ମୁଖ୍ୟ ଖବର
ଭୁବନେଶ୍ୱର: ଛାତ୍ରସଂସଦ ନିର୍ବାଚନ ନେଇ ପୂର୍ବ ସରକାରକୁ ଅନେକ ଥର ଟାର୍ଗେଟ୍ କରିଥିଲା ବିଜେପି । ବିଜେପି ସରକାରକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ ହେବ ଆଉ ଛାତ୍ର ନେତାଙ୍କୁ ଆଗକୁ ଆଣିବ । ଏଭଳି ଅନେକ ପ୍ରତିଶ୍ରୁତି ଦେଇଥିଲା ବିଜେପି, କିନ୍ତୁ ଏବେ ଅଧା ସେପ୍ଟେମ୍ବର ହେଲାଣି ଛାତ୍ର ସଂସଦ ନିର୍ବାଚନ ନେଇ କ୍ୟାମ୍ପସରେ କୌଣସି ହଲଚଲ ଦେଖିବାକୁ ମିଳୁନି ।ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେବାକୁ ଯାଉଛି । ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ । ଦଶହରା ଛୁଟି ପୂର୍ବରୁ ସାଧାରଣତଃ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏଥର ପୂଜା ନିକଟତର ହୋଇଗଲାଣି କିନ୍ତୁ ଛାତ୍ର ସଂସଦ ନିର୍ବାଚନ ହୋଇପାରିଲା ନାହିଁ । ଯାହାକୁ ନେଇ ରାଜ୍ୟ ରାଜନୀତି ତେଜିଥିବା ବେଳେ ଏହାକୁ ଖୋରାକ ଯୋଗାଇଛି ବିଜେଡି ନେତାଙ୍କ ବୟାନ । ବିଜେଡି ନେତା ଗୌତମବୁଦ୍ଧ ଦାସ ଛାତ୍ର ସଂସଦ ନିର୍ବାଚନ ନେଇ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ବିଜେପିକୁ ଭୟ ଘାରିଛି । ବିଜେପି ଜାଣିଛି ଛାତ୍ର ସଂସଦ ନିର୍ବାଚନ ହେଲେ ବିଜେପିର ପରାଜୟ ନିଶ୍ଚିତ । ନିର୍ବାଚନ ହେଲେ ଏବିଭିପି ସମ୍ପୂର୍ଣ୍ଣ ପୋଛି ହୋଇଯିବ । ତେଣୁ ଛାତ୍ର ସଂସଦ ନିର୍ବାଚନ କରିବାକୁ ବିଜେପିକୁ ଡର ଲାଗୁଛି । ସେପଟେ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କ କୌଣସି ଆଗ୍ରହ ନାହିଁ ବୋଲି କହିଛି କଂଗ୍ରେସ । ଆସନ୍ତା ୬ଦିନ ଭିତରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା ନହେଲେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ।
Comments ସମସ୍ତ ମତାମତ