରଧାନ କାରଣ ।
Comments ସମସ୍ତ ମତାମତ