ମୁଖ୍ୟ ଖବର
ଭୁବନେଶ୍ୱର: ଭଦ୍ରକ ବିଜେଡିରୁ ଏକା ଥରକେ ତିନି ତିନି ଜଣ ବ୍ଲକ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେବା ପରେ ତାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା ବିଜେଡି ପାଇଁ ଏକ ବଡ ଝଟକା ଥିବାବେଳେ ବିଜେପି ଶିବିରରେ ଉତ୍ସାହର ଲହରୀ ସୃଷ୍ଟି କରିଛି । ଆଗକୁ ଏହାର ସଂଖ୍ୟା ବୃଦ୍ଧି ହେବ ବୋଲି ଚର୍ଚ୍ଚା ଚାଲିଛି । ଏକାଥରେ ତିନି ଜଣ ଛାଡିବା କିନ୍ତୁ ବିଜେଡି ପାଇଁ ଏକ ଶକ୍ତ ଧକ୍କା । ଏମାନେ ବିଜେପିରେ ସାମିଲ ହେବା ନେଇ ଆଗରୁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇ ସାରିଛି ବୋଲି ଜଣାପଡିଛି । ଆଗକୁ ଅଛି ପଞ୍ଚାୟତ ଏବଂ ପୌର ନିର୍ବାଚନ । ଏପରି ଦଳ ଛାଡିବା ନିର୍ବଚନକୁ ପ୍ରଭାବିତ କରିବ । ଖାଲି ଏତିକି ନୁହେଁ, ଆହୁରି ଅନେକ ବିଜେଡି ଛାଡି ବିଜେପିରେ ମିଶିବା ପାଇଁ ଯୋଜନା ଚାଲିଥିବା କୁହାଯାଉଛି । ଏହାକୁ ନେଇ ଆଜି ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଛି ।
ଏ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିଜେପି ସମୁଦ୍ର । ଏଥିରେ ନଦୀମାନେ ମିଶିବେ । ମିଶ୍ରଣ ଏକ ପ୍ରକ୍ରିୟା । ଏହା ସବୁବେଳେ ଚାଲିଥାଏ । ଆମେ ୧୦ ପ୍ରତିଶତରୁ ବଢି ବଢି ୪୦ ପ୍ରତିଶତରେ ପହଞ୍ଚିଛୁ । ଯେଉଁମାନେ ଆମ ବିଚାରଧାରା, କାର୍ୟ୍ୟଶୈଳୀକୁ ଭଲ ପାଇବେ ଆମ ସହ ଆସି ମିଶିବେ । ଭଦ୍ରକ, ଭଣ୍ଡାରୀପୋଖରୀ ବ୍ଲକ ଅଧ୍ୟକ୍ଷା ଏବଂ ବନ୍ତ ବ୍ଲକ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେବାପୂର୍ବରୁ ମୋ ସହ ଆଲୋଚନା କରିଥିଲେ ବୋଲି ମନମୋହନ କହିଛନ୍ତି । ଦିଲ୍ଲୀରୁ ଫେରିବା ପରେ ସେମାନେ ଆସି ଏ ନେଇ ଆଲୋଚନା କରିଥିଲେ ।
୨୦୨୭ ପଞ୍ଚାୟତ ଏବଂ ପୌର ନିର୍ବାଚନ ହେବ। ତାପୂର୍ବରୁ ଯିଏ ବିଜେପିରେ ମିଶିବା ପାଇଁ ଚାହିଁବ ସିଏ ମିଶି ପାରିବ। ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ସହ ଆଲୋଚନା ହୋଇଛି। ପଞ୍ଚାୟତ ପୌର ନିର୍ବାଚନ ପୂର୍ବରୁ ମିଶ୍ରଣ କରାଯିବ ବୋଲି କହିଛନ୍ତି ମନମୋହନ ।
Comments ସମସ୍ତ ମତାମତ