Share on :
0
Date: Jan 12, 2021 Views: 3995
ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବକଂଗ୍ରେସ କର୍ମୀମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ ଛକ ମୁଖ୍ୟ ରାସ୍ତାରେ କଳାପତାକା ପ୍ରଦର୍ଶନ କରିଛନ୍ତି । ସମଗ୍ର ଦେଶରେ ଯେଉଁପରି ଭାବେ ପେଟ୍ରୋଲ, ଡିଜେଲ ଦର ଅହେତୁକ ବୃଦ୍ଧି ପାଉଛି, ତତ୍ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା କଳା କୃଷି ଆଇନ ବିରୋଧରେ ଡ. ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇଥିଲେ । ଦେଶର ଅନ୍ନଦାତା ଆଜି ରାଜରାସ୍ତାରେ, କିନ୍ତୁ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିବା ସହ ଏହାକୁ ଭୃକ୍ଷେପ ନ କରି ଏହାକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି । ଏହାକୁ ଦୃଢ଼ ନିନ୍ଦା କରିଛନ୍ତି ଡ. ଲେଙ୍କା । ଆନ୍ତର୍ଜାତୀୟ ବଜାରରେ ତୈଳଦର ବ୍ୟାରେଲ ପିଛା ୫୦ ଡଲାରରୁ କମ୍ ଥିବା ବେଳେ ସରକାର ପେଟ୍ରୋଲ, ଡିଜେଲ ଦର ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି, ବୋଝ ଉପରେ ଲଳିତା ବିଡ଼ା ସଦୃଶ କ୍ରମାଗତ ଭାବେ ଦରବୃଦ୍ଧି ପାଇ ୯୦ ଟଙ୍କା ହୋଇଗଲାଣି । ବର୍ତ୍ତମାନ ସମଗ୍ର ଦେଶ କରୋନା ମହାମାରୀ ସହିତ ଲଢେ଼ଇ ଏବଂ ଜୀବନଜୀବିକା ସହ ସଂଘର୍ଷ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନସାଧାରଣଙ୍କୁ ଭୁଅାଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛି ଯୁବ କଂଗ୍ରେସ । ଯଦି ଆଗାମୀ ଦିନରେ କଳା କୃଷି ଆଇନ ପ୍ରତ୍ୟାହାର ଓ ପେଟ୍ରୋଲ ଡିଜେଲ ଦର ନିୟନ୍ତ୍ରଣ ନ କରାଯାଏ, ସମଗ୍ର ରାଜ୍ୟରେ କେନ୍ଦ୍ରମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ସହ ଜୋରଦାର ବିରୋଧ କରିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ସଭାପତି ଡ. ଲେଙ୍କା ।
ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପ୍ରଦେଶ ଯୁବକଂଗ୍ରେସ ଉପସଭାପତି ମହମ୍ମଦ ଅଲ୍ଲୀମ୍, ମୁଖପାତ୍ର ନଳିନୀକାନ୍ତ ନାୟକ, ଆର୍ଯ୍ୟବୀର ଲେଙ୍କା, ଜ୍ଞାନରଞ୍ଜନ ରାଉତ, ଆଦିତ୍ୟ ପରିଡ଼ା, ଆଶୁତୋଷ ଲେଙ୍କା, ରିତୁଲ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
Comments ସମସ୍ତ ମତାମତ