ମୁଖ୍ୟ ଖବର
ଭୁବନେଶ୍ୱର : ପ୍ରେସ କନଫରେନ୍ସ କରି ଗଣମାଧ୍ୟମରେ ବିବୃତି ଦେବା ଏବଂ ପ୍ରକୃତ ଆଭିମୁଖ୍ୟ ଭିତରେ ଅନେକ ତଫାତ୍ ରହିଛି । ଅତୀତରେ ଜିଏସଟି ଭଳି ଆର୍ଥିକ ସଂସ୍କାରକୁ ବିରୋଧ କରୁଥିବା ବିଜେଡି, କଂଗ୍ରେସ ଏବଂ ସମଭାବପନ୍ନ ବିରୋଧୀ ଦଳଗୁଡିକର ଆଭିମୁଖ୍ୟ ସମାନ ଭାବେ ଏମ୍ଏମ୍ଡିଆର୍ ଆଇନ ସଂସ୍କାର କ୍ଷେତ୍ରରେ ପରିପ୍ରକାଶ କରୁଛନ୍ତି ବୋଲି ବରିଷ୍ଠ ନେତା ତଥା ରାଜ୍ୟସଭାର ପୂର୍ବତନ ସାଂସଦ ଅମର ପଟ୍ଟନାୟକ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଦେଶରେ ଥିବା ଖଣିଜ ସଂପଦଗୁଡିକର ସୁପରିଚାଳନା, ସୁରକ୍ଷା, ନିୟନ୍ତ୍ରଣ ଏବଂ ସ୍ୱଚ୍ଛତାର ସହ ଆବଂଟନ କରିବା ହେଉଛି ସଂଶୋଧିତ ଏମ୍ଏମ୍ଡିଆର୍ ଆଇନ-୨୦୨୬ର ମୁଳ ଲକ୍ଷ୍ୟ । ସମସ୍ତ ରାଜ୍ୟରେ ରାଜ୍ୟସ୍ତରୀୟ ଟ୍ୟାକ୍ସ ବ୍ୟବସ୍ଥାରେ ସମାନତା ଅଣାଯିବ । ଖଣି ପରିଚାଳନାକୁ ବ୍ୟବସାୟିକ ଭାବେ ଲାଭଜନକ ଓ ପ୍ରତିଯୋଗିତାମୁଳକ କରିବ । ସିମେଂଟ, ଲୁହାଛଡ, ଷ୍ଟିଲ ଆଦି ଭଳି ଖଣି ଆଧାରିତ ଶିଳ୍ପ ଓ ବସ୍ତୁର ଦରଦାମ ଉପରେ ନିୟନ୍ତ୍ରଣ ରହିବା ଦ୍ୱାରା ଉପଭୋକ୍ତାଙ୍କ ସ୍ୱାର୍ଥ ସୁରକ୍ଷିତ ରହିବ । ଖଣିଜ କ୍ଷେତ୍ରରେ ନୂତନ ନିବେଶକଙ୍କୁ ଆକର୍ଷିତ କରିବ । ଏହା କେନ୍ଦ୍ର ସରକାରଙ୍କ ହୋଇଥିଲେ ହେଁ, ଏହା ମାଧ୍ୟମରେ ରାଜ୍ୟଗୁଡିକୁ ରୟାଲ୍ଟି ଓ ରାଜସ୍ୱ ମିଳିଥାଏ, ଯାହା ରାଜ୍ୟର ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରେ । ଏହି ଆଇନ କାର୍ଯ୍ୟକାରୀ ହେବା କାରଣରୁ ଖଣିଜ ସଂପଦ ଭରପୁର ଓଡ଼ିଶା ରାଜ୍ୟରେ ଖଣି କ୍ଷେତ୍ରରେ ସଂସ୍କାର ଓ ପାରଦର୍ଶିତା ଆସିବା ସହ ଅର୍ଥନୀତିରେ ଦୃତ ପ୍ରଗତି ହୋଇଛି । କେନ୍ଦ୍ରର ନୂତନ ଆଇନ ଅନୁଯାୟୀ ଟ୍ୟାକ୍ସ ପ୍ରକ୍ରିୟାରେ ସମାନତା ରହିବା ଦ୍ୱାରା ଖଣି ଅଂଚଳ ଓ ରାଜ୍ୟ ଗୁଡ଼ିକ ଳାଭାନ୍ୱିତ ହେବେ । ଯୁକ୍ତିଯୁକ୍ତ ସୀମା ନ ଥାଇ ରାଜ୍ୟ ସରକାରମାନଙ୍କ ଦ୍ୱାରା ଖଣିଜ ଅଧିକାର ଏବଂ ଖଣିଜ ସଂପଦ ବିଶିଷ୍ଟ ଜମି ଉପରେ ଅସମାନ ଭାବରେ ଟ୍ୟାକ୍ସ କିମ୍ବା ଅନ୍ୟାନ୍ୟ ଶୁଳ୍କ ଲାଗୁ କରିବା ଦ୍ୱାରା ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ସେହିପରି କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିୟମକୁ ମାନି ରାଜ୍ୟ ସରକାର ଟ୍ୟାକ୍ସ ଲଗାଇପାରିବେ ।
Comments ସମସ୍ତ ମତାମତ