Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଚଳିତ ବର୍ଷାଋତୁରେ ବିଏମସି ସୃଷ୍ଟି କରିବ 10 ମିଆଁଓ୍ୱାକି ଜଙ୍ଗଲ

    Share on :
    ajab-Image
    Date: Jun 6, 2026    Views: 2701

    • 60 ହଜାର ବୃକ୍ଷ ରୋପଣ ପାଇଁ ଲକ୍ଷ୍ୟଧାର୍ଯ୍ୟ
    • ହାତିଆଶୁଣିରେ ଉଦଘାଟିତ ହେଲା ଚଳିତ ବର୍ଷର ପ୍ରଥମ ମିଆଁଓ୍ୱାକି ଜଙ୍ଗଲ 
    ଭୁବନେଶ୍ୱର : 2026-27 ଆର୍ଥିକ ବର୍ଷରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ସୃଷ୍ଟି କରିବା 10ଗୋଟି ମିଆଁଓ୍ୱାକି ଜଙ୍ଗଲ । 10 ଗୋଟି ଜଙ୍ଗଲରେ 60 ହଜାର ବୃକ୍ଷ ରୋପଣ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି କଥା କହିଛନ୍ତି ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ହାତିଆଶୁଣୀଠାରେ ଚଳିତ ବର୍ଷର ପ୍ରଥମ ମିଆଁଓ୍ୱାକି ଜଙ୍ଗଲର ଶୁଭାରମ୍ଭ କରିବା ଅବସରରେ ସେ କହିଛନ୍ତି ଯେ ବିଗତ ଦୁଇ ବର୍ଷ ମଧ୍ୟରେ 15ଟି ସ୍ଥାନରେ 75 ହଜାରରୁ ଅଧିକ ବୃକ୍ଷ ମିଆଁଓ୍ୱାକି ପଦ୍ଧତିରେ ରୋପଣ କରାଯାଇଥିଲା । ଯାହା ଆଜି ସ୍ୱତନ୍ତ୍ର ଜଙ୍ଗଲରେ ପରିଣତ ହୋଇଛି । ଏହି ବୃକ୍ଷ ସବୁ 10 ଫୁଟରୁ ଉର୍ଦ୍ଧ୍ୱ ହୋଇ ଏକ ଘଞ୍ଚ ଜଙ୍ଗଲ ହୋଇପାରିଛି । ସେହିପରି ନଗର ବନ, ଘାଟିକିଆର ଆପିଜେ ବିଦ୍ୟାଳୟ ନିକଟସ୍ଥ ପଡିଆ,  ନୟାପଲ୍ଲୀ ହଜ୍, କଳିଙ୍ଗ ନଗର କେ-6, କଳିଙ୍ଗ ଷ୍ଟୁଡିଓ ନିକଟ ଆଦି ସ୍ଥାନରେ ମିଆଓ୍ୱାକି ପଦ୍ଧତିରେ ବୃକ୍ଷ ରୋପଣ କରାଯାଉଛି । ଭୁବନେଶ୍ୱରକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରିବା ପାଇଁ ବିଏମ୍ ସି, ସହର ବନଖଣ୍ଡ ଓ ଚନ୍ଦକା ବନଖଣ୍ଡ ସହାୟତାରେ ଉଦ୍ୟମ ଜାରି ରହିଛି । 
                ସଂପ୍ରତି ରାଜ୍ୟ ତଥା ଦେଶର ତାପମାତ୍ର ଯେପରି ବୃଦ୍ଧି ପାଉଛି, ତାହାକୁ ନିୟନ୍ତ୍ରଣ କରିବା ପାଇଁ ଏକ ମାତ୍ର ଉପାୟ ହେଉଛି ବୃକ୍ଷ ରୋପଣ । ବ୍ୟାପକ ବୃକ୍ଷ ରୋପଣ ଦ୍ୱାରା ପରିବେଶ ସୁରକ୍ଷିତ ରହିବା ସହ ଜଳବାୟୁ ନିୟନ୍ତ୍ରଣରେ ବେଶ ସହାୟକ ହୋଇପାରିବ । ସଂପ୍ରତି ଗାଡି, ମଟରରୁ ନିର୍ଗତ ଧୁଆଁ, ଏସିରୁ ନିର୍ଗତ ଗରମ ପବନ, ଆମ ସ୍ୱାଶକ୍ରିୟାରେ ଶରୀରକୁ ଯାଇ ନାନା ପ୍ରକାର ରୋଗ ସୃଷ୍ଟି କରୁଛି । ତାହାକୁ ବୃକ୍ଷ ହିଁ କେବଳ ନିୟନ୍ତ୍ରଣ କରିପାରିବ । ସୌଭାଗ୍ୟର କଥା ଯେ, ସ୍ୱଚ୍ଛ ବାୟୁ ତାଲିକାରେ ଭୁବନେଶ୍ୱର,  ଦେଶର ଚତୁର୍ଥ ସ୍ଥାନରେ ରହିଛି । ତେବେ ଆମେ କିପରି ସ୍ୱଚ୍ଛ ବାୟୁ ମାପାଙ୍କ ତାଲିକାରେ ଦେଶର ପ୍ରଥମ ହେବା, ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ ଅଂଚଳର ପ୍ରତ୍ୟେକ ବ୍ୟକ୍ତି କାର୍ଯ୍ୟ କରିବା ଦରକାର ବୋଲି ସେ କହିଛନ୍ତି ।
    ଚଳିତ ବର୍ଷ ବ୍ୟାପକ ବୃକ୍ଷ ରୋପଣ କରିବା ପାଇଁ ବିଏମ୍ ସି ପକ୍ଷରୁ ଯୋଜନା କରାଯାଇଛି । ସ୍ଥାନୀୟ ବନ ବିଭାଗ ସହାୟତାରେ ବର୍ତ୍ତମାନ ସୁଦ୍ଧା 60 ହଜାର ବୃକ୍ଷ ରୋପଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆଜି ଏହିଠାରେ 3 ହଜାର ବୃକ୍ଷ ରୋପଣ କରାଯିବା ସହ 18 ନମ୍ବର ଓ୍ୱାର୍ଡ ପ୍ରାଚୀ ବିହାରରେ ଜଳାଶୟ ଚର୍ତୁପାର୍ଶ୍ୱରେ ମଧ୍ୟ ବୃକ୍ଷ ରୋପଣ କରାଯାଇଥିଲେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନନୀୟା ମେୟର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର, ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ସ୍ଥାନୀୟ କର୍ପୋରେଟରଙ୍କ ସହ ବହୁ କର୍ପୋରେଟର ଉପସ୍ଥିତ ଥିଲେ । 
      ଗତ 2024-25 ଆର୍ଥିକ ବର୍ଷରେ ବିଏମ୍ ସି 5ଟି ସ୍ଥାନରେ 20 ହଜାରରୁ ଅଧିକ ବୃକ୍ଷ ମିଆଁଓ୍ୱାକି ପଦ୍ଧତିରେ ରୋପଣ କରିଥିଲା । ତାହା ଆଜି ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି । ସେହିପରି 2025-26 ଆର୍ଥିକ ବର୍ଷରେ 10 ଗୋଟି ସ୍ଥାନରେ 55 ହଜାର ବୃକ୍ଷ ରୋପଣ କରାଯାଇଥିଲା । ତାହା ମଧ୍ୟ ଆଜି ଜଙ୍ଗଲର ରୂପ ନେଇସାରିଲାଣି । ଚଳିତ ବର୍ଷ 10 ଗୋଟି ସ୍ଥାନରେ 60 ହଜାର ବୃକ୍ଷ ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହାକୁ ବାସ୍ତବରେ ରୂପାୟନ କରିବ ବିଏମ୍ ସି । ଏହା ବ୍ୟତିତ ବିଭିନ୍ନ ରାସ୍ତା ଓ ପଡିଆ ଜମିରେ ଲକ୍ଷାଧିକ ବୃକ୍ଷ ରୋପଣ କରାଯାଇଛି । ବିଏମ୍ ସି ଚାହିଁଲେ ଏକାକି ସବୁ କିଛି କରିପାରିବ ନାହିଁ । ଏଥିପାଇଁ ଜନ ସହଯୋଗ ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ପଡିଆ ଜମିରେ ବୃକ୍ଷ ରୋପଣ କରିବା ସହ ତାର ରକ୍ଷଣାବେକ୍ଷଣ କଲେ, ଭୁବନେଶ୍ୱର ସ୍ୱଚ୍ଛ, ସବୁଜ ସୁନ୍ଦର ହୋଇପାରିବ । ପ୍ରତ୍ୟେକ ବ୍ୟକ୍ତି ନିଜ ମାଆଙ୍କ ନାମରେ ଗୋଟିଏ ବୃକ୍ଷ ରୋପଣ କରିବା ସହ ଜୀବନ କାଳ ମଧ୍ୟରେ ଯଦି 5ଟି ବୃକ୍ଷରୋପଣ କରି ତାର ଯତ୍ନ ନେବେ, ତେବେ ତାହା ଆମ ଭବିଷ୍ୟତ ପିଢି ପାଇଁ ସ୍ୱଚ୍ଛ ବାୟୁ ପ୍ରଦାନ କରିବାରେ ବେଶ ସହାୟକ ହୋଇପାରିବ । ଏଥିପାଇଁ ଜନସାଧାରଣଙ୍କ ସାହାଯ୍ୟ, ସହଯୋଗ ଓ ଆନ୍ତରିକତା ଆବଶ୍ୟକ । ବ୍ୟକ୍ତିଗତ ସ୍ତରରେ ସମସ୍ତଙ୍କ ଉଦ୍ୟମ ଦରକାର ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ । 
    ସାଧାରଣ ପଦ୍ଧତିରେ ବୃକ୍ଷ ରୋପଣ କଲେ, ଏହା ଏକ ହେକ୍ଟର ଜମିରେ ମାତ୍ର 16 ଶହ ବୃକ୍ଷ ରୋପଣ କରାଯାଇ ପାରିବ । ମାତ୍ର ମିଆଁଓ୍ୱାକି ପଦ୍ଧତିରେ ଗଛ ଲଗାଇଲେ ତାର 5 ଗୁଣ ବା ହେକ୍ଟର ଜମିରେ 8ରୁ 10 ହଜାର ବୃକ୍ଷ ରୋପଣ କରାଯାଇ ପାରିବ । ସ୍ଥାନୀୟ ଜଳବାୟୁରେ ବଢିପାରୁଥିବା ଦୀର୍ଘସ୍ଥାୟୀ ବୃକ୍ଷକୁ ପାଖାପାଖି ବା ସଘନ ପ୍ରଣାଳୀରେ ରୋପଣ କରାଯାଉଛି । ଏହା ଦ୍ୱାରା ସହଜରେ ଏବଂ କମ୍ ସୁରକ୍ଷାରେ ଶୀଘ୍ର ବଢିବା ସହ ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇଥାଏ । ଏଥିରେ ମୁଖ୍ୟତଃ ସ୍ଥାନୀୟ ବୃକ୍ଷ ଯଥା ଲିମ୍ବ, ବରକୋଳି, ଆମ୍ବ, କଦମ୍ବ. ପଣସ, ପେସ୍ତା ବାଦାମ, କରଞ୍ଜ, କୃଷ୍ଣଚୂଡା, ହରିଡା, ବାହାଡା, ଅଁଳା, ବେଲ, ଜାମୁକୋଳି, ଶିଶୁ  ଇତ୍ୟାଦି 24 ପ୍ରକାରର ବୃକ୍ଷ ରୋପଣ କରାଯାଉଛି । ସାଧାରଣ ଜଙ୍ଗଲ ଅପେକ୍ଷା ମିଆଁଓ୍ୱାକି ଜଙ୍ଗଲ ଖୁବ୍ ଶୀଘ୍ର ବଢିଥାଏ ବୋଲି କହିଛନ୍ତି ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା । 
               ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମାନ୍ୟବର ବିଧାୟକ ଭୁବନେଶ୍ୱର ମଧ୍ୟ ଶ୍ରୀ ଅନନ୍ତ ନାରାୟଣ ଜେନା, ମାନ୍ୟବର ବିଧାୟକ ଭୁବନେଶ୍ୱର ଏକାମ୍ର, ଶ୍ରୀ ବାବୁ ସିଂ, ମାନନୀୟା ମେୟର ଶ୍ରୀମତୀ ସୁଲୋନଚା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବହୁ କର୍ପୋରେଟର, ଟିମ୍  ବିଏମ୍ ସି ଓ ବନ ବିଭାଗ କର୍ମଚାରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସ୍ଥାନୀୟ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟର ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ଓ ପରିବେଶ ଉପବିଭାଗର ଉପାୟୁକ୍ତ ଶ୍ରୀମତୀ ସୁଶ୍ରୀତା ଟୁଡୁ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook