ମୁଖ୍ୟ ଖବର
ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ଦୁଇ ଥର ନିର୍ବାଚନ ପ୍ରଚାର ପରେ ନୂଆପଡ଼ାରେ ବିଜେଡି ପ୍ରତି ସମର୍ଥନର ସୁଅ ଛୁଟିବାରେ ଲାଗିଛି । ସବୁଆଡ଼େ ଲୋକେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତି ଲୋକଙ୍କ ଅନୁରକ୍ତି ବଢ଼ିବାରେ ଲାଗିଛି । ଆଜି ନୂଆପଡ଼ା ଓ କୋମନା ବ୍ଲକ୍ର ବିଭିନ୍ନ ସ୍ଥାନରେ ଶ୍ରୀମତୀ ଛୁରିଆଙ୍କ ନିର୍ବାଚନୀ ପ୍ରଚାର ସଭାରେ ଏହା ବେଶ୍ ସ୍ପଷ୍ଟ ପରିଲକ୍ଷିତ ହୋଇଥିଲା ।
ଶ୍ରୀମତୀ ଛୁରିଆ ଶନିବାର ନୂଆପଡା ନିର୍ବାଚନୀ ଅଞ୍ଚଳରେ ବେଲ୍ଟୁକୁରି ଗ୍ରାମପଞ୍ଚାୟତ, କୋମନା, କୋନାବେରା ଏବଂ ପେଣ୍ଡ୍ରାୱାନ ଗ୍ରାମପଞ୍ଚାୟତରେ ନିର୍ବାଚନ ପ୍ରଚାର କରି ବିଜେପି ସରକାରର ପ୍ରତାରଣା ବିରୋଧରେ ଜବାବ ଦେବା ପାଇଁ ଆହ୍ୱାନ ଜଣାଇଥିଲେ । ନବୀନ ସରକାରଙ୍କ ଅମଳରେ ଯାହା କାମ ହୋଇଥିଲା ତାକୁ ବିଜେପି ସରକାର ଅଟକାଇ ନୂଆପଡ଼ାର ଘୋର ଅନିଷ୍ଟ କରିଛି ବୋଲି କହିବା ସହିତ ଏହା ବିରୋଧରେ ସଂଗ୍ରାମ ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ । ନୂଆପଡ଼ାକୁ ରାଜ୍ୟର ଶ୍ରେଷ୍ଠ ଜିଲ୍ଲା କରିବାରେ ନବୀନ ପଟ୍ଟନାୟକଙ୍କୁ ଆପଣମାନଙ୍କ ସମର୍ଥନ ଏକାନ୍ତ ଆବଶ୍ୟକ ବୋଲି ଶ୍ରୀମତୀ ଛୁରିଆ ନିଜ ଭାଷଣରେ କହିଥିଲେ ।
ଆଜି ପ୍ରଚାର ସମୟରେ ଶ୍ରୀମତୀ ଛୁରିଆଙ୍କୁ ସ୍ଥାନୀୟ ଲୋକେ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ଜ୍ଞାପନ କରିବା ସହିତ ପାରମ୍ପରିକ ବାଦ୍ୟ ତାଳେ ତାଳେ ପାଛୋଟି ନେଇଥିଲେ । ଏହି ଅବସରରେ ଶ୍ରୀମତୀ ଛୁରିଆ ସ୍ଥାନୀୟ ବାସିନ୍ଦାଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ ସେମାନଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତା, ଜଳସେଚନ ତଥା ମହିଳା ସଶକ୍ତିକରଣକୁ ସେ ପ୍ରାଧାନ୍ୟ ଦେବେ ବୋଲି ଦୃଢ଼ତାର ସହ କହିଥିଲେ । ସେହିପରି ଗାଁରେ ବିକାଶ ପାଇଁ କ'ଣ ସବୁ ଆବଶ୍ୟକ ଲୋକେ ତାଙ୍କୁ କହିବା ସହିତ ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିଲେ ।
ଶ୍ରୀମତୀ ଛୁରିଆଙ୍କ ପ୍ରଚାର କାର୍ୟ୍ୟକ୍ରମରେ ଅବନୀ ରଞ୍ଜନ ଯୋଶୀ, ମନୋଜ ମିଶ୍ର, ପ୍ରଦୀପ ସାହୁ, ବିଶ୍ୱରଞ୍ଜନ ମଲ୍ଲିକ, ଦୀପିକା ଦୀପ ଏବଂ କାର୍ତ୍ତିକ ଦୀପ ପ୍ରମୁଖ ଉପସ୍ଥିତ ରହି ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରି ବିଜେପିର ବେଇମାନୀ ବିରୋଧରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ ।
Comments ସମସ୍ତ ମତାମତ