ମୁଖ୍ୟ ଖବର
ଭଦ୍ରକ : ବିଜେଡି ଛାଡିବା ପରେ ଭଦ୍ରକର ମଣ୍ଡଳ ଓ ସାହୁ ଦମ୍ପତି ବିଜେପିରେ ସାମିଲ ହେବା ନେଇ ଜୋରଦାର ଆଲୋଚନା ହେଲା। ଦଳ ଛାଡିବାର ମାସେରୁ ଅଧିକ ସମୟ ହେଲାଣି ଏଯାଏଁ ପଦ୍ମ ଶିବିରରୁ ମିଳୁନି ସବୁଜ ସଂକେତ। ଏଭଳି ଦୋଦୁଲ୍ୟମାନ ସ୍ଥିତି ଭିତରେ ରାଜନୈତିକ ଭବିଷ୍ୟତ କଣ ହେବ ତାକୁ ନେଇ ବେଶ ଚିନ୍ତାରେ ଏହି ହେଭିୱେଟ ରାଜନୈତିକ ଦମ୍ପତି। ପଛରେ ଦେବାଶିଷ ସାମନ୍ତରାୟ ବିଜେଡିରୁ ଯାଇ ବିଜେପିରେ ମିଶିଥିବା ବେଳେ ମଣ୍ଡଳ ଦମ୍ପତିଙ୍କ କ୍ଷେତ୍ରରେ କିଏ ପୂରାଇଲା କେଁ? ନା ବିଜେପି ପାଇଁ ଅଲୋଡା ହୋଇଗଲେ ପ୍ରଭାବଶାଳୀ ମଣ୍ଡଳ ଦମ୍ପତି।
୨୫ ଏପ୍ରିଲ ୨୦୨୬। ଭଦ୍ରକର ଟାଣୁଆ ରାଜନୈତିକ ଦମ୍ପତ୍ତି ବିଜେଡିକୁ ବାଏ ବାଏ କଲେ। ମୁକ୍ତିକାନ୍ତ ମଣ୍ଡଳ, ମଞ୍ଜୁଲତା ମଣ୍ଡଳ, ଶଶି ସାହୁ, ସୁବାସିନୀ ସାହୁଙ୍କ ସହ ଜଗନ୍ନାଥ ସାହୁ ନବୀନଙ୍କ ହାତ ଛାଡିଥିଲେ। ଚର୍ଚ୍ଚା ହେଉଥିଲା, ଖୁବଶୀଘ୍ର ବିଜେପି ଶିବିରରୁ ଡାକରା ଆସିବ। ଡିଲ୍ ସହ ତାରିଖ ମଧ୍ୟ ଫାଇନାଲ ହୋଇସାରିଥିଲା। ମେ ପ୍ରଥମ ସପ୍ତାହରେ ମଣ୍ଡଳ ଓ ସାହୁ ଦମ୍ପତି ଧରିଥାନ୍ତେ ପଦ୍ମ। ହେଲେ ସମୟ ଗଡିବା ସହ ଏବେ ଏହି ହେଭିୱେଟ ଦମ୍ପତ୍ତିଙ୍କ ପାଇଁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଚର୍ଚ୍ଚା ହେଉଛି, ଉପର ମହଲରୁ ଗ୍ରୀନ୍ ସିଗନାଲ ମିଳୁନଥିବାରୁ ଅଟକିଛି ମିଶ୍ରଣ ପର୍ବ। ହେଲେ ହଠାତ୍ କାହିଁକି ନିଷ୍ପତ୍ତି ବଦଳିଲା? କେଉଁଠୁ ପଡ଼ିଲା କି ଅଦୃଶ୍ୟ ଚାପ?
ମଣ୍ଡଳ ଦମ୍ପତିଙ୍କୁ ଭଦ୍ରକ ବିଜେପିର କିଛି ପୁରୁଣା ନେତା ବିରୋଧ କରୁଛନ୍ତି। ବିଶେଷକରି ଧାମନଗର ଓ ଭଦ୍ରକ ନିର୍ବାଚନମଣ୍ଡଳୀରେ ଭିତିରିଆ ବିରୋଧ ତୀବ୍ର ହୋଇଛି। ସେହିଭଳି ବିଜେପିରେ ଶଶୀ ସାହୁଙ୍କ ଏଣ୍ଟ୍ରିକୁ ସିମୁଳିଆର ବିଧାୟକ ଚାହୁଁନଥିବା ଚର୍ଚ୍ଚା ହେଉଛି। ତେଣୁ ଦଳର ପୁରୁଣା ନେତାଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁନାହାନ୍ତି ବିଜେପିର ଶୀର୍ଷ ନେତୃତ୍ବ। ଭଦ୍ରକ ରାଜନୀତିରେ ପତିଆରା ଓ ଦବଦବାର ଲଢେଇ ଭିତରେ ମିଶ୍ରଣ ପର୍ବ ବିଳମ୍ବିତ ହେଉଥିବା କୁହାଯାଉଛି। କଟକ ରାଜନୀତିରେ ଦବଦବା ରଖିଥିବା ପ୍ରଭାତ ବିଶ୍ବାଳ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଦେବାଶିଷ ପଦ୍ମ ଧରିବା ପରେ ଏହି ଚର୍ଚ୍ଚାରେ ଏବେ ସାମୟିକ ବିରାମ ଲାଗିଛି।
Comments ସମସ୍ତ ମତାମତ