ମୁଖ୍ୟ ଖବର
ଭୁବନେଶ୍ବର: ଆସନ୍ତା ଜୁନରେ ମୋହନ ସରକାରକୁ ବର୍ଷେ ପୂରଣ ହେବ । ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ସରକାରୀ ସ୍ତରରେ ବର୍ଷେ ପୂର୍ତ୍ତି କାର୍ୟ୍ୟକ୍ରମକୁ ବଡ଼ ଆକାରରେ ପାଳନ କରିବା ପାଇଁ ଯୋଜନା ହୋଇଛି । ଜନତା ମଇଦାନରେ ଜୁନ ୧୧ରୁ ୧୩ ତାରିଖ ପର୍ୟ୍ୟନ୍ତ ଆୟୋଜନ ହେବ ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମର ଉଲ୍ଲେଖନୀୟ ସଫଳତା ଏବଂ ଜନ ସଚେତନତା ସଂପର୍କରେ ହେବ ସମାରୋହ । ବିଭିନ୍ନ ବିଭାଗ ଓ ଜିଲ୍ଲାରେ ବିକାଶମୂଳକ କାର୍ୟ୍ୟକୁ ତ୍ୱରାନ୍ୱିତ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି । ଏହି କ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଦ୍ୱିତୀୟ ପ୍ରସ୍ତୁତି ବୈଠକ ।
ଆଗାମୀ ଜୁନ ମାସରେ ରାଜ୍ୟରେ ନୂଆ ବିଜେପି ସରକାର ଗଠନ ହେବାର ଏକ ବର୍ଷ ପୂର୍ତ୍ତି ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ବର୍ଷକ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମର ଉଲ୍ଲେଖନୀୟ ସଫଳତା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ । ବିଭିନ୍ନ ବିଭାଗରେ ବିକାଶମୂଳକ କାର୍ୟ୍ୟକୁ ତ୍ୱରାନ୍ୱିତ କରି ରାଜ୍ୟର ବିକାଶର ଧାରାକୁ ଆଗକୁ ନେବା ଲକ୍ଷ୍ୟ ରଖିଛନ୍ତି ସରକାର । ରାଜ୍ୟ ସରକାରଙ୍କ ତରଫରୁ ଆଗାମୀ ଜୁନ ୧୧ରୁ ୧୩ ତାରିଖ ପର୍ୟ୍ୟନ୍ତ ୩ ଦିନ ଧରି ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରେ ବିଭିନ୍ନ କାର୍ୟ୍ୟକ୍ରମ ଗ୍ରହଣ କରାଯିବ । ଏ ସଂପର୍କରେ ପ୍ରଶାସନିକ ସ୍ତରରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏ ସଂପର୍କରେ ଗତ ୨୫ ଅପ୍ରେଲରେ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଆଧାରରେ ବିଭିନ୍ନ କାର୍ୟ୍ୟକ୍ରମକୁ ସୁଚାରୁରୂପେ ସଂପାଦନ ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ।
ଗୃହ ବିଭାଗ ତରଫରୁ ଆହୂତ ଏହି ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ କାର୍ୟ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ପ୍ରାରମ୍ଭିକ ବକ୍ତବ୍ୟ ରଖିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ବିଭିନ୍ନ କାର୍ୟ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାର ଫଳପ୍ରସୁ ପଦକ୍ଷେପ, ପ୍ରଣୀତ ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ଓ କାର୍ୟ୍ୟାନ୍ୱୟନ ଏବଂ ବହୁବିଧ କଲ୍ୟାଣକାରୀ ଯୋଜନାରେ ସଂପର୍କରେ ଜନସଚେତନତା ସୃଷ୍ଟି ଉପରେ କାର୍ୟ୍ୟକ୍ରମ ଆୟୋଜନ ହେବ । ରାଜ୍ୟସ୍ତରୀୟ ସାଧାରଣ ସଭା ଏବଂ ବିକାଶ ମେଳା ପ୍ରଦର୍ଶନୀ ଜୁନ ୧୧ରୁ ୧୩ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ଏହା ସଙ୍ଗେ ସଙ୍ଗେ ଜିଲ୍ଲାସ୍ତରରେ ତିନି ଦିନିଆ ସଭା ଓ କାର୍ୟ୍ୟକ୍ରମ ଏବଂ ଜିଲ୍ଲା ପ୍ରଶାସନ ଏବଂ ଓରମାସ ସହଯୋଗରେ ୫ ଦିନ ଧରି ପ୍ରଦର୍ଶନୀ ଅନୁଷ୍ଠିତ ହେବ ।
Comments ସମସ୍ତ ମତାମତ