Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବାଲିଯାତ୍ରା ଆୟୋଜନରେ ତ୍ରୁଟି ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି:ବିଜୁ ଜନତା ଦଳ

    Share on :
    ajab-Image
    Date: Nov 20, 2024    Views: 3126

    ଭୁବନେଶ୍ୱର : ଏ ବର୍ଷର ବାଲିଯାତ୍ରା କାର୍ୟ୍ୟକ୍ରମର ପରିଚାଳନାରେ ହୋଇଥିବା ଅନେକ ବିଭ୍ରାଟକୁ ନେଇ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ  ବର୍ଷିଛି। ବିଜୁ ଜନତା ଦଳ ତରଫରୁ ଶଙ୍ଖଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି ଓ ଦଳର ମୁଖପାତ୍ର ଇପ୍ସିତା ସାହୁ କହିଥିଲେ, ଐତିହ୍ୟ ସହର କଟକରେ ପ୍ରତିବର୍ଷ ହେଉଥିବା ଐତିହାସିକ ବାଲିଯାତ୍ରାରେ ପରିଚାଳନାରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି, ଯାହା ବାଲିଯାତ୍ରାର ଗୌରବକୁ କ୍ଷୁର୍ଣ୍ଣ କରୁଛି।
    ବାଲିଯାତ୍ରା ଆୟୋଜନରେ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ତତ୍ତ୍ଵାବଧାନରେ ହୋଇଥାଏ। ତେଣୁ ଖାମଖିଆଲି ଭାବେ ଏହାକୁ ଆୟୋଜନ କରି ଏହି ପ୍ରକାରର ତ୍ରୁଟି ହେବା ନିଶ୍ଚିତ ଭାବେ ଅକ୍ଷମଣୀୟ। ବାଲିଯାତ୍ରା ଆୟୋଜନରେ ହୋଇଥିବା ତ୍ରୁଟି ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି ବୋଲି ଡ଼ଃ ମହାନ୍ତି କହିଥିଲେ।
    ସେ କହିଥିଲେ, ଚଳିତ ବର୍ଷ ବାଲିଯାତ୍ରାରେ ୧୪ଟି ଦେଶର ପ୍ରତିନିଧି ଯୋଗ ଦେବେ ଓ ଏହା ଦ୍ୱାରା ଆନ୍ତର୍ଜାତୀୟ ସ୍ତରରେ ଏକ ପରିଚୟ ମିଳିବ ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା। କିନ୍ତୁ ଡବଲ ଇଂଜିନ ଡବଲ ବିକାଶର ନାରା ଦେଇ ଆସିଥିବା ବିଜେପି ସରକାର ବାଲିଯାତ୍ରାକୁ ଏକ ଜାତୀୟ ଉତ୍ସବର ମାନ୍ୟତା ଦେଇଥିଲେ ତାହା ଏକ ଉଚିତ ପଦକ୍ଷେପ ହୋଇଥାନ୍ତା। କୁମ୍ଭମେଳାକୁ ଜାତୀୟ ଉତ୍ସବର ମାନ୍ୟତା ମିଳିଛି ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ଏହି କାର୍ୟ୍ୟକ୍ରମ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥାଏ। ବାଲିଯାତ୍ରାକୁ ଜାତୀୟ ଉତ୍ସବ ଘୋଷଣା ହେଲେ, ଏହାର ଆୟୋଜନ ପାଇଁ କେନ୍ଦ୍ରରୁ ଆର୍ଥିକ ଅନୁଦାନ ମିଳିପାରିବ। ତେଣୁ ବାଲିଯାତ୍ରାକୁ ଜାତୀୟ ଉତ୍ସବ ମାନ୍ୟତା ପ୍ରଦାନ କରିବା ପାଇଁ ଆମେ ଦାବି କରୁଛୁ ବୋଲି ଡ଼ଃ ମହାନ୍ତି କରିଥିଲେ। ସେ କହିଥିଲେ, ଗୋଟିଏ ପଟେ ବାଲିଯାତ୍ରାକୁ ଆନ୍ତର୍ଜାତୀୟ ପ୍ରତିଷ୍ଠା ହାସଲ କଥା ଆମେ କହୁଛେ କିନ୍ତୁ ଆମେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥିମାନଙ୍କ ପାଇଁ ବ୍ୟାଟେରୀ ଗାଡି ଯୋଗାଡ଼ କରିବାରେ ସକ୍ଷମ ହୋଇ ପାରୁନାହେଁ। ରାଜ୍ୟର ଏକ ମର୍ୟ୍ୟାଦାସମ୍ପର୍ଣ୍ଣ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଉପଯୁକ୍ତ ସମ୍ମାନ ଦିଆନଯାଇ ପାରିବା ଏକ ଲଜ୍ଜ୍ୟାଜନକ ବିଷୟ। ଆମେ ଜାଣିବାକୁ ପାଇଛୁ ଯେ ବାଲିଯାତ୍ରାର ଉଦଘାଟନ କାର୍ୟ୍ୟକ୍ରମର ନିମନ୍ତ୍ରଣ ପତ୍ରରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ନାଁ ନଥିଲା, ଯାହା ଏକ ବିଡ଼ମ୍ବନା। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ଦିନ ରାତି ବାରଟା ପର୍ୟ୍ୟନ୍ତ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ତା ପରଦିନ ଓଡ଼ିଶାର ପ୍ରତିଷ୍ଠିତ କଳାକାର ଅସୀମା ପଣ୍ଡାଙ୍କୁ ରାତି ଦଶ ବାଜିଗଲା ବୋଲି ତାଙ୍କୁ ମଞ୍ଚ ଉପରୁ ପୁଲିସ ଦ୍ଵାରା ତାଗିଦ କରି ଓହ୍ଲାଇ ଦିଆ ଯାଇଥିଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ଆମେ ବାଲିଯାତ୍ରା କାର୍ୟ୍ୟକ୍ରମକୁ ରାତି ୧୨ଟା ପର୍ୟ୍ୟନ୍ତ ହେବାକୁ ସରକାର ଅନୁମତି ଦିଆଯାଉ ବୋଲି ଆମେ ଦାବି କରୁଛୁ। ବାଲିଯାତ୍ରରେ ଐତିହାସିକ କଟକ ସହରରେ ଅନୁଷ୍ଠିତ ହେଉଥିବାରୁ, ପ୍ରତିବର୍ଷ କଟକର ମେୟର ଉଦଘାଟନ ଉତ୍ସବରେ ସ୍ୱାଗତ ଭାଷଣ ଦେଇଥାନ୍ତି। କିନ୍ତୁ ଏବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ମେୟରଙ୍କ ସ୍ଥାନରେ କେଉଁ ପରିପ୍ରେକ୍ଷୀରେ, କଟକ ସଦର ବିଧାୟକ ସ୍ୱାଗତ ଭାଷଣ ଦେବାକୁ ଦିଆଗଲା, ତାହା ଜନସାଧାରଣଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ତାଛଡ଼ା କଟକ ସଦର ବିଧାୟକଙ୍କ ଦ୍ୱାରା ଇଂରାଜୀରେ ଦିଆଯାଇଥିବା ସ୍ୱାଗତ ଭାଷଣ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଓଡ଼ିଆ ଅସ୍ମିତାର ନାରା ଦେଇ ଆସିଥିବା ସରକାର କେଉଁ ପ୍ରକାରର ଓଡ଼ିଆ ଅସ୍ମିତାର ରକ୍ଷାକର୍ତ୍ତା ସାଜିଛି, ତାହା ଓଡିଶାବାସୀ ଭଲ ଭାବେ ବୁଝିଲେଣି। ଇପ୍ସିତା ସାହୁ କହିଥିଲେ, ବାଲିଯାତ୍ରାରେ ଜଣେ ଯୁବକଙ୍କ ବିଦ୍ୟୁତ ଆଘାତ ପାଇ ମୂତ୍ୟୁ ହେବା, ବାଲିଯାତ୍ରାକୁ ଆସୁଥିବା ଲୋକ ମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ସରକାର ସମସ୍ତଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ସହିତ ମୃତ ଯୁବକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଆମେ ଦାବି କରୁଛୁ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook