ମୁଖ୍ୟ ଖବର
ଭୁବନେଶ୍ୱର:ବିଜେଡି ନେତା ଭୂପିନ୍ଦର ସିଂ ଶନିବାର ଗୋଟିକ ପରେ ଗୋଟିଏ ବିସ୍ଫୋରକ ବୟାନ ଦେବାରେ ଲାଗିଛନ୍ତି । ପ୍ରଥମେ ନିଜ ଦଳ କହିବା ପରେ ଏବେ ତାଙ୍କୁ ଅନ୍ୟ ଦଳରୁ ଆସୁଥିବା ଅଫର ସମ୍ପର୍କରେ ବି କହିଛନ୍ତି ।
ସେ କହିଛନ୍ତି ଯେ ଏବେ ଆଇପିଏଲ ଚାଲିଛି । ଭଲ ପ୍ଲେୟାରଙ୍କୁ ସମସ୍ତେ ନେବାକୁ ଚାହିଁବେ । ମୁଁ ଜଣେ ଭଲ ପ୍ଲେୟାର, ମୋ ପାଖରେ ସମର୍ଥନ ଅଛି । ଏବେ ମୋତେ କଂଗ୍ରେସରୁ ଅଫର ଆସିଲାଣି । ୨୦୨୪ ନିର୍ବାଚନରେ ବିଜେପି ଅଫର ଦେଇଥିଲା, ଏବେ ବି ଦେଉଛନ୍ତି । କଳାହାଣ୍ଡିରେ ଆମେ କଂଗ୍ରେସକୁ ମଜଭୁତ କରିଛୁ ବୋଲି ଶ୍ରୀ ସିଂ କହିଛନ୍ତି ।
ତେବେ ଆପଣ କଂଗ୍ରେସକୁ ଯାଉଛନ୍ତି ବୋଲି ପ୍ରଶ୍ନରେ ଶ୍ରୀ ସିଂ କହିଛନ୍ତି ଯେ ଭବିଷ୍ୟତକୁ କାହିଁକି ଯାଉଛ ।
ସେହିପରି ବିଜେଡି କମିଟି ଓ ପିଏସିରୁ ବାଦ ପଡ଼ିବା ପରେ ଶ୍ରୀ ସିଂ କହିଛନ୍ତି ଯେ ମୁଁ ବିଜେଡି କମିଟି ଓ ବିଏସିରୁ କାହିଁକି ବାଦ ପଡ଼ିଲି ସେ ସମ୍ପର୍କରେ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନେ ଜାଣିଥିବେ । ମୁଁ ସବୁବେଳେ ଖୁସି । ଲୋକଙ୍କ ଆଶୀର୍ବାଦ ସବୁବେଳେ ମୋ ପାଖରେ ଅଛି । ବିଧାୟକ ନଥିଲେ ବି ମୁଁ ଅଧିକ ସମ୍ମାନ ପାଉଛି ।
ମୁନା ଖାଁ ନିଜ ପଦକୁ ନେଇ ଖୁସି ନାହାନ୍ତି ବୋଲି ମିଡିଆରୁ ଶୁଣିଲି । ଆହୁରି ବି ବହୁ ନେତା ପଦ ପାଇଲା ପରେ ବି ଅସନ୍ତୁଷ୍ଟ ଥିବା ମୋ ପାଖରେ ଖବର ରହିଛି । ଲୋକଙ୍କ ଧାରଣା ଏହା ଯେ ବିଜେଡିରେ ବିଶେଷ କିଛି ଢ଼ାଞ୍ଚାଗତ ପରିବର୍ତ୍ତନ ହୋଇନାହିଁ । ଯଦି ଏହା ଉପରେ ବିଚାର କରାନଯାଏ ତେବେ ଆଗକୁ ଦଳ ପାଇଁ ଠିକ ହେବନି ବୋଲି ଭୂପିନ୍ଦର ସିଂ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ବିଜେଡି ଦୃଢ଼ ବିରୋଧୀ ଦଳ ହୋଇପାରୁନି ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି । ବିଜେପି ସାଙ୍ଗରେ ବିଜେଡି ସବୁବେଳେ ସଫ୍ଟ ଲାଇନରେ ରୁହେ । ଚର୍ଚ୍ଚା ବି ହେଉଛି, ବିଜେଡି ସାଧାରଣ ନିର୍ବାଚନରେ ବିଜେପିକୁ ସାହାଯ୍ୟ କରିଥିଲା । ଚର୍ଚ୍ଚାକୁ ଯଦି ଆମେ ମିଛ ବୋଲି ଭାବିବା ତାହା ହେଲା ଫଳ କିଛି ବି ମିଳିବନି ।
Comments ସମସ୍ତ ମତାମତ