Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୧୮ ମାସରେ ବିଜେପି ସରକାରଙ୍କ ବିଫଳତା ଶିଖର ଛୁଇଁଛି: ବିଜେଡି

    Share on :
    ajab-Image
    Date: Jan 8, 2026    Views: 2818

    ଭୁବନେଶ୍ୱର: ବାଣପୁରରେ ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ସଭାରେ ଉଦବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ପୂର୍ବ ସରକାରରେ ୫ଟି ସ୍କୁଲ ନାଁରେ ଦୁର୍ନୀତି ହୋଇଛି ବୋଲି ଦେଇଥିବା ମନ୍ତବ୍ୟ ଉପରେ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ରଖିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ତାଙ୍କ ସରକାର କେବଳ ନିଜର ବିଫଳତାକୁ ଲୁଚାଇବାକୁ ଯାଇ ବାରମ୍ୱାର ପୂର୍ବ ସରକାରଙ୍କ ବିଫଳତା ବା ଦୁର୍ନୀତି କଥା କହୁଛନ୍ତି । ମୋହନ ସରକାରଙ୍କ ଏହି ମିଛକୁ ରାଜ୍ୟବାସୀ ବୁଝି ଗଲେଣି ବୋଲି ବିଜେଡି କହିଛି । 
    ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଗତ ୧୮ ମାସର ଶାସନରେ, ସମସ୍ତ କ୍ଷେତ୍ରରେ, ବିଜେପି ସରକାରଙ୍କ ବିଫଳତା ଶିଖର ଛୁଇଁଲାଣି । ବହୁତ ବଡ଼ ବଡ଼ କଥା କହି ଓ ପୂର୍ବ ସରକାରଙ୍କ ନାରେ ବିଭିନ୍ନ ମିଥ୍ୟା ଅଭିଯୋଗ ଆଣି ବିଜେପି କ୍ଷମତା ହାତେଇବାକୁ ସକ୍ଷମ ହୋଇଥିଲା । ହେଲେ ବିଜେପି ସରକାରଙ୍କ ଅପାରଗପଣିଆ ଓ ବିଫଳତା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି । ରାଜ୍ୟକୁ ଏକ ନମ୍ୱର କରିବ ବୋଲି ଦାବି କରି କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ଏବେ ଅପାରଗତାରେ ଦେଶରେ ଏକ ନମ୍ୱର ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟ ବଜେଟରେ ବିଭିନ୍ନ ବିଭାଗ ପାଇଁ ନିର୍ଦ୍ଧାରିତ ଅର୍ଥରୁ ଅଧିକାଂଶ ବିଭାଗରେ ଚାଳିଶ ପ୍ରତିଶତରୁ ଅଧିକ ଖର୍ଚ୍ଚ ହୋଇ ପାରୁନାହିଁ । ବିଭିନ୍ନ ପ୍ରସଙ୍ଗରେ, ରାଜ୍ୟ ସରକାରଙ୍କ ତୋଗଲକି ନିଷ୍ପତ୍ତି ଯୋଗୁ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ପଲୁ୍ୟସନ ସାର୍ଟିଫିକେଟକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏବେ ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛି । କିନ୍ତୁ, ରାଜ୍ୟ ସରକାରଙ୍କର ଏଥିପ୍ରତି ନିଘା ନାହିଁ । ଓଡିଶାକୁ କେନ୍ଦ୍ର ଅନୁଦାନ ୧୮.୧୯ ପ୍ରତିଶତ କମିଗଲା, ରାଜ୍ୟ ସରକାର ନିରବଦ୍ରଷ୍ଟା । ରାଜ୍ୟରେ ଲଘୁ ଓ ଗୁରୁ ଖଣିଜ ସମ୍ପଦରେ ବିଜେପି ସରକାରଙ୍କ ସମୟରେ ବ୍ୟାପକ ଚୋରି ବୃଦ୍ଧି କାରଣରୁ ଲଘୁ ଖଣିଜ ସମ୍ପଦରେ ରାଜସ୍ୱ ୧୮୮୫ କୋଟିରୁ ୬୦୦ କୋଟି ଟଙ୍କାକୁ ଖସି ଆସିଛି । ସେହିପରି, ଗୁରୁ ଖଣିଜ ସମ୍ପଦରେ ରାଜସ୍ୱ ୫୦, ୦୦୦ କୋଟି ଟଙ୍କାରୁ ୩୪, ୦୦୦ କୋଟି ଟଙ୍କାକୁ ଖସି ଆସିଛି । ମହିଳାମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । କୃଷକମାନେ ନ୍ୟାୟ ନପାଇ ଏବେ ରାଜରାସ୍ତାରେ ।  
    ରାଜ୍ୟ ସରକାରଙ୍କ ବିଫଳତା ଶିଖର ଛୁଇଁଥିବା ବେଳେ, ମୁଖ୍ୟମନ୍ତ୍ରୀ ଲମ୍ୱା ଭାଷଣ ମାରୁଛନ୍ତି ଓ ପୂର୍ବ ସରକାରଙ୍କ ନାମରେ ମିଥ୍ୟା ଆରୋପ କରୁଛନ୍ତି । କ୍ଷମତାକୁ ଆସିବାର ୧୮ ମାସ ବିତି ଯାଇଥିଲେ ମଧ୍ୟ କୌଣସି ଗୋଟିଏ ବି ଦୁର୍ନୀତିକୁ ସାମ୍ନାକୁ ଆଣିବାରେ ସକ୍ଷମ ହୋଇ ନାହାନ୍ତି ସରକାର । କିନ୍ତୁ, ବାରମ୍ୱାର ମିଥ୍ୟା ଆରୋପ ଲୋକଙ୍କ ଆଗରେ ଗପି ଚାଲିଛନ୍ତି । ଗୋଟିଏ ପଟେ ୫ଟି ନାଁରେ ଦୁର୍ନୀତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି, ଅପର ପକ୍ଷରେ ଉକ୍ରର୍ଷ ଓଡିଶା କାର୍ଯ୍ୟକ୍ରମରେ ଶିଳ୍ପାନୁଷ୍ଠାନ ଗୁଡିକୁ ଆକର୍ଷିତ କରିବା ପାଇଁ ଓଡ଼ିଶାରେ ୫ଟି ଭଳି ସୁଦୃଢ ବ୍ୟବସ୍ଥା ରହିଛି ବୋଲି ରାଜ୍ୟ ବିଜେପି ସରକାର ଲିଖିତ ଭାବେ ଦେଇଛନ୍ତି । ଏହା ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ଦର୍ଶାଉଛି । ତେଣୁ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଏଭଳି ମିଥ୍ୟା ଆରୋପ ଆଣିବାରୁ ନିବୃତ୍ତ ରୁହନ୍ତୁ ଓ ଶାସନ ବ୍ୟବସ୍ଥାରେ କିପରି ସୁଧାର ଆସିବ, ସେଥିପ୍ରତି ଯତ୍ନବାନ ହୁଅନ୍ତୁ ବୋଲି ଡ. ମହାନ୍ତି କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook