ମୁଖ୍ୟ ଖବର
କମିଟି ୪ଜଣଙ୍କ ନାମ ଉପରେ ତର୍ଜନା କରିବ, ୩ ଦିନ ମଧ୍ୟରେ ନାମ ଚୂଡ଼ାନ୍ତ କରି ପିସିସିକୁ ପ୍ରଦାନ କରାଯିବ, ପିସିସି ସୁପାରିସ ଆଧାରରେ ଏଆଇସିସି ଘୋଷଣା କରିବ
ଭୁବନେଶ୍ୱର: ଆସନ୍ତା ଏକ ମାସ ଭିତରେ ରାଜ୍ୟ କଂଗ୍ରେସର ମହିଳା, ଯୁବ, ଛାତ୍ର ଓ ଛାମୁଆ ସଂଗଠନ ସଭାପତି ପଦବି ପୂରଣ କରାଯିବ । ରବିବାର ସ୍ଥାନୀୟ କଂଗ୍ରେସ ଭବନରେ ଯୁବ କଂଗ୍ରେସ ସଭାପତି ପଦ ପାଇଁ ଅନୁଷ୍ଠିତ ହାଇଥିବା ଚୟନ କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଆବାହକ ପ୍ରଦୀପ ମାଝୀ । ଯୁବ କଂଗ୍ରେସ ସଭାପତି ପଦ ପାଇଁ କମିଟି ୪ ଜଣଙ୍କ ନାମ ଉପରେ ବିଚାର କରୁଛି । ଆସନ୍ତା ୩ ଦିନ ମଧ୍ୟରେ ନାମ ଚୂଡ଼ାନ୍ତ କରି ପିସିସିକୁ ତାଲିକା ପ୍ରଦାନ କରାଯିବ । ପରେ ପିସିସିର ସୁପାରିସ ଆଧାରରେ ଏଆଇସିସି ନାମ ଘୋଷଣା କରିବ ବୋଲି ସେ କହିଛନ୍ତି ।
ଶ୍ରୀ ମାଝି କହିଥିଲେ ଯେ, କଂଗ୍ରେସର ବିଭିନ୍ନ ଛାମୁଆ ସଂଗଠନର ନେତୃତ୍ୱ ପଦବି ଖାଲି ପଡ଼ିଥିବାରୁ ଦଳ ତାର ଆଭିମୁଖ୍ୟ ଲୋକଙ୍କ ପାଖରେ ପହଞ୍ଚାଇପାରୁନି । ଏସବୁ ପଦବି ଶୀଘ୍ର ପୂରଣ ପାଇଁ ଶୀର୍ଷ ସ୍ତରରେ ନିଷ୍ପତ୍ତି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଯୁବ କଂଗ୍ରେସ ସଭାପତି ପଦ ପାଇଁ ମନୋଜ ବିଶ୍ୱାଳ, ନିରଞ୍ଜନ ନାୟକ, ଅଭିଳାଷ ମାଣିଆ ଓ ରାଜୀବ ପଟ୍ଟନାୟକଙ୍କ ନାମ ଉପରେ ଚୟନ କମିଟି ବିଚାର କରୁଛି । ଚୟନ କମିଟିରେ ବରିଷ୍ଠ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳ ଅଧ୍ୟକ୍ଷ ଥିବାବେଳେ ରଜତ ଚୌଧୁରୀ ସଦସ୍ୟ ଅଛନ୍ତି ।
Comments ସମସ୍ତ ମତାମତ