ମୁଖ୍ୟ ଖବର
ଝାରସୁଗୁଡ଼ା: ବିଗତ କିଛି ଦିନ ହେବ ଝାରସୁଗୁଡ଼ାରେ ବିଜେପି ନେତାଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ନଜର ଆସିଛି । ଅନେକ ସରକାରୀ ବେସରକାରୀ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ସାଂସଦ, ମନ୍ତ୍ରୀ ଓ ବିଧାୟକ ଯୋଗ ନ ଦେଇ ତାଙ୍କ ପ୍ରତିନିଧି ଯୋଗ ଦେବା ଘଟଣାକୁ ନେଇ ଖୁଲମଖୁଲା ସମାଲୋଚନା କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । ଯେଉଁଥିପାଇଁ ଜିଲ୍ଲା ବିଜେପିରେ ମନୋମାଳିନ୍ୟ ଥିବା ଚର୍ଚ୍ଚା ହେଉଛି ।
ସିଧାସଳଖ ଭାବରେ ରାଜସ୍ବ ମନ୍ତ୍ରୀ ତଥା ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ ଓ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଖୁଲମଖୁଲା ସମାଲୋଚନା କରିଛନ୍ତି ଝାରସୁଗୁଡ଼ା ବିଧାୟକ । ଯାହାକୁ ନେଇ ବ୍ରଜରାଜନଗରରେ ବିଜେପିର ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡାଙ୍କ ନେତୃତ୍ୱରେ ଏକ ସମ୍ମିଳନୀ ଅନୁଷ୍ଠିତ କରି ଝାରସୁଗୁଡ଼ା ବିଧାୟକଙ୍କୁ ତାଗିଦ କରାଯାଇଥିଲା । ଜିଲ୍ଲା ସଭାପତି ସିଧାସଳଖ ଭାବରେ ବିଧାୟକ ଟଙ୍କଧରଙ୍କୁ ତାଙ୍କ ଆଚରଣ ବ୍ୟବହାର ସୁଧାରିବା ପାଇଁ ତାଗିଦ କରିଛନ୍ତି ।
ସେପଟେ ବ୍ରଜରାଜନଗର ମଣ୍ଡଳ ସଭାପତି ଟିକେତ ସାହୁ ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ମାନସିକ ଚାପ ସୃଷ୍ଟି କରି ଇସ୍ତଫା ଦେବାକୁ ବାଧ୍ୟ କରାଯାଉଥିବା ସହ ନକଲ ଦସ୍ତଖତ ବ୍ୟବହାର ହୋଇଥିବା ଅଭିଯୋଗ କରି ସେ ରାଜ୍ୟ ସଭାପତିଙ୍କୁ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି । ବ୍ରଜରାଜନଗର ବିଜେପି ମଣ୍ଡଳ ସଭାପତି ଟିକେତ ସାହୁ ଦଳର ଜିଲ୍ଲା ସଭାପତିଙ୍କ ବିରୋଧରେ ସଂଗଠନୀୟ ଅନୈତିକତା ଓ ମାନସିକ ପ୍ରତାରଣାର ଗୁରୁତର ଅଭିଯୋଗ ଆଣିଛନ୍ତି ।
ରାଜ୍ୟ ସଭାପତିଙ୍କୁ ଦିଆଯାଇଥିବା ଲିଖିତ ଅଭିଯୋଗ ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ‘‘ଦଳରେ ଗୋଷ୍ଠୀବାଦକୁ ପ୍ରୋତ୍ସାହନ ଦେଇ ସଂଗଠନକୁ ଦୁର୍ବଳ କରାଯାଉଛି । ମଣ୍ଡଳ ସଭାପତି ପଦରୁ ଇସ୍ତଫା ଦେବା ପାଇଁ ତାଙ୍କ ଉପରେ ଲଗାତାର ମାନସିକ ଚାପ ପକାଯାଉଛି । ଏହା ସହ ସଂଗଠନର ଗୁରୁତ୍ୱପୂର୍ଣ୍ଣ ସୂଚନା ଜାଣିଶୁଣି ବିଳମ୍ବରେ ଦିଆଯାଉଥିବାରୁ ଦଳୀୟ କାର୍ଯ୍ୟ ପ୍ରଭାବିତ ହେଉଛି । ସବୁଠାରୁ ଗୁରୁତର ଅଭିଯୋଗ ହେଉଛି ତାଙ୍କ ଅନୁମତି ବିନା ନକଲ ଦସ୍ତଖତ ବ୍ୟବହାର କରି ଶକ୍ତିକେନ୍ଦ୍ର ପ୍ରମୁଖ ଓ ପ୍ରଭାରୀଙ୍କ ତାଲିକା ରାଜ୍ୟ କାର୍ଯ୍ୟାଳୟକୁ ପଠାଯାଇଛି । ଏହାକୁ ସେ ସଂଗଠନୀୟ ନୀତି ବିରୋଧୀ ଓ ଗୁରୁତର ଅନୈତିକ କାର୍ଯ୍ୟ ବୋଲି ବର୍ଣ୍ଣନା କରିଛନ୍ତି ’’।
ଏହି ଘଟଣା ପରେ ସ୍ଥାନୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିବାବେଳେ ଏନେଇ ଦଳ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ । ସଂଗଠନ ଭିତରେ ଉଠିଥିବା ଏହି ବିବାଦ ଆଗାମୀ ଦିନରେ କେଉଁ ମୋଡ଼ ନେବ ତାହା ଉପରେ ଏବେ ସଭିଙ୍କ ନଜର ରହିଛି ।
Comments ସମସ୍ତ ମତାମତ