ମୁଖ୍ୟ ଖବର
ଭୁବନେଶ୍ୱର : ଡିଲିମିଟେସନ୍ ବିଲ୍ କୁ ନେଇ କ’ଣ ରହିବ ବିଜେଡିର ଆଭିମୁଖ୍ୟ? ସବୁ ରାଜ୍ୟରେ ସମାନ ହାରରେ ୫୦ ପ୍ରତିଶତ ଲୋକସଭା ଆସନ ବୃଦ୍ଧି ପ୍ରସ୍ତାବକୁ ସମର୍ଥନ କରିବ କି ବିଜେଡି ? ଆଜି ବିଜେଡି ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର ଦେଇଥିବା ବୟାନରୁ ଏ ନେଇ ଏକ ବଡ଼ ସଙ୍କେତ ମିଳୁଛି । ସେ କହିଛନ୍ତି, ଡିଲିମିଟେସନ୍ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ସବୁବେଳେ ସ୍ପଷ୍ଟ ରହିଛି ।
ଓଡ଼ିଶାର ସ୍ୱାର୍ଥ ସୁରକ୍ଷିତ ରହିବା ଦରକାର । ସଂସଦରେ ବର୍ତ୍ତମାନ ଓଡ଼ିଶାର ଯେଉଁ ଅନୁପାତରେ ପ୍ରତିନିଧିତ୍ୱ ରହିଛି, ଡିଲିମିଟେସନ୍ ପରେ ମଧ୍ୟ ସେହି ଅନୁପାତ ବଜାୟ ରହିବା ଉଚିତ। ବର୍ତ୍ତମାନ ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଓଡ଼ିଶାର ୨୧ଟି ଆସନ ରହିଛି। ଅର୍ଥାତ୍ ଲୋକସଭାର ମୋଟ ଆସନ ସଂଖ୍ୟାରେ ଓଡ଼ିଶାର ପ୍ରତିନିଧିତ୍ୱ ଅନୁପାତ ହେଉଛି ୩.୮୭ ପ୍ରତିଶତ। ଯଦି ନୂଆ ଡିଲିମିଟେସନ୍ ବିଲ୍ ରେ ସବୁ ରାଜ୍ୟ ପାଇଁ ସମାନ ହାରରେ ୫୦ ପ୍ରତିଶତ ଆସନ ବୃଦ୍ଧି ପ୍ରସ୍ତାବ ରହେ, ତେବେ ଲୋକସଭାର ଆସନ ସଂଖ୍ୟା ପ୍ରାୟ ୮୧୫କୁ ବୃଦ୍ଧି ପାଇପାରେ । ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ରୁ ୩୧ କିମ୍ବା ୩୨କୁ ବୃଦ୍ଧି ପାଇପାରେ । ଏଭଳି ସ୍ଥିତିରେ ଓଡ଼ିଶାର ପ୍ରତିନିଧିତ୍ୱ ଅନୁପାତ ପ୍ରାୟ ଅପରିବର୍ତ୍ତିତ ରହିବ ।
ଗଣିତ ଅନୁସାରେ ୮୧୫ ଆସନରୁ ଓଡ଼ିଶାକୁ ୩୧ଟି ମିଳିଲେ ପ୍ରତିନିଧିତ୍ୱ ଅନୁପାତ ୩.୮୦% ଏବଂ ୩୨ଟି ମିଳିଲେ ୩.୯୩% ହେବ । ଅନ୍ୟପକ୍ଷରେ କେବଳ ଜନସଂଖ୍ୟାକୁ ଆଧାର କରି ଆସନ ପୁନନିର୍ଦ୍ଧାରଣ କରାଗଲେ ଓଡ଼ିଶାର ପ୍ରତିନିଧିତ୍ୱ ଅନୁପାତ ୩.୪ ପ୍ରତିଶତକୁ ହ୍ରାସ ପାଇବା ନେଇ ଆକଳନ ରହିଛି । ଏହି ପରିପ୍ରେକ୍ଷୀରେ ସଂତୃପ୍ତ ମିଶ୍ରଙ୍କ ବୟାନ ବେଶ୍ ଗୁରୁତ୍ୱ ବହନ କରୁଛି । ସବୁ ରାଜ୍ୟରେ ସମାନ ହାରରେ ୫୦ ପ୍ରତିଶତ ଆସନ ବୃଦ୍ଧି ହେଲେ ଏବଂ ଓଡ଼ିଶାର ବର୍ତ୍ତମାନର ପ୍ରତିନିଧିତ୍ୱ ଅନୁପାତ ସୁରକ୍ଷିତ ରହିଲେ ବିଜେଡି ଡିଲିମିଟେସନ୍ ବିଲ୍ କୁ ସମର୍ଥନ କରିବାର ସମ୍ଭାବନା ରହିଥିବା ତାଙ୍କ ବୟାନରୁ ଅନୁମାନ କରାଯାଉଛି । ତେବେ ବିଲ୍ କୁ ସମର୍ଥନ ନେଇ ବିଜେଡି ଏଯାଏ ଆନୁଷ୍ଠାନିକ ଭାବେ କୌଣସି ନିଷ୍ପତ୍ତି ଘୋଷଣା କରିନାହିଁ। ନୂଆ ବିଲ୍ ର ଚୂଡ଼ାନ୍ତ ରୂପରେଖ ଓ ଆସନ ବଣ୍ଟନ ଫର୍ମୁଲା ଉପରେ ନିର୍ଭର କରିବ ବିଜେଡିର ଆଭିମୁଖ୍ୟ ।
Comments ସମସ୍ତ ମତାମତ