ମୁଖ୍ୟ ଖବର
ଭୁବନେଶ୍ୱର: ବିଧାନସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ଆଲୋଚନା ଚାଲିଥିବା ବେଳେ ଶାସକ ବିଜେପିକୁ କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ମହିଳାଙ୍କ ପ୍ରତି ଯଦି ବିଜେପିର ପ୍ରକୃତ ଆନ୍ତରିକତା ଅଛି, ତେବେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରି ଦେଖାନ୍ତୁ ବୋଲି ସେ ଚ୍ୟାଲେଞ୍ଜ କରିଛନ୍ତି ।କାଡାମ କହିଛନ୍ତି ଯେ, "ଯଦି ଦମ୍ ଅଛି, ତେବେ ପ୍ରଭାତୀ ପରିଡ଼ା କିମ୍ବା ବାଚସ୍ପତିଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ । ମହିଳାଙ୍କ ପାଇଁ କେବଳ ଭାଷଣ ନୁହେଁ, କାର୍ୟ୍ୟ କରି ଦେଖାନ୍ତୁ ।" ମହିଳା ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଆଣିଥିବା ପ୍ରସ୍ତାବକୁ ନେଇ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ, ଆଜି କାହିଁକି ସରକାରଙ୍କ ଜ୍ଞାନ ଉଦୟ ହେଲା ? ଦେଶ ସ୍ୱାଧୀନତା ପୂର୍ବରୁ ନାରୀମାନଙ୍କର ବଡ଼ ଯୋଗଦାନ ରହିଛି, କିନ୍ତୁ ଆରଏସଏସରେ ମହିଳାଙ୍କ ପାଇଁ କୌଣସି ସୁଯୋଗ ନାହିଁ ।
ମାଳତୀ ଦେବୀ ଚୌଧୁରୀ ଏବଂ ସାରଳା ଦେବୀଙ୍କ ଭଳି ନାରୀ ଶକ୍ତିଙ୍କ ସଂଗ୍ରାମ କଥା ମନେ ପକାଇ ସେ କହିଛନ୍ତି ଯେ କଂଗ୍ରେସ ସମୟରେ ହିଁ ଦେଶରେ ମହିଳା ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ହୋଇପାରିଥିଲେ । ସ୍ୱର୍ଗତ ରାଜୀବ ଗାନ୍ଧୀ ପ୍ରଥମେ ସଂସଦରେ ମହିଳାଙ୍କ ଅଧିକାର ପାଇଁ କାମ ଆରମ୍ଭ କରିଥିଲେ । ବିଜେପି ସରକାରଙ୍କୁ ଘେରି ସେ ପ୍ରଶ୍ନ କରିଛନ୍ତି ଯେ, ୨୦୨୩ ମସିହାର ମହିଳା ସଂରକ୍ଷଣ ବିଧେୟକକୁ କାହିଁକି ଏପର୍ୟ୍ୟନ୍ତ ଲାଗୁ କରାଗଲା ନାହିଁ? ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଇଚ୍ଛାଶକ୍ତିର ଅଭାବ ରହିଛି । ଜାତିଗତ ଜନଗଣନା ହୋଇନଥିବା ବେଳେ ବିଜେପି ଏବେ କାହିଁକି ଏତେ ତରତର ହେଉଛି ? ବିଜେପି ଏବେ ଭୟଭୀତ ହୋଇ କେବଳ ‘ପ୍ରହସନ’ କରୁଛି ବୋଲି ରାମଚନ୍ଦ୍ର କାଡାମ ଅଭିଯୋଗ କରିଛନ୍ତି ।
Comments ସମସ୍ତ ମତାମତ