ମୁଖ୍ୟ ଖବର
ଭୁବନେଶ୍ୱର : ପ୍ରାୟ ପାଂଚ ଶହ ବର୍ଷର ସଂଘର୍ଷ । ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ଖଣ୍ତ-ବିଖଣ୍ଡିତ ହୋଇ ରହିବା ପରେ, ଏହି ଦିନରେ ଓଡ଼ିଶା ଏକତ୍ର ହୋଇଥିଲା । ଏକଦା ନିଜର କଳା-ସଂସ୍କୃତି, ଭାଷା-ସାହିତ୍ୟ, ବାଣିଜ୍ୟ-ବ୍ୟବସାୟ ଓ ସାମାଜିକ-ସାମରିକ ପରମ୍ପରା ପାଇଁ ଏହି ରାଜ୍ୟ ବିଶେଷ ଭାବେ ପରିଚିତ ଥିଲା । କ୍ରମେ ଏକାଧିକ କାରଣରୁ ପ୍ରଥମେ ଏହାର ସ୍ୱାଧୀନତା ଏବଂ ପରେ ସାମାଜିକ ନିରାପତ୍ତା, ଭାଷା ଓ ସପ୍ସସ୍କୃତି ଆଦି ସବୁ କିଛି ବିପନ୍ନ ହୋଇଥିଲା । ଆମ ଉତ୍କଳର ଭୌଗୋଳିକ ସୀମା ସଙ୍କୋଚନ ପରେ, ଅଣ ଓଡ଼ିଆମାନେ, ତତ୍କାଳୀନ ବ୍ରିଟିସ୍ ସରକାରକୁ ପ୍ରଭାବିତ କରି, ଏହାକୁ ଖଣ୍ତ ଖଣ୍ତ କରି ବାଣ୍ଟି ନେବାକୁ ମସୁଧା କରିଥିଲେ ।
ଏପରିକି କେତେକ ବଙ୍ଗୀୟ ପ୍ରକାଶ୍ୟରେ, ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା କି ଜାତି ନୁହେଁ, ଏଣୁ ଏହାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ନ ଦେଇ, ବାଂଲା ଭାଷାଭାଷୀ ଅଞ୍ଚଳରେ ମିଶାଇଦେବା ପାଇଁ ମତ ଦେଇଥିଲେ । କିନ୍ତୁ ପରିଶେଷରେ ସେମାନଙ୍କ ଷଡ଼ଯନ୍ତ୍ର ବିରୋଧରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବ୍ୟାସକବି ଫକୀରମୋହନ ସେନାପତି, ପଣ୍ଡିତ ନୀଳକଣ୍ଠ ଦାଶ, କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ସ୍ୱଭାବ କବି ଗଙ୍ଗାଧର ମେହେର, ବିଚିତ୍ରାନନ୍ଦ ଦାସ, କର୍ମବୀର ଗୌରୀଶଙ୍କର ରାୟ ଓ ହରିହର ମର୍ଦରାଜ ଦେବ ଆଦିଙ୍କ ନେତୃତ୍ୱରେ ପ୍ରତିବାଦର ସ୍ୱର ତୀବ୍ର ହୋଇଥିଲା । ଶେଷରେ ପରାଧୀନତା ଶୃଙ୍ଖଳରୁ ଆମେ ମୁକ୍ତ ହୋଇଥିଲେ ଓ ଜନ୍ମ ନେଇଥିଲା ସ୍ୱତନ୍ତ୍ର ଓଡ଼ିଶା । ଏହା ଥିଲା ଊନବିଂଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଓଡ଼ିଶାର ନବଜାଗରଣର ଚୂଡ଼ାନ୍ତ ଫଳଶ୍ରୁତି । ସାଙ୍କେତିକ ଭାବେ ଏହା ଥିଲା ଓଡ଼ିଶାର ସ୍ୱକୀୟତାର ଘୋଷଣା ।
Comments ସମସ୍ତ ମତାମତ 0