Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡିରେ ହଲ୍‌ଚଲ୍‌ ; ଶଙ୍ଖ ଧରିବେ ସୁଜାତା !

    Share on :
    ajab-Image
    Date: Jun 25, 2026    Views: 2470

    ଭୁବନେଶ୍ୱର: ଜାତୀୟସ୍ତରରେ ଆଞ୍ଚଳିକ ଦଳର ଭବିଷ୍ୟତ ନେଇ ହଟଚମଟ ଲାଗି ରହିଥିବାବେଳେ ରାଜ୍ୟରେ ବିଜେଡିରେ ବଡ଼ ହଲଚଲ ଦେଖିବାକୁ ମିଳିଛି। ଭି.କେ. ପାଣ୍ଡିଆନ୍‌ଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ସୁଜାତା ରାଉତ କାର୍ତ୍ତିକେୟନ ଗୁରୁବାର ବିଜେଡ଼ିରେ ବିଧିବଦ୍ଧ ଭାବେ ସାମିଲ ହେଉଥିବା ଚର୍ଚ୍ଚାରୁ ଏଭଳି ସ୍ଥିତି ହୋଇଛି। ସୁଜାତା ବିଜେଡିରେ ମିଶିବା ନେଇ ଦଳ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇ ନାହିଁ। ତେବେ ଦଳର କିଛି ବରିଷ୍ଠ ନେତାଙ୍କ ବୟାନରୁ ଏନେଇ ସ୍ପଷ୍ଟ ସଙ୍କେତ ମିଳୁଛି।
    ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଦିନ ୧୨ଟାରୁ ୨ଟା ମଧ୍ୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସୁଜାତା ବିଧିବଦ୍ଧ ଭାବେ ଦଳରେ ସାମିଲ ହେବେ। ବିଜେଡିରେ ସୁଜାତାଙ୍କ ଯୋଗଦାନ ନେଇ ନିଜେ ନବୀନ ଦିନ ୧୨ଟା ୩୦ ମିନିଟ୍‌ରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବେ ବୋଲି କୁହାଯାଉଛି। ଏଥିପାଇଁ ଦିନ ୧୧ଟାରୁ ଶଙ୍ଖ ଭବନରେ ଉପସ୍ଥିତ ରହିବାକୁ ଦଳୀୟ ବିଧାୟକ, ସାଂସଦ ଏବଂ ବରିଷ୍ଠ ନେତାଙ୍କୁ ନବୀନ ନିବାସରୁ ନିର୍ଦେଶ ଦିଆଯାଇଛି। ବୁଧବାର ଦିନତମାମ ନବୀନ ନିବାସରେ ଘନଘନ ବୈଠକ ଦେଖିବାକୁ ମିଳିଛି। ସୁଜାତା ଦଳରେ ମିଶିବା ନେଇ ବରିଷ୍ଠ ନେତାମାନଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ଗଣମାଧ୍ୟମରେ କେହି ମୁହଁ ଖୋଲିନାହାନ୍ତି। ଏସ୍‌ଆଇଆର୍‌, ନାରୀ ନିର୍ଯାତନା ଭଳି ପ୍ରସଙ୍ଗରେ ନବୀନ ନିବାସରେ ଆଲୋଚନା ହୋଇଥିବା କିଛି ନେତା କହିଛନ୍ତି।
    ବିଜେଡିରେ ସୁଜାତାଙ୍କ ମିଶ୍ରଣ ପରେ ସେ ଜଣେ ସାଧାରଣ କର୍ମୀ ଭାବେ କାର୍ଯ୍ୟ କରିବେ ନା ଦଳର ନେତୃତ୍ବ ନେବେ; ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗିଛି। ୨୦୨୪ ନିର୍ବାଚନରେ ପରାଜୟ ପରେ ଦଳର ସାଙ୍ଗଠନିକ କାର୍ଯ୍ୟ ପଛେଇ ଯାଇଛି। ଜଣେ ପରେ ଜଣେ ନେତା ଦଳ ଛାଡ଼ୁଛନ୍ତି। ଏପରିକି ରାଜ୍ୟସଭା
    ସାଂସଦମାନେ ମଧ୍ୟ ଦଳଠୁ ଦୂରେଇ ଯାଇ ବିଜେପିରେ ସାମିଲ ହେଉଛନ୍ତି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ଏହା ପୂର୍ବରୁ ସୁଜାତାଙ୍କୁ ଦଳରେ ସାମିଲ କରାଇ ପଞ୍ଚାୟତ ଓ ପୌର ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ବିଜେଡି ପ୍ରସ୍ତୁତ ହେଉଛି। ଅନ୍ୟପକ୍ଷରେ ସୁଜାତାଙ୍କ ମିଶ୍ରଣ ପରେ ଦଳରେ କନ୍ଦଳ ଆହୁରି ତୀବ୍ର ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନି। କିଛି ବରିଷ୍ଠ ନେତା ଏବଂ ବିଧାୟକ ସୁଜାତାଙ୍କୁ ଦଳରେ ସ୍ବାଗତ କରିବେନି ବୋଲି ଗଣମାଧ୍ୟମରେ ଖୋଲାଖୋଲି କହିସାରିଛନ୍ତି। ସୁଜାତା ଶଙ୍ଖ ଧରିବା ପରେ ସେମାନଙ୍କ ଆଭିମୁଖ୍ୟ କ’ଣ ହେବ; ତାହା ଆଲୋଚନାର ବିଷୟ ହୋଇଛି। ସେହିପରି ଦଳରେ ସୁଜାତାଙ୍କୁ ବହୁ ନେତା ସ୍ବାଗତ କରିବେ ବୋଲି କହିଛନ୍ତି। ସୁଜାତାଙ୍କୁ ବିଜେଡିରେ ସାମିଲ କରାଇବା ଦିଗରେ କିଛି ବରିଷ୍ଠ ନେତାଙ୍କ ପ୍ରମୁଖ ଭୂମିକା ଥିବା ଚର୍ଚ୍ଚା ହେଉଛି।
    ଉଲ୍ଲେଖଯୋଗ୍ୟ ଯେ, ସୁଜାତାଙ୍କ ଯୋଗଦାନ ନେଇ ବେଶ୍ କିଛି ଦିନ ପୂର୍ବରୁ ଦଳ ଭିତରେ କସରତ ଚାଲିଥିଲା। କିଛିଦିନ ତଳେ ନବୀନ ଦିଲ୍ଲୀ ଗସ୍ତ କରିଥିଲେ। ଏହି ସମୟରେ ଭାଇ ପ୍ରେମ ପଟ୍ଟନାୟକଙ୍କ ସହ ବିଜେଡିର ଉତ୍ତରାଧିକାରୀ ସମ୍ପର୍କରେ ନବୀନ ଆଲୋଚନା କରିଥିବା କୁହାଯାଉଛି। ସୁଜାତା ବିଜେଡିରେ ଜଣେ ସାଧାରଣ କର୍ମୀ ଭାବେ ଯୋଗଦେବା ନେଇ ଆଲୋଚନା ହେଉଥିବାବେଳେ ଆଗକୁ ସେ ହିଁ ଦଳର ମଙ୍ଗ ଧରିବେ ବୋଲି ଚର୍ଚ୍ଚା ହେଉଛି। ଦଳର ପୁରୁଖା ନେତା ଓ କର୍ମୀ ଏବଂ ପାଣ୍ଡିଆନଙ୍କୁ ବିରୋଧ କରୁଥିବା ନେତା କେତେଦୂର ସୁଜାତାଙ୍କୁ ଗ୍ରହଣ କରିବେ ତାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook