ମୁଖ୍ୟ ଖବର
ଭୁବନେଶ୍ଵର: ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ହେବେ କି ନାହିଁ ? ତାଙ୍କ ପ୍ରତି ପାର୍ଟି କଣ ଆଭିମୁଖ୍ୟ ଗ୍ରହଣ କରିବ ? ନା ସେ ଦଳରୁ ଇସ୍ତଫା ଦେବା ପରେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିବେ ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଜଗନ୍ନାଥ ବୁଧବାର ବିଜେପି ରାଜ୍ୟ ମୁଖ୍ୟାଳୟରେ ପହଞ୍ଚି ପାର୍ଟିର ଶୃଙ୍ଖଳା କମିଟି ଆଗରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ।
ପାର୍ଟି କାର୍ୟ୍ୟାଳୟରୁ ବାହାରିବା ପରେ ଜଗନ୍ନାଥ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ମୋତେ ଦଳୀୟ ସଭାପତି ଡାକିଥିଲେ। ମୁଁ ପାର୍ଟି କାର୍ୟ୍ୟାଳୟରେ ପହଞ୍ଚି ସଭାପତିଙ୍କ ସହ ଆଲୋଚନା କଲି। ଦଳୀୟ କାର୍ୟ୍ୟାଳୟରେ ଶୃଙ୍ଖଳାଗତ କମିଟିରେ ହାଜର ହେବା ସମୟରେ ଦଳୀୟ ସଭାପତି ମନମୋହନ ସାମଲଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ତେବେ ପରବର୍ତ୍ତୀ ସମୟରେ ଏହି ଘଟଣା କେଉଁ ମୋଡ଼ ନେବ ତାହା ସ୍ପଷ୍ଟ ଜଣା ପଡୁନି। ’ପୂର୍ବରୁ ଜଗନ୍ନାଥ ପ୍ରଧାନ ଏକ୍ସରେ ପୋଷ୍ଟ କରି ଆଇନକୁ ସବୁ ପ୍ରକାରର ସହଯୋଗ କରିବି ବୋଲି କହିଥିଲେ। ସେ ଲେଖିଥିଲେ ରାଜ୍ୟରେ ଦୁଇ ଦିନ ହେବ ବିଏମସି ଘଟଣାରେ ବିରୋଧୀ ଦଳ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି। ମୁଁ ଆଗରୁ କହିଛି, ଏବେ ବି କହୁଛି ଏହି ଘଟଣା ଦୁଃଖଦାୟକ ଓ ନିନ୍ଦନୀୟ। ଏହାକୁ ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି। ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି। ଆଇନ ଅନୁସାରେ ଯାହା କାର୍ୟ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି।
ସୂଚନାଯୋଗ୍ୟ, ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ବିଏମସି କାର୍ୟ୍ୟାଳୟ ଭିତରେ ୫ରୁ ୬ ଦୁର୍ବୃତ୍ତ ମାଡ଼ମାରିବା ସହ ଘୋଷାଡ଼ି ଘୋଷାଡ଼ି ନେଉଥିବାର ବିଚଳିତ କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହି ଘଟଣାରେ କମିଶନରେଟ୍ ପୋଲିସ ୫ ଜଣଙ୍କୁ ଗିରଫ କରି ସାରିଛି। ଗତକାଲି ସଂଜୀବ ମିଶ୍ର ଓ ସଚିକାନ୍ତ ସ୍ବାଇଁ ନାମରେ ୨ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ପୁଲିସ ସୋମବାର ଦିନ ତିନିଜଣ ଅଭିଯୁକ୍ତ ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଥିଲା। ସମସ୍ତ ଅଭିଯୁକ୍ତ ବିଜେପିର ହୋଇଥିବା ବେଳେ ଦଳ ସମସ୍ତଙ୍କୁ ପ୍ରାଥମିକ ସଦସ୍ୟରୁ ନିଲମ୍ବନ କରିଛି। ତେବେ ବିରୋଧୀ ଦଳ ବିଜେଡି ଓ ଓଏଏସ ସଂଘ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବି କରିଥିଲେ।
Comments ସମସ୍ତ ମତାମତ