Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଦିଦିଙ୍କ ଗଡ଼ ଚୂର୍‌ମାର୍‌ ପଛରେ ଏହି ୫ ଧୁରନ୍ଧର

    Share on :
    ajab-Image
    Date: May 5, 2026    Views: 2840

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ଏଥର ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଦୀର୍ଘ ଦିନ ଧରି ଅଜେୟ ରହିଆସିଥିବା କିଲ୍ଲା ଭୁଶୁଡ଼ି ଯାଇଛି । ଏହି ବିରାଟ ପରିବର୍ତ୍ତନର କେନ୍ଦ୍ରରେ ଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ରଣନୀତି ଓ ସାଙ୍ଗଠନିକ କାର୍ଯ୍ୟ ହିଁ ଏହି ବିଜୟର ପ୍ରମୁଖ ଆଧାର ସାଜିଥିବା କୁହାଯାଉଛି । ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ବେଙ୍ଗଲରେ ଡେରା ପକାଇ ଶାହ ନିର୍ବାଚନ ଅଭିଯାନକୁ କେବଳ ଭାଷଣ ପର୍ଯ୍ୟନ୍ତ ସୀମିତ ରଖି ନ ଥିଲେ, ବରଂ ତାହାକୁ ଏକ ସଙ୍ଗଠିତ ମିଶନରେ ପରିଣତ କରିଥିଲେ । ତେବେ ଏହି ବିଜୟ କେବଳ ଜଣେ ବ୍ୟକ୍ତିଙ୍କ ରଣନୀତିର ପରିଣାମ ଥିଲା, ତାହା ନୁହେଁ । ଶାହଙ୍କ ସହିତ ୫ ଜଣ ପ୍ରମୁଖ ନେତାଙ୍କ ଟିମ୍ ପ୍ରତ୍ୟେକ ମୋର୍ଚ୍ଚାରେ ସମନ୍ୱିତ ଉପାୟରେ କାମ କରିଥିଲେ । ଏମାନେ ବିଜେପିର ୫ ‘ଧୁରନ୍ଧର’ ସାଜି ଦଳକୁ ବିଜୟ ଆଡ଼କୁ ଅଗ୍ରସର କରାଇଥିଲେ ।

    ଏହି ୫ ନେତାଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅଭିଯାନରେ ସେ ମୁଖ୍ୟ ରଣନୀତିକାର ଭାବେ ଭୂମିକା ନିର୍ବାହ କରିଥିଲେ । ସେ ବିଭିନ୍ନ ସାମାଜିକ ତଥା ଜାତୀୟ ସମୂହଙ୍କ ମଧ୍ୟରେ ସନ୍ତୁଳନ ରଖି କେନ୍ଦ୍ର ଓ ରାଜ୍ୟ ନେତାଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରିପାରିଥିଲେ । ଏହାଦ୍ୱାରା ସମ୍ବଳ ଓ ନେତୃତ୍ୱର ପ୍ରଭାବୀ ଉପଯୋଗ ସୁନିଶ୍ଚିତ ହୋଇପାରିଥିଲା ।

    ଭୂପେନ୍ଦ୍ର ଯାଦବ ସଙ୍ଗଠନର ମାଇକ୍ରୋମ୍ୟାନେଜମେଣ୍ଟ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ । ବୁଥ୍ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ କରିବା ଓ ନିର୍ବାଚନ ପ୍ରକ୍ରିୟାର ଆଇନଗତ ଆହ୍ୱାନକୁ ସମ୍ଭାଳିବାରେ ସେ ବେଶ୍ ସିଦ୍ଧହସ୍ତ ସାବ୍ୟସ୍ତ ହୋଇଥିଲେ । ଏହାଦ୍ୱାରା ତୃଣମୂଳ ସ୍ତରରେ ଦଳ ମଜଭୁତ ହୋଇଚାଲିଥିଲା । ସୁନୀଲ ବଂଶଲ ସଙ୍ଗଠନକୁ ଶାଣିତ କରିଥିଲେ । ‘ପନ୍ନା ପ୍ରମୁଖ’ ମଡେଲ ଜରିଆରେ ସେ କାର୍ଯ୍ୟକର୍ତ୍ତାଙ୍କର ଏଭଳି ନେଟ୍‌ୱର୍କ ଛିଡ଼ା କରିଥିଲେ, ଯାହା ଟିଏମ୍‌ସିର କ୍ୟାଡର-ଆଧାରିତ ଢାଞ୍ଚାକୁ ଚ୍ୟାଲେଞ୍ଜ ଦେଇଥିଲା । ବିଗତ ୪ ବର୍ଷରେ ପ୍ରତ୍ୟେକ ଆସନର ଫିଡ୍‌ବ୍ୟାକ୍ ଆଧାରରେ ଅଭାବବୋଧ ଦୂର କରିବା ସହିତ ତୃଣମୂଳ ସ୍ତରରେ ମମତା ସରକାର ବିରୋଧରେ ପ୍ରସଙ୍ଗକୁ ନେଇ ଦଳୀୟ କ୍ୟାଡରଙ୍କୁ ସଡ଼କକୁ ଓହ୍ଲାଇଥିଲେ ।

    ବିପ୍ଳବ କୁମାର ଦେବ ନିଜ ଅଭିଜ୍ଞତା ଉପଯୋଗ କରି ବିଶେଷକରି ସେହି କ୍ଷେତ୍ର ଉପରେ କାମ କରିଥିଲେ, ଯେଉଁଠାରେ ସାମାଜିକ-ସାଂସ୍କୃତିକ ସମାନତା ତ୍ରିପୁରା ସହ ମିଳିଥାଏ । ତାଙ୍କ ଆକ୍ରାମକ ପ୍ରଚାର ଶୈଳୀ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିଥିଲା । ଅମିତ ମାଲବୀୟ ଡିଜିଟାଲ ମୋର୍ଚ୍ଚା ସମ୍ଭାଳିଥିଲେ । ସୋସିଆଲ ମିଡିଆ ଜରିଆରେ ସେ ଅନେକ ପ୍ରସଙ୍ଗକୁ ବ୍ୟାପକ ସ୍ତରରେ ଉଠାଇଥିଲେ ଏବଂ ବିରୋଧୀଙ୍କ ପ୍ରଚାର ତନ୍ତ୍ରର ପ୍ରଭାବୀ ଜବାବ ଦେଇଥିଲେ । ଏହାଦ୍ୱାରା ଜନମତକୁ ପ୍ରଭାବିତ କରିବା ପାଇଁ ସାଧନ ମିଳିଥିଲା । ଏହି ସମସ୍ତ ନେତାଙ୍କ ସାମୂହିକ ଉଦ୍ୟମ ବିଜେପି ପାଇଁ ପଶ୍ଚିମବଙ୍ଗରେ ନୂଆ ସମ୍ଭାବନାର ଦ୍ୱାର ଖୋଲିଥିଲା । ଏହି ବିଜୟ କେବଳ ନିର୍ବାଚନ ପରିଣାମ ନୁହେଁ, ବରଂ ଏକ ସୁନିୟୋଜିତ ରଣନୀତି, ମଜଭୁତ ସଙ୍ଗଠନ ଏବଂ ନିରନ୍ତର ପ୍ରୟାସ ହୋଇ ସାମ୍ନାକୁ ଆସିଥିଲା । ଏହା ବେଙ୍ଗଲ ରାଜନୀତିରେ ଏକ ନୂଆ ଅଧ୍ୟାୟ ଲେଖି ଦେଇଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook