ଭୁବନେଶ୍ୱର: ଧସୁଛି ବିଜେଡି ଗଡ଼ । ଜଣଙ୍କ ପରେ ଜଣେ ବିଜେଡି ରାଜ୍ୟସଭା ସାଂସଦ ଇସ୍ତଫା ଦେଉଛନ୍ତି । ଆଉ ଜଣେ ବିଜେଡି ସାଂସଦ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ସେ ହେଉଛନ୍ତି ସୁଜିତ କୁମାର ।୨୦୨୬ରେ ସୁଜିତ କୁମାରଙ୍କ କାର୍ଯ୍ୟକାଳ ଶେଷ ହୋଇଥାଆନ୍ତା । କାର୍ଯ୍ୟକାଳ ଶେଷ ହେବାର ୨ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ସୁଜିତ କୁମାର ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ସାଧାଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଇସ୍ତଫା ଦେଲି ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି ସୁଜିତ କୁମାର। ମମତା ମହାନ୍ତଙ୍କ ପରେ ସୁଜିତ କୁମାର ହେଉଛନ୍ତି ଦ୍ବିତୀୟ ବିଜେଡି ରାଜ୍ୟସଭା ସାଂସଦ ଯିଏ ଦଳ ଛାଡ଼ିଛନ୍ତି। ଏହାପରେ ସୁଜିତ କୁମାର ବିଜେପିରେ ଯୋଗ ଦେଇପାରିନ୍ତି ବୋଲି ଚର୍ଚ୍ଚା ହେଉଛି।ପୂର୍ବରୁ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ‘କମିଟି ଅନ୍ ପିଟିସନ୍ସ’ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦ ମିଳିଥିଲା। ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା।ଏହା ପୂର୍ବରୁ ମମତା ମହାନ୍ତ ଇସ୍ତଫା ଦେଇଥିଲେ । ପରେ ସେ ବିଜେପିରେ ମିଶିଥିଲେ । ବିଜେପିରେ ମିଶିବା ପରେ ମମତା ପୁଣି ରାଜ୍ୟସଭା ଯାଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୦ ମସିହାରେ ବିଜେଡି ମମତାଙ୍କୁ ରାଜ୍ୟସଭା ପଠାଇଥିଲା। ହେଲେ ସାଧାରଣ ନିର୍ବାଚନ ପରେ ତାଙ୍କୁ ବିଜେଡିରୁ ବାହାର କରିଦେବାର ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ହେଲେ ତା’ ପୂର୍ବରୁ ଅର୍ଥାତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ବେଳେ ଅସନ୍ତୋଷ ଝାଡ଼ିଥିଲେ ମମତା। ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ ଆଣିଥିଲେ। ତା’ପର ଦିନ ସେ ବିଜେପିରେ ମିଶିଥିଲେ।
Comments ସମସ୍ତ ମତାମତ