Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସରକାରଙ୍କ ଦୁଇବର୍ଷ ପୂର୍ତ୍ତି :୧୨ରୁ ସାରା ରାଜ୍ୟରେ ବ୍ୟାପକ ଜନସମ୍ପୃକ୍ତି କାର୍ୟ୍ୟକ୍ରମ

    Share on :
    ajab-Image
    Date: Jun 6, 2026    Views: 3040

     ଭୁବନେଶ୍ୱର: ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କ ଦୁଇବର୍ଷ କାର୍ୟ୍ୟକାଳ ପୂର୍ତ୍ତି ଉପଲକ୍ଷେ ସରକାରୀସ୍ତରରେ ବ୍ୟାପକ କାର୍ୟ୍ୟକ୍ରମ ହେବ।  ଜୁନ୍ ୧୨ତାରିଖରୁ ସାରା ରାଜ୍ୟରେ ବ୍ୟାପକ ଜନସମ୍ପୃକ୍ତି କାର୍ୟ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିବାବେଳେ ରାଜଧାନୀ ଭୁବନେଶ୍ୱରର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୫ଦିନିଆ ମେଗା ଉତ୍ସବର ଆୟୋଜନ କରାଯାଇଛି।

    ଯଦିଓ ୨୦ତାରିଖରେ ମୟୂରଭଞ୍ଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଦୁଇବର୍ଷ ପୂର୍ତ୍ତି ପାଳନ ହେବ ତଥାପି ଏହା ପୂର୍ବରୁ ରାଜ୍ୟବ୍ୟାପୀ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ ନିମନ୍ତେ ସରକାରୀସ୍ତରରେ ପ୍ରସ୍ତୁତି ଜୋର୍ ଧରିଛି।

    ସୂଚନା ଅନୁସାରେ, ଦୁଇବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ପ୍ରଦର୍ଶନୀ ପଡ଼ିଆରେ ୧୨ରୁ ୧୬ତାରିଖ ପର୍ୟ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ, ଫୁଡ୍ ଫେଷ୍ଟିଭାଲ ସମେତ ନିଜର ଦୁଇବର୍ଷର ପ୍ରମୁଖ ସଫଳତାର ଭିଡ଼ିଓ ଓ ପ୍ରମାଣିକ ଫିଲ୍ମକୁ ପ୍ରଦର୍ଶନ କରାଇବେ। ରାଜ୍ୟ ସଂସ୍କୃତି ଓ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଏହି ଆୟୋଜନ କରାଯାଇଥିବାବେଳେ ସମସ୍ତ ବିଭାଗକୁ ନିଜ ନିଜର ପ୍ରମୁଖ ସଫଳତା ଭିଡିଓ, ଚିତ୍ର ଓ ଡକ୍ୟୁମେଣ୍ଟାରୀ ପ୍ରଦାନ କରିବାକୁ କୁହାଯାଇଛି।

    ଅନ୍ୟପକ୍ଷରେ ସରକାରଙ୍କ ବିଭିନ୍ନ ବିକାଶମୂଳକ ଓ କଲ୍ୟାଣକାରୀ ଯୋଜନାର ସଫଳତାକୁ ଜନସାଧାରଣଙ୍କ ନିକଟରେ ପହଂଚାଇବା ପାଇଁ ଜୁନ୍ ୧୨ ତାରିଖରୁ ରାଜ୍ୟବ୍ୟାପୀ ବ୍ୟାପକ ଜନସଂପୃକ୍ତି ଓ ସଚେତନତା କାର୍ୟ୍ୟକ୍ରମ ଆରମ୍ଭ ହେବ। ଏହି କାର୍ୟ୍ୟକ୍ରମର ସଫଳ ରୂପାୟନ ପାଇଁ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସମସ୍ତ ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

    ବୈଠକରେ ଜିଲ୍ଲାପାଳମାନଙ୍କୁ ଏହି ଜନସମ୍ପୃକ୍ତି କାର୍ୟ୍ୟକ୍ରମକୁ ସଫଳ କରିବା ନିମନ୍ତେ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ନିଷ୍ପତ୍ତି ଅନୁସାରେ, ଜୁନ୍ ୧୨ତାରିଖରୁ ରାଜ୍ୟର ଜିଲ୍ଲା, ବ୍ଲକ ଓ ଗ୍ରାମ ପଂଚାୟତସ୍ତରରେ ବିଭିନ୍ନ ପ୍ରଦର୍ଶନୀ, ସଚେତନତା ଶିବିର ଓ ଜନସମ୍ବାଦ ଆଦି କାର୍ୟ୍ୟକ୍ରମ ଆୟୋଜନ କରାଯିବ। ଜିଲ୍ଲାସ୍ତରରେ ‘ବିକଶିତ ଓଡ଼ିଶା ପାଇଁ ବିକଶିତ ଭାରତ’ ବିଷୟବସ୍ତୁ ଉପରେ ଆଲୋଚନାଚକ୍ର ସହ ତିନିଦିନିଆ ପ୍ରଦର୍ଶନୀ, ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନାର ବ୍ୟବସ୍ଥା କରାଯାଇଛି । ବିଶେଷକରି ମହିଳା ସଶକ୍ତିକରଣ, କୃଷି, ଗ୍ରାମୀଣ ବିକାଶ, ସ୍ୱାସ୍ଥ୍ୟ, ଜୀବିକା, ପାନୀୟ ଜଳ, ଭିତ୍ତିଭୂମି ଓ ସାମାଜିକ ସୁରକ୍ଷା ଭଳି କ୍ଷେତ୍ରରେ ସରକାରଙ୍କ ଦୁଇ ବର୍ଷର ସଫଳତାକୁ ଏଥିରେ ପ୍ରାଧାନ୍ୟ ଦିଆଯିବ ବୋଲି ଜଣାପଡ଼ିଛି।  

    ସେହିପରି ବ୍ଲକ ଓ ପଂଚାୟତସ୍ତରରେ ପଂଚାୟତିରାଜ ବିଭାଗ ସମନ୍ୱୟରେ ପିଏମ୍ ସୂର୍ୟ୍ୟ ଘର, ପିଏମ୍ ସ୍ୱନିଧି, ସୁଭଦ୍ରା ଯୋଜନା, ଲଖପତି ଦିଦି, ଗ୍ରାମୀଣ ଭିତ୍ତିଭୂମି ଓ ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ ବଂଟନ ଭଳି ଲୋକାଭିମୁଖୀ ଯୋଜନାର ହିତାଧିକାରୀମାନଙ୍କୁ ସାମିଲ କରାଯାଇ ‘ସେବା ପ୍ରଦାନ ଶିବିର’ ଓ ‘ସପ୍ତାହବ୍ୟାପୀ ପ୍ରଦର୍ଶନୀ’ ଅନୁଷ୍ଠିତ ହେବ। ଏହାସହିତ ଜାତି-ଜନଜାତି ସମାବେଶ, କୃଷକ ସମ୍ବାଦ ଓ ସୁଭଦ୍ରା ଶକ୍ତି ସମାବେଶ ମଧ୍ୟ ଆୟୋଜନ କରାଯିବ। 
    ଏବେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଏହି ସବୁ କାର୍ୟ୍ୟକ୍ରମକୁ ଆସିବାକୁ ଥିବା ସାଧାରଣ ଲୋକଙ୍କ ପାଇଁ ପର୍ୟ୍ୟାପ୍ତ ପାନୀୟ ଜଳ, ଅଂଶୁଘାତ ପ୍ରତିକାରାତ୍ମକ ବ୍ୟବସ୍ଥା ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମୁଖ୍ୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସରକାରୀ ବିଭାଗ, ଜନପ୍ରତିନିଧି ଓ ସାଧାରଣ ଜନତାଙ୍କ ସକ୍ରିୟ ସହଯୋଗରେ ଏହି ମେଗା କାର୍ୟ୍ୟକ୍ରମକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

    ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଓ ବିକାଶମୂଳକ ଯୋଜନାର ସଫଳତାକୁ ଜନସାଧାରଣଙ୍କ ନିକଟରେ ପହଂଚାଇବା ଓ ଆଗାମୀ ତିନି ବର୍ଷର ବିକାଶର ରୂପରେଖ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ବିଶାଳ ଅଭିଯାନର ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଂଚିଛି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook