ମୁଖ୍ୟ ଖବର
ଭୁବନେଶ୍ୱର: ଆସନ୍ତା ଡିସେମ୍ୱର ୯ରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ଟି-୨୦ କି୍ରକେଟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଓଡ଼ିଶାର ଅଗଣିତ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । କିନ୍ତୁ ଏହି ଖେଳ ବିଶ୍ୱର ସମସ୍ତ କ୍ରିକେଟ ପ୍ରେମୀଙ୍କ ନଜରରେ ରହିବାକୁ ଯାଉଥିବା ବେଳେ, ଏହାକୁ ତ୍ରୁଟିଶୁନ୍ୟ ଭାବେ ଆୟୋଜନ କରିବା ଓଡିଶା କ୍ରିକେଟ ଆସୋସିଏସନ ଓ ଓଡିଶା ସରକାରଙ୍କ ପାଇଁ ଆହ୍ୱାନ ହୋଇଛି ବୋଲି ବିଜୁ ଜନତା ଦଳ କହିଛି । ବିଶେଷକରି ଗତଥର ବାରବାଟୀରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଦିନିକିଆ ମ୍ୟାଚ ବେଳେ ଫ୍ଲଡ଼ ଲାଇଟ ବିଭ୍ରାଟ, ପାସ୍ ବଣ୍ଟନରେ ହୋଇଥିବା ଅବ୍ୟବସ୍ଥା ଗୁଡିକର ଯେପରି ପୁନରାବୃତ୍ତି ନହୁଏ, ସେଥିପ୍ରତି ଯତ୍ନବାନ ହେବାକୁ ପଡିବ ବୋଲି ବିଜେଡି କହିଛି ।
ଟି-୨୦ କ୍ରିକେଟ ମ୍ୟାଚରେ ସୁରକ୍ଷା ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ବୈଠକ ବୁଧୁବାର ଅନୁଷ୍ଠିତ ହୋଇଥିବା ବେଳେ ବିଜୁ ଜନତା ଦଳ ଏହା ଉପରେ ପ୍ରତିକ୍ରିୟା ରଖିଛି ।
ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ସମ୍ପ୍ରତି ଦେଶର ରାଜଧାନୀ ଦିଲ୍ଲୀ ଠାରେ ଘଟିଥିବା ଆତଙ୍କୀ ବିସ୍ଫୋରଣ ଯୋଗୁଁ ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତ ଓ ସାଉଥ ଆଫ୍ରିକା ମ୍ୟାଚ ବେଳେ ସୁରକ୍ଷା ଏକ ମୁଖ୍ୟ ପ୍ରସଙ୍ଗ । କିନ୍ତୁ ଏହା ସହିତ ଏହି ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚକୁ ତ୍ରୁଟିଶୂନ୍ୟ ଭାବେ ଆୟୋଜନ କରିବା ମଧ୍ୟ ଏକ ଗୁରୁ ଦାୟିତ୍ୱ । ବିଶେଷକରି ଗତବର୍ଷ ଭାରତ ଓ ଇଂଲଣ୍ଡ ମଧ୍ୟରେ କଟକରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏକଦିବସୀୟ ମ୍ୟାଚ ବେଳେ ଷ୍ଟାଡିୟମର ଫ୍ଲଡ଼ ଲାଇଟରେ ବିଭ୍ରାଟ ଦେଖା ଦେଇଥିଲା ଓ ଏହା ଓଡିଶା ପାଇଁ ନିନ୍ଦା ଓ ଲଜ୍ଜ୍ୟା ଆଣିଥିଲା । ତାର ପୁନରାବୃତ୍ତି ହେବା ଅନୁଚିତ । ତେଣୁ ତ୍ରୁଟିଶୂନ୍ୟ ଭାବେ କିଭଳି ମ୍ୟାଚ୍ଟିକୁ ଆୟୋଜନ କରାଯାଇ ପାରିବ, ଓସିଏ ଓ ରାଜ୍ୟ ସରକାର ସେଥିପ୍ରତି ଯତ୍ନବାନ ହେବା ଦରକାର ବୋଲି ସେ ପ୍ରକାଶ କରିଛନ୍ତି।
Comments ସମସ୍ତ ମତାମତ