Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ସବୁ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ଆଇନ : ରହିବନି ‘ସିନେଟ୍’, ସିଣ୍ଡିକେଟ କ୍ଷମତାଶାଳୀ

    Share on :
    ajab-Image
    Date: Sep 3, 2020    Views: 5153

    ଭୁବନେଶ୍ୱର : ଏଣିକି ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ପାଇଁ ହେବ ଗୋଟିଏ ଆଇନ  । ଏହି ଆଇନ ଅନୁସାରେ ସବୁ ବିଶ୍ୱବିଦ୍ୟାଳୟ ପରିଚାଳିତ ହେବ  । ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ସଂଶୋଧନ କରାଯିବାକୁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ଲଗାଇଛି  । ଏହାସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୦୫କୁ ଉଚ୍ଛେଦ କରାଯାଇଛି  । ସେହିପରି ବିଶ୍ୱବିଦ୍ୟାଳୟଗୁଡ଼ିକରେ ଥିବା ‘ସିନେଟ୍’ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ସିଣ୍ଡିକେଟକୁ ଶକ୍ତିଶାଳୀ କରାଯିବ । କୁଳପତିମାନଙ୍କର ଅବଧି ୩ ରୁ ୪ ବର୍ଷକୁ ବୃଦ୍ଧି କରାଯାଇଥିବାବେଳେ କୁଳପତିମାନେ ଏଣିକି ସର୍ବାଧିକ ୬୭ ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ  । କ୍ୟାବିନେଟ୍ ଏ ନେଇ ଆନୁଷ୍ଠାନିକ ମୋହର ମାରିଛି  ।

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି  । ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ରେ ସ୍ଥାପିତ ଅନୁସାରେ ପରିଚାଳିତ ହୁଅନ୍ତି  । ଏବେ ଉକ୍ତ ଅଧିନିୟମର କିଛି ବ୍ୟବସ୍ଥା ପ୍ରାସଙ୍ଗିକତା ହରାଇଛି  । ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୮୯୮କୁ ସଂଶୋଧନ କରିବା ପାଇଁ ଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି  । ଗତ କିଛିବର୍ଷ ହେଲା ବିଶ୍ୱବିଦ୍ୟାଳୟର ସିନେଟ୍ ଏକ ପ୍ରକାରର ଆଳଙ୍କାରିକ କର୍ତ୍ତୃପକ୍ଷ ହୋଇଛି  । କିନ୍ତୁ ଏହାର ପ୍ରକୃତ ବୈଧାନିକ କ୍ଷମତା ସିଣ୍ଡିକେଟ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରୟୋଗ କରାଯାଉଛି  । ଏଥିପାଇଁ ସିଣ୍ଡିକେଟ୍ କର୍ତ୍ତୃପକ୍ଷର ପୁନଃଗଠନ କରାଯାଇ ସିନେଟ୍ ବ୍ୟବସ୍ଥାକୁ ବନ୍ଦ କରାଯିବା ନିମନ୍ତେ ସ୍ଥିର କରାଯାଇଛି  । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡ଼ିକର ଶିକ୍ଷାଗତ ତଥା ପ୍ରଶାସନିକ କାର୍ଯ୍ୟ ସୂଚାରୁ ରୂପେ ପରିଚାଳିତ ହୋଇପାରିବ  ।

    ସେହିପରି କୁଳପତି ଚୟନ କମିଟିର ପୁନଃଗଠନ କରିବା ପରେ ଉକ୍ତ କମିଟିରେ ସିଣ୍ଡିକେଟ୍ର ଏକ ଚୟନ ସଭ୍ୟ ପରିବର୍ତ୍ତେ ରାଜ୍ୟସରକାରଙ୍କ ଏକ ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ସ୍ଥିର କରାଯାଇଛି  । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟସରକାର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ କୁଳପତି ଚୟନ ପ୍ରକ୍ରିୟାରେ ଏକ ଅଂଶୀଦାର ହୋଇପାରିବେ  । କୁଳପତିମାନଙ୍କର ଅବଧିକୁ ୪ ବର୍ଷ ପର୍ଯ୍ୟନ୍ତ ଏବଂ ଅବସର ବୟସ ସୀମା ୬୭ ବର୍ଷକୁ ବୃଦ୍ଧି କରିବା ନିମନ୍ତେ ସ୍ଥିର କରାଯାଇଛି  । ଏହି ବ୍ୟବସ୍ଥା ଦ୍ୱାରା କୁଳପତିମାନେ ବିଶ୍ୱବିଦ୍ୟାଳୟ ଗୁଡ଼ିକର କାର୍ଯ୍ୟକାରିତାରେ ଦୀର୍ଘ ମିଆଦି ପରିବର୍ତ୍ତନ ତଥା ଉନ୍ନତି ଆଣିପାରିବେ  ।

    ବିଶ୍ୱବିଦ୍ୟାଳୟଗୁଡ଼ିକରେ ପଞ୍ଜିକୃତ ଶିକ୍ଷକ ଏବଂ ପଞ୍ଜିକୃତ ସ୍ନାତକ ବ୍ୟବସ୍ଥାର ପ୍ରାସଙ୍ଗିକତା ଲୁପ୍ତ ହୋଇଥିବାରୁ ଉକ୍ତ ବ୍ୟବସ୍ଥାକୁ ବନ୍ଦ କରିବା ନିମନ୍ତେ ସ୍ଥିର କରାଯାଇଛି  । ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକମାନଙ୍କର ଚୟନ ତଥା ଅଣଶିକ୍ଷକମାନଙ୍କର ନିଯୁକ୍ତି ନିମନ୍ତେ ଯଥାକ୍ରମେ ଓଡ଼ିଶା ଲୋକସେବା ଆୟୋଗ ଏବଂ ରାଜ୍ୟ ପ୍ରବରଣ ମଣ୍ଡଳୀଙ୍କୁ ଦାୟିତ୍ୱ ଦେବାକୁ ସ୍ଥିର କରାଯାଇଛି  ।  
    ଅପରପକ୍ଷରେ ରାଜ୍ୟରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏବଂ ବିଶ୍ୱବିଦ୍ୟାଳୟର ବାର୍ଷିକ ସମୀକ୍ଷା ରିପୋର୍ଟ ଅତି ବଡ଼ ହୋଇଥିବାରୁ ଏହାକୁ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରିବା ଏକ କଷ୍ଟସାଧ୍ୟ ବ୍ୟାପାର ହୋଇପଡ଼ିଛି  । ତେଣୁ ଏହି ବ୍ୟବସ୍ଥା ପରିବର୍ତ୍ତେ ବିଶ୍ୱବିଦ୍ୟାଳୟଗୁଡ଼ିକ ସେମାନଙ୍କର ବାର୍ଷିକ ସମୀକ୍ଷା ରିପୋର୍ଟକୁ ନିଜ ନିଜର ୱେବ୍ସାଇଟ୍ ମାଧ୍ୟମରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଅନୂନ୍ୟ ୩ ବର୍ଷ ପର୍ଯ୍ୟନ୍ତ ଉପଲବ୍ଧ କରିବେ  ।

    ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧିନିୟମ, ୨୦୦୫ ମୁତାବକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏକ ଏକକ ବିଶ୍ୱବିଦ୍ୟାଳୟ ରୂପେ ସ୍ଥାପିତ ହୋଇଛି  । ରାଜ୍ୟର ଅନ୍ୟ ୨ଟି ଏକକ ବିଶ୍ୱବିଦ୍ୟାଳୟ ଯଥା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୮୮୯ରେ ସମସ୍ତ ଏକକ ବିଶ୍ୱବିଦ୍ୟାଳୟର ନିଜସ୍ୱ ଅଧିନିୟମ ନାହିଁ  । ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ରେ ସମସ୍ତ ଏକକ ବିଶ୍ୱବିଦ୍ୟାଳୟର ବ୍ୟବସ୍ଥା ଗୁଡ଼ିକ ସ୍ଥାନ ପାଇଛି  । ଏକାଧିକ ଅଧିନିୟମ ପ୍ରଣୟନ କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ଅମେଳ ସୃଷ୍ଟି କରିବ  । ତେଣୁ ବର୍ତ୍ତମାନ ପ୍ରଚଳିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧିନିୟମ, ୨୦୦୫କୁ ଉଚ୍ଛେଦ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି  । ଉକ୍ତ ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ ଅନୁଯାୟୀ ନିରବଚ୍ଛିନ୍ନ ଓ ନିର୍ବିଘ୍ନ ଭାବରେ କାର୍ଯ୍ୟ କରିବ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook