ମୁଖ୍ୟ ଖବର
ରାଇରଙ୍ଗପୁର: ମୟୂରଭଞ୍ଜ ଉଦଳା ଗଣଦୁଷ୍କର୍ମ ଘଟଣା । ବଡ଼ ଖୁଲାସା କରିଛି ପୋଲିସ । ଦୁଷ୍କର୍ମ ଘଟଣା ସମ୍ପୁର୍ଣ୍ଣ ମିଛ ଥିଲା ବୋଲି କହିଛନ୍ତି ଉଦଳା ଏସଡିପିଓ । ଗଣଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀ ମଧ୍ୟ ଏହା ସ୍ବୀକାର କରିଛନ୍ତି । ପୋଲିସ ଓ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ମିଛ ଅଭିଯୋଗ କରିଥିବା ସ୍ବୀକାର କରିଛନ୍ତି ଯୁବତୀ । ତେବେ ଯୁବତୀଙ୍କ ଡାକ୍ତରୀ ପରୀକ୍ଷା ପାଇଁ ମେଡିକାଲ ନିଆ ଯାଇଥିଲା । ତାଙ୍କ ସହିତ ଗଣଦୁଷ୍କର୍ମ ହୋଇ ନଥିବା ମେଡିକାଲ୍ ରିପୋର୍ଟରୁ ଜଣାପଡ଼ିଛି । ଉକ୍ତ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଗଣଦୁଷ୍କର୍ମ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପୋଲିସ ପର୍ଦ୍ଦାଫାସ୍ କରିଛି ।ଉଦଳା ଏସଡିପିଓ ହୃଷିକେଶ ନାୟକ କହିଛନ୍ତି ଯେ, ଗଣଦୁଷ୍କର୍ମ ଅଭିଯୋଗଟି ସମ୍ପୂର୍ଣ୍ଣ ମିଛ ଥିଲା । ଗଣଦୁଷ୍କର୍ମ ମାମଲା ପାଇଁ ଜେଲ୍ରୁ ବ୍ଲୁପ୍ରିଣ୍ଟ ତିଆରି କରିଥିଲେ ଯୁବତୀଙ୍କ ସମ୍ପର୍କୀୟ ଭାଇ ଓ ଅନ୍ୟ ଜଣେ ବ୍ୟକ୍ତି । ଆଉ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଖୋଦ ଅଭିଯୋଗକାରିଣୀ ଯୁବତୀ ଓ ତାଙ୍କ ମାଆ । ଉଦଳା ପୋଲିସ ତଦନ୍ତ କରୁଥିବା ବେଳେ ଏ ସବୁ କଥା ଜାଣିବାକୁ ପାଇଥିଲା । ଅଟକ ଥିବା ଯୁବକମାନଙ୍କ ସହିତ ବ୍ୟକ୍ତିଗତ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଯୁବତୀ ଗଣଦୁଷ୍କର୍ମ ନାଟକ କରିଥିଲେ । ବାରିପଦା ଜେଲ୍ରେ ବନ୍ଦୀ ଥିବା ଦୁଇ ଜଣ ଏହି ନାଟକ ପଛର ମୁଖ୍ୟ ନାୟକ ଥିଲେ । ଦୁଇଟି ଭିନ୍ନ ଭିନ୍ନ ମାମଲାରେ ଗିରଫ ହୋଇ ବାରିପଦା ଜେଲ୍ରେ ଅଛନ୍ତି କପ୍ତିପଦା ଅଞ୍ଚଳର ନାନା ସାଏ ଓ ଶରତ ଅଞ୍ଚଳର ଶ୍ୟାମ ସୁନ୍ଦର ରଣା । ଆଉ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀ ହେଉଛନ୍ତି ଶ୍ୟାମ ସୁନ୍ଦରଙ୍କ ସମ୍ପର୍କୀୟ ଭଉଣୀ ।ଶ୍ୟାମ ସୁନ୍ଦରଙ୍କ କଥାରେ ପଡି ଯୁବତୀ ଜଣଙ୍କ ଗଣଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ନାଟକ ରଚିଥିଲେ । ଉଦଳା ଥାନା ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଯୁବତୀ ଯେଉଁ ୫ ଜଣଙ୍କ ନାଁରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ସେହି ଯୁବକମାନଙ୍କ ଅଭିଯୋଗ କ୍ରମେ ଜେଲ୍ ଯାଇଥିଲେ ଶ୍ୟାମ ସୁନ୍ଦର ରଣା । ଉକ୍ତ ଯୁବକମାନଙ୍କୁ ଫସାଇବାକୁ ଯାଇ ଗଣଦୁଷ୍କର୍ମର ନାଟକ ରଚାଯାଇଥିଲା । ଯୁବତୀଙ୍କୁ ମୋହରା କରିଥିଲେ ଶ୍ୟାମ ସୁନ୍ଦର ।ଗତ ଶନିବାର ଦିନ ଉଦଳା ଥାନାରେ ଗଣଦୁଷ୍କର୍ମ ଅଭିଯୋଗ କରିଥିଲେ ବାଙ୍ଗିରିପୋଷି ଅଞ୍ଚଳର ଯୁବତୀ । ତାଙ୍କ ଅଭିଯୋଗ ଅନୁସାରେ, ଚାକିରି କରାଇ ଦେବା ନାଁରେ ୨ ଜଣ ଯୁବକ ତାଙ୍କୁ ଘରୁ ଏକ ଗାଡ଼ିରେ ଆଣିଥିଲେ । ପରେ ସେହି ଗାଡ଼ିରେ ଆଉ ୩ ଜଣ ଚଢ଼ିଥିଲେ । ବାଙ୍ଗିରିପୋଷିରୁ ୮୦ କିଲୋମିଟର ଉଦଳା ଆଣି ଗଣଦୁଷ୍କର୍ମ ପରେ ରାସ୍ତାରେ ଫିଙ୍ଗି ପଳାଇଥିଲେ । ପୋଲିସ ଘଟଣାକୁ ଗୁରୁତ୍ଵର ସହ ନେଇ ତଦନ୍ତ କରି ୨ ଜଣଙ୍କୁ ଅଟକ ରଖିଥିଲା । ଆଉ ତଦନ୍ତର ୨୪ ଘଣ୍ଟା ମଧ୍ୟରେ ଗଣଦୁଷ୍କର୍ମ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ସହିତ ସେହି ପାଞ୍ଚ ଜଣ ଯୁବକଙ୍କୁ ଫସାଇବା ଲାଗି ଏକ ବଡ଼ ଷଡ଼ଯନ୍ତ୍ର କରା ଯାଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଉକ୍ତ ମିଥ୍ୟା ଗଣଦୁଷ୍କର୍ମ କାହାଣୀ ରଚିଥିବା ଯୁବତୀ ଓ ତାଙ୍କ ମାଆଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
Comments ସମସ୍ତ ମତାମତ 0