Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜଳୁଛି ବରୁଣେଇ ପାହାଡ଼

    Share on :
    ajab-Image
    Date: Nov 10, 2024    Views: 7603

    ଖୋର୍ଦ୍ଧା : ୧୬ ନଂ ଜାତୀୟ ରାଜପଥରୁ ମାତ୍ର ୨ କିମି ଦୂରରେ ଥିବା ରାଜ୍ୟର ପ୍ରମୁଖ ପର୍ୟ୍ୟଟନସ୍ଥଳ ବରୁଣେଇ ମନ୍ଦିର ସଂଲଗ୍ନ ବରୁଣେଇ ପାହାଡ଼ର ବିସ୍ତୀର୍ଣ୍ଣ ଇଲାକାରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ନିଆଁର ପ୍ରକୋପ ଭୟଙ୍କର ଥିବାରୁ ବହୁ ମୂଲ୍ୟବାନ ଗଛ ଜଳିପୋଡ଼ି ଯାଇଥିବା ଅନୁମାନ କରାଯାଉଛି। ସମ୍ପ୍ରତି ପର୍ୟ୍ୟଟନ ଋତୁ ଆରମ୍ଭ ହୋଇଥିବାବେଳେ ଏଠାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରୁ ପର୍ୟ୍ୟଟକମାନେ ବଣଭୋଜି କରିବାକୁ ଆସିଥାନ୍ତି। ଏଭଳି ସ୍ଥିତିରେ ଶନିବାର ପ୍ରାୟ ଶହେରୁ ଅଧିକ ଦଳ ଏଠାକୁ ବଣଭୋଜି କରିବାକୁ ଆସିଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଏହି ନିଆଁ ଲାଗିଛି, ତାହା ସ୍ପଷ୍ଟ ଜଣାପଡ଼ୁନି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପାହାଡ଼ର ସୀତାକୁଣ୍ଡ ଠାରୁ ଏହି ନିଆଁ ଲାଗିବା ଆରମ୍ଭ ହୋଇଛି। ଗଡ଼଼ଖୋର୍ଦ୍ଧା-ପଟ୍ଟନାୟକିଆ ରାସ୍ତାର ପୁରୁଣା ମଦ ପ୍ରସ୍ତୁତି କମ୍ପାନୀ ନିକଟରେ ଏହି ନିଆଁ ଖୁବ୍‌ ଉଗ୍ରରୂପ ଧାରଣ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ଖବର ପାଇ ଖୋର୍ଦ୍ଧା ଦମକଳ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ଏତେ ଲମ୍ବା ପାଇପ ସେମାନଙ୍କ ନିକଟରେ ନଥିବାରୁ ସେମାନେ ନିଆଁ ଲିଭାଇ ପାରି ନଥିଲେ। ବଣଭୋଜି କରିବାକୁ ଆସୁଥିବା ଲୋକମାନେ ଏଣେତେଣେ ଚୁଲି ପ୍ରସ୍ତୁତ କରି ରନ୍ଧନ କାର୍ୟ୍ୟ କରୁଥିବାରୁ ହୁଏତ ସେଥିରୁ ନିଆଁ ଯାଇ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook