ଭୁବନେଶ୍ୱର : ସମ୍ପ୍ରତି କେତେକ ଗଣମାଧ୍ୟମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆମ ଆଦମୀ ପାର୍ଟି ଯିବେ ବୋଲି ଚର୍ଚ୍ଚା ହେଉଛି । ବିଜୟ ମହାପାତ୍ର, ଶ୍ରୀକାନ୍ତ ଜେନା, ଦିଲ୍ଲୀପ ରାୟ ଓ ଅପରାଜିତାଙ୍କ ଭଳି କେତେକ ନେତା ଓ ନେତ୍ରୀ ଆପରେ ଯୋଗଦେବା ସହ ୨୦୨୪ ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିବେ ବୋଲି ଉଡ଼ାଖବର ଘୁରିବୁଲୁଛି । ତେବେ ଏଭଳି ଉଡ଼ା ଖବରକୁ ନେଇ ଫିଡ଼ିକି ଯାଇଛନ୍ତି ସାଂସଦ ।
ଫେସବୁକରେ ଏଭଳି ଖବରକୁ ସାଂସଦଙ୍କ ସମର୍ଥକମାନେ କାଉଂଟର କରିଛନ୍ତି । ଅପରାଜିତା ଷଡ଼ଙ୍ଗୀ ଫ୍ୟାନ କ୍ଲବରେ ଏନେଇ କୁହାଯାଇଛିଯେ, ବିଗତ ଅଠଚାଳିଶ ଘଂଟା ମଧ୍ୟରେ କିଛି ଗଣମାଧ୍ୟମ ଦ୍ୱାରା ସତ୍ୟ ଆଧାରିତ ନଥିବା ଖବର ପ୍ରକାଶ ପାଇଛି । (ସୂଚନାଯୋଗ୍ୟଯେ, କେତେକ ଗଣମାଧ୍ୟମରେ ଅପରାଜିତା ବିଜେପିରେ ଅଣନିଃଶ୍ୱାସୀ ହୋଇଯାଇଥିବାରୁ ଆମ ଆଦମୀ ପାର୍ଟିରେ ଯୋଗଦେବେ ବୋଲି ଖବର ପ୍ରକାଶ ପାଇଛି ।)
ହଠାତ କେତେକ ନିର୍ଦ୍ଧିଷ୍ଟ ୱେବଚ୍ୟାନେଲ ଓ ୟୁଟୁ୍ୟବ ଚ୍ୟାନେଲରେ ପ୍ରକାଶିତ ହୋଇଥିବା ଖବର ତଥ୍ୟ ଓ ସତ୍ୟ ଠାରୁ ବହୁ ଦୂରରେ । ଏହାପଛରେ କାହାର ମନ୍ଦ ଉଦେ୍ଧଶ୍ୟ ରହିନାହିଁ କି ? ସେହିପରି କିଏ ସେହି ବ୍ୟକ୍ତି ବା ଅନୁଷ୍ଠାନ ? ବୋଲି ମଧ୍ୟ ତାଙ୍କର ସମର୍ଥକମାନେ ପ୍ରଶ୍ନ ଉଠାଇଛନ୍ତି । ଏହି ବିଫଳ ପ୍ରୟାସ ଦ୍ୱାରା ଅପରାଜିତାଙ୍କ ଲୋକପ୍ରିୟତା ବଢ଼ିଥିବାବେଳେ ଚ୍ୟାନେଲ ପଛରେ ରହି ଖବର ପରିବେଷଣ କରୁଥିବା ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଦିଆଯାଇଛି । ଅପରାଜିତାଙ୍କ ସମର୍ଥକମାନେ ଏଭଳି ତାତ୍ସଲ୍ୟ କରିଛନ୍ତି ।
ଅପରାଜିତା ଆପ ଯିବେ କି ନାହିଁ ତ ଅଲଗା କଥା, କିନ୍ତୁ କାଳିଗାଈର ଭିନ୍ନ ଗୋଠ ଭଳି ଅପରାଜିତା ଏବେ ବିଜେପି ଶିବିରରେ ପ୍ରାୟତଃ ଏକଘରକିଆ ହୋଇଯାଇଛନ୍ତି । ଦଳର ସଭାପତିଙ୍କ ଠାରୁ ନେଇ ବହୁ ବରିଷ୍ଠ ନେତାମାନେ ତାଙ୍କ ଠାରୁ ଦୂରେଇ ଯାଇଛନ୍ତି । ଏହାକୁ ଅପରାଜିତା ମିଥ୍ୟା ଖବର ବା ତଥ୍ୟଭିତିକ ନୁହେଁ ବୋଲି କହିପାରିବେ ନାହିଁ ।
Comments ସମସ୍ତ ମତାମତ 0