ଭୁବନେଶ୍ୱର: ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଦୈତାରି ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଗୋପବନ୍ଧୁ ଦାସ । ତାଙ୍କୁ ଖୁବ ଅଳ୍ପ ବୟସ ହୋଇଥିବା ବେଳେ ତାଙ୍କ ମାତାଙ୍କର ମୃତ୍ୟୁ ହୋଇଯାଇଥିଲା । ମାତାଙ୍କ ମୃତ୍ୟୁ ପରେ ସେ ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେଠାରେ ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାସଙ୍କ ସହିତ ପରିଚୟ ହୋଇଥିଲା ଓ ତାଙ୍କଠାରୁ ପରେ ସେ ଦେଶସେବା ବାବଦରେ ଶିକ୍ଷା ପାଇଥିଲେ । ୧୨ ବର୍ଷ ବୟସରେ ବିବାହ କରି ତାହା ପରେ ମଧ୍ୟ ସେ ପାଠପଢ଼ା ଜାରିରଖିଥିଲେ । ପୁରୀରୁ ମାଟ୍ରିକ ପାସ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ । ମାତ୍ର ୧୨ ବର୍ଷ ବୟସରେ ସେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ୧୯୦୩ରେ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭାବେ ଭାଗ ନେଇ ଓଡ଼ିଆ ଭାଷା ଆନ୍ଦୋଳନରେ ଯୋଗଦାନ ସମୟରେ ତାଙ୍କର ପ୍ରଥମ ପୁତ୍ରଙ୍କର ମୃତ୍ୟୁ ଘଟିଥିଲା । କଲିକତାରେ ବିଏଲ ପଢ଼ୁଥିବା ବେଳେ ତାଙ୍କର ଦ୍ୱିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏହା ପରେପରେ ସେ ବିଏଲ ପାସ କରିବା ଖବର ପାଇବା ଦିନ ତାଙ୍କ ପତ୍ନୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।
ସମାଜ ସେବାରେ ଉତ୍ସର୍ଗ:
ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଭାରତୀୟ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ସେ ୧୯୧୯ ଅକ୍ଟୋବର ମାସ ୪ ତାରିଖ ଦଶହରା ତିଥିରେ ସାପ୍ତାହିକ "ସମାଜ’ ଖବରକାଗଜ ପ୍ରକାଶ କରିଥିଲେ । ସମାଜର ପ୍ରଥମ ସମ୍ପାଦକୀୟରେ ସେ ସମାଜର ସକଳ ଶ୍ରେଣୀ ମାନବଙ୍କର ସ୍ନେହ, ପ୍ରୀତି ଓ ସଦିଚ୍ଛା କାମନାକରିଥିଲେ । ୧୯୩୦ରେ "ସମାଜ’ ସାପ୍ତାହିକରୁ ଦୈନିକ ଖବରକାଗଜରେ ପରିଣତ ହୋଇଥିଲା ।
ଓଡ଼ିଆ ଭାଷା ଆନ୍ଦୋଳନର ଆଉ ଜଣେ ମୁଖ୍ୟ ସ୍ରୋତା ଥିଲେ ଉକ୍ରଳ ମଣି ଗୋପବନ୍ଧୁ ଦାସ
କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଗୋପବନ୍ଧୁଙ୍କ ସମେତ ଅନେକ ଓଡ଼ିଆ ନେତା ଆନ୍ଦୋଳନ ଆରମ୍ଭ କରିଥିଲେ । ସେ କର୍ତ୍ତବ୍ୟ ବୋଧିନୀ ସମିତି ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କରିଥିଲେ । ତାଙ୍କର ଆହ୍ୱାନ ଥିଲା "ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ’ । ସେ ଓ ରାମଚନ୍ଦ୍ର ଦାଶ ରମ୍ଭାଠାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ପରିଚାଳନା କରିଥିଲେ । ସେ ୧୯୦୩ରେ ମଧୁସୂଦନ ଦାସଙ୍କଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭାବେ ଭାଗନେଇଥିଲେ । ଏହି ଆନ୍ଦୋଳନ କ୍ରମେ ତୀବ୍ର ହୋଇ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗକୁ ମୁହାଁଇଥିଲା ।
ଲୋକସେବକ ମଣ୍ଡଳରେ ସଦସ୍ୟତା
ଗୋପବନ୍ଧୁ ଦାସଙ୍କ ଦେଶସେବାରେ ଅବଦାନ ପାଇଁ ଲାଲା ଲାଜପତ ରାୟ ତାଙ୍କୁ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରୂପେ ଗ୍ରହଣକରିଥିଲେ । ପରେ ସେ ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ । ମଧୁସୂଦନ ଦାସଙ୍କ ପ୍ରେରଣାରୁ ସେ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନ ସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୨୧ ମସିହାରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ ।
Comments ସମସ୍ତ ମତାମତ 0