Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଗାନ୍ଧୀ ବିରୋଧୀ ମନ୍ତବ୍ୟକୁ ନେଇ ଝଡ଼

    Share on :
    ajab-Image
    Date: Dec 5, 2025    Views: 2792

    ଭୁବନେଶ୍ୱର:ମହାତ୍ମା ଗାନ୍ଧୀ ଦେଶ ବିଭାଜନକାରୀ ବୋଲି ଭାଜପା ବିଧାୟକ ସନ୍ତୋଷ ଖଟୁଆ କହିଥିବା ଅଭିଯୋଗ କରି ଗୃହ ବାହାରେ ବିରୋଧୀ ଝଡ଼ ସୃଷ୍ଟି କରିଛନ୍ତି। ଏହି ପ୍ରସଙ୍ଗରେ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଏକ ହୋଇ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣାଦେବା ସହ ଶାସକ ଦଳ ଉପରେ ପ୍ରବଳ ବର୍ଷିଛନ୍ତି। ଫଳରେ ଗୃହ କାର୍ଯ୍ୟ ଅପରାହ୍ନ ୫ଟା ୫୨ରୁ ଲଗାତର ୯ ଥର ମୁଲତବୀ ରଖାଯାଇଥିଲା। ଗୃହ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ଏହି ଗୋଟିଏ ମନ୍ତବ୍ୟକୁ ନେଇ ଦୀର୍ଘ ୧ ଘଣ୍ଟା ୩୩ ମିନିଟ୍‌ ଅଟକିଯାଇଥିଲା। ବିରୋଧୀଙ୍କୁ ବୁଝାଇବାକୁ ବାଚସ୍ପତି ସୁରମା ପାଢ଼ୀ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ରବି ନାରାୟଣ ନାଏକ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟିକା ଉପାସନା ମହାପାତ୍ର ପ୍ରମୁଖଙ୍କୁ ଦାୟିତ୍ୱ ଦେଇଥିଲେ। ସେମାନେ ବହୁ ଚେଷ୍ଟା କରିବା ପରେ ଶେଷରେ ୭ଟା ୨୫ ମିନିଟ୍‌ରେ ଗୃହ କାର୍ଯ୍ୟ ପୁଣିଥରେ ସ୍ବାଭାବିକ ହୋଇଥିଲା। ଏହା ଭିତରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ଦୀର୍ଘ ସମୟ ଧରି ଚାଲିଥିଲା। ଶେଷରେ କ୍ଷମା ପ୍ରାର୍ଥନା ଲାଗି ବିରୋଧୀ ଯେଉଁ ଦାବି କରିଥିଲେ ତାକୁ ସରକାର ଗ୍ରହଣ କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଗୃହ ଆରମ୍ଭ ହେବା ମାତ୍ରେ ବାଚସ୍ପତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ କହିବାକୁ କହିଥିଲେ। ମନ୍ତ୍ରୀ ମହାଲିଙ୍ଗ କହିଥିଲେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପାଇଁ ମାନବଜାତି ସବୁବେଳେ ସମ୍ମାନ ପାଇଥାଏ। ଭାଜପା ସଦସ୍ୟ ସନ୍ତୋଷ ଖଟୁଆ ଗୃହରେ ରଖିଥିବା ମନ୍ତବ୍ୟକୁ ସରକାରଙ୍କ ତରଫରୁ ନାପସନ୍ଦ କରାଯାଉଛି।
    ଗାନ୍ଧୀମୂର୍ତ୍ତି ତଳେ ପ୍ରତିବାଦ ଓ ଧାରଣା ଦେବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଗ୍ରହଣୀୟ ନୁହେଁ। ଗାନ୍ଧୀ ହେଉଛନ୍ତି ଜାତିର ପିତା। ଗାନ୍ଧୀଙ୍କୁ ନିନ୍ଦା ଚଳିବ ନାହିଁ। ଭାଜପା ବିଧାୟକ ଇତିହାସ ଜାଣିନାହାନ୍ତି। ଗାନ୍ଧୀ କେବେହେଲେ ଦେଶ ବିଭାଜନ ସମ୍ପର୍କରେ ଚିନ୍ତାକରିବା କୌଣସି ଗୋଟିଏ ସ୍ଥାନରେ କେହି ବି ପଢ଼ି ନ ଥିବେ। କୌଣସି ମୂର୍ଖ ବି କହିବେନି ଗାନ୍ଧୀ ଦେଶର ବିଭାଜନ ଚାହୁଁଥିଲେ। ମହାତ୍ମା ଗାନ୍ଧୀ ଭାରତ-ପାକିସ୍ତାନ ଭାଗଭାଗ କରିଦେଲେ ବୋଲି ଗୃହ ଭିତରେ ଭାଜପା ସଦସ୍ୟ ସନ୍ତୋଷ ଖଟୁଆ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ, ନିନ୍ଦନୀୟ ଏବଂ ଭୟଙ୍କର ବୋଲି ସେ କହିଛନ୍ତି।
    ଏହି ଅବସରରେ ବିଜେଡି ଏବଂ କଂଗ୍ରେସର ସଦସ୍ୟମାନେ ପ୍ରବଳ ହୋହଲ୍ଲା କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଧାରଣା ଦେବା ସମୟରେ ଅଭିଯୋଗକରି କହିଥିଲେ, ଗାନ୍ଧୀ କେବେହେଲେ ଦେଶର ବିଭାଜନ ଚାହିଁ ନ ଥିଲେ। ଯିଏ ନିଜକୁ ଜଳାଞ୍ଜଳି ଦେଇ ଦେଶକୁ ସ୍ବରାଜ୍ୟ ଦେଇଛନ୍ତି, ସେହି ମହାନ୍‌ ବ୍ୟକ୍ତି ଯାହାକୁ ପୃଥିବୀର ଲୋକମାନେ ମାନୁଛନ୍ତି; ତାଙ୍କ ପ୍ରତି ଭାଜପା ବିଧାୟକ ଯେଉଁଭଳି ଅପଶବ୍ଦ ବ୍ୟବହାର କଲେ ସେଥିରୁ ଦେଶର ପୂଜ୍ୟପୂଜାଙ୍କ ପାଇଁ ଭାଜପା ସରକାରର ମାନସିକତା କଥା ସ୍ପଷ୍ଟ ହୋଇଛି। ଏଭଳି କଥାକୁ କଂଗ୍ରେସ କେବେ ହେଲେ ପ୍ରଶ୍ରୟ ଦେବ ନାହିଁ ବୋଲି କାଡାମ କହିଛନ୍ତି। ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ଧାରଣାସ୍ଥଳରୁ କହିଥିଲେ, ସମଗ୍ର ବିଶ୍ୱ ଗାନ୍ଧୀ ଦର୍ଶନକୁ ଗ୍ରହଣ କରୁଛି। ହେଲେ ଓଡ଼ିଶା ବିଧାନସଭାରେ ଗାନ୍ଧୀଙ୍କ ବିରୋଧରେ ଭାଜପା ବିଧାୟକ ସନ୍ତୋଷ ଖଟୁଆ ଅପଶବ୍ଦ ବ୍ୟବହାର କରିବା କଥାକୁ କେବେହେଲେ ଗ୍ରହଣ କରାଯିବ ନାହିଁ। ଗାନ୍ଧୀଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଲାଗି ଏଠାରେ ଧାରଣା ଦିଆଯାଇଛି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook