Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମୟୂରଭଞ୍ଜ ହେବ ଶିଳ୍ପ ସମୃଦ୍ଧ: ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: May 14, 2025    Views: 5231

    ବିଶୋଇ : ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି ମୟୂରଭଞ୍ଜ ଜିଲାର ବିଭିନ୍ନ ବ୍ଲକ ପାଇଁ ୪୨୦.୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କରିଛନ୍ତି। ଏଥିସହିତ ବିଶୋଇ ବ୍ଲକ ସଦର ମହକୁମାରେ ଏକ +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ପାଇଁ ଓ ବିଶୋଇ ସ୍ଥିତ ମିନି ଷ୍ଟାଡିୟମକୁ ମହାପୁରୁଷ ଧରଣୀଧର ନାଏକଙ୍କ ନାମରେ ନାମିତ କରିବା ସହ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମଙ୍ଗଳବାର ବିଶୋଇ ମିନି ଷ୍ଟାଡିଅମ ଠାରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୩୨୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୩୩ଟି ପ୍ରକଳ୍ପର ଉଦ୍‍ଘାଟନ ଏବଂ ୯୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୫୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୟୂରଭଞ୍ଜ ଜିଲା ବିକାଶ ଯାତ୍ରାରେ ଏ ସବୁ ପ୍ରକଳ୍ପଗୁଡ଼ିକ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ଏ ସମସ୍ତ ପ୍ରକଳ୍ପ ରାଇରଙ୍ଗପୁର, କୁସୁମୀ, ବିଜାତଳା, ବହଳଦା, ଜାମ୍‌ଦା, ତିରିଂ ଅଞ୍ଚଳରେ ବିକାଶର ଏକ ନୂଆଧାରା ସୃଷ୍ଟି କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୂଳଦୁଆ ପକାଇବ। ଏହି ସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ, ବୃହତ୍ ପାଇପ ଜଳ ଯୋଗାଣ ପ୍ରକଳ୍ପ, ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତିକରଣ, ବ୍ୟାଙ୍କ ସୁବିଧା, ସ୍ୱାସ୍ଥ୍ୟକେନ୍ଦ୍ର, ସଡକ ନିର୍ମାଣ ପ୍ରକଳ୍ପ, ଆଦିବାସୀ ସଂସ୍କୃତି ଭବନ ଏବଂ ଅନ୍ୟାନ୍ୟ ସରକାରୀ ଭିତ୍ତିଭୂମି ରହିଛି। ସେ ପୁଣି କହିଥିଲେ ଯେ, ଗତ ୧୧ ମାସରେ ଆମେ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ସମର୍ଥ ହୋଇଛୁ। ଏହି ସ୍ୱଳ୍ପ ସମୟରେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ହେଉ କିମ୍ୱା ମା’ମାନଙ୍କ ପାଇଁ ସୁଭଦ୍ରା ଯୋଜନା, ଚାଷୀ ଭାଇଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ପ୍ରଦାନ ନିଷ୍ପତ୍ତି ସରକାର ଗଠନର ମାତ୍ର ୨୪ ମିନିଟରେ ନେଇଥିଲୁ, ଯାହା ଗତ ୨୪ ବର୍ଷ ଧରି ରାଜ୍ୟରେ ଚାଲିଥିବା ପୂର୍ବ ସରକାର କରି ନଥିଲା। ସୁଭଦ୍ରା ଓ ଚାଷୀଙ୍କ ପାଇଁ ସହାୟତା ଆଜି ଗ୍ରାମାଞ୍ଚଳର ଅର୍ଥନୀତିକୁ ମଜବୁତ୍‍ କରିଛି। ସୁଭଦ୍ରା ଯୋଜନାରେ ଆଜି ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ଉପକୃତ ହୋଇଛନ୍ତି। ରାଜ୍ୟର ୧୭ ଲକ୍ଷ ମହିଳା ଆଜି ଲକ୍ଷପତି ଦିଦି ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ସହଯୋଗରେ ଓଡ଼ିଶାରେ ଶିଳ୍ପାୟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବା ପାଇଁ ଯାଉଛି। ଆମ ସରକାର ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଲକ୍ଷ୍ୟ ରଖିଛନ୍ତି। ଉତ୍କର୍ଷ ଓଡ଼ିଶାର ଅପାର ସଫଳତା ଆମ ପାଇଁ ଏହି ନୂଆ ସୁଯୋଗ ଆଣିଛି। ମୟୂରଭଞ୍ଜ ଜିଲା ସମେତ ସମଗ୍ର ଓଡ଼ିଶାରେ ବ୍ୟାପକ ଶିଳ୍ପାୟନର ସମ୍ଭାବନା ସୃଷ୍ଟି ହୋଇଛି। ଏହି ଜିଲ୍ଲାରେ ୧୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହେବ। ଏହା ବିକାଶକୁ ଦ୍ୱିଗୁଣିତ କରିବା ସହିତ ଜିଲ୍ଲାବାସୀଙ୍କ ରୋଜଗାର ଓ ନିଯୁକ୍ତି ପାଇଁ ବ୍ୟାପକ ସୁଯୋଗ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟର ନୂତନ ସରକାର ହେଉଛି, ଲୋକଙ୍କ ସରକାର। ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ। ଶାସନ ବ୍ୟବସ୍ଥାରେ ଏଥିପାଇଁ ଆମେ ପରିବର୍ତ୍ତନ ଆଣିଛୁ। ବର୍ଷ ବର୍ଷ ଧରି ଲୋକଙ୍କ ଆପତ୍ତି ଅଭିଯୋଗ ସରକାର ଓ ଜନ ପ୍ରତିନିଧିମାନେ ଶୁଣୁ ନଥିଲେ। ଆମେ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛୁ। ସେଥିପାଇଁ ନିର୍ବାଚିତ ଲୋକ ପ୍ରତିନିଧିମାନେ ସିଧାସଳଖ ଭାବେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଓ ତାର ସମାଧାନର ବ୍ୟବସ୍ଥା କରୁଛନ୍ତି ବୋଲି ସେ କହିଥିଲେ।
    ୨୦୩୬ ସୁଦ୍ଧା ଏହି ସବୁ ଲକ୍ଷ୍ୟ ହାସଲ ପାଇଁ ଆମେ ୩୬ଟି ସ୍ପଷ୍ଟ କାର୍ୟ୍ୟକ୍ରମ ପ୍ରସ୍ତୁତ କରିଛୁ। ଏହାକୁ କୁହାଯାଉଛି ‘୩୬ ପାଇଁ ୩୬’। ଆପଣଙ୍କ ସହଯୋଗରେ, ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ଉଦ୍ୟମରେ ଆମେ ଗଢ଼ିବୁ ସମୃଦ୍ଧ ଓଡ଼ିଶା। ଏହା ହେବ ଆମ ସମସ୍ତଙ୍କର ସ୍ୱପ୍ନର ଓଡ଼ିଶା। ସମାଜର ଶେଷଧାଡ଼ିରେ ରହୁଥିବା ଭାଇଭଉଣୀ ମାନଙ୍କୁ ଯେପରି ସବୁ ପ୍ରକାର ମୌଳିକ ସୁବିଧା ଉପଲବ୍‍ଧ ହେବ, ସେ ଦିଗରେ ମଧ୍ୟ ଆମର ଉଦ୍ୟମ ରହିଛି। ସମସ୍ତଙ୍କୁ ବିଶୁଦ୍ଧ ପାଣି, ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା, ବିଜୁଳି, ଗମନାଗମନ ସୁବିଧା ଏ ସବୁ ଉପଲବ୍‍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ ଶେଷରେ କହିଥିଲେ।
    କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ହିତାଧିକାରୀଙ୍କୁ ମୃତ୍ୟୁ ସହାୟତା ରାଶି, ଶ୍ରମିକଙ୍କ କନ୍ୟା ବିବାହ ପ୍ରୋତ୍ସାହନ ରାଶି ଓ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ।
    ଏହି କାର୍ୟ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବାରିପଦା ବିଧାୟକ ପ୍ରକାଶ ସୋରେନ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ୟ୍ୟକ୍ରମରେ ସାରସକଣା ବିଧାୟକ ଭାଦବ ହାଁସଦା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲାପାଳ ହେମକାନ୍ତ ସୟ ଧନ୍ୟବାଦ ଅର୍ପଣ କରିଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook